ମହିମା-ଧର୍ମ୍ମ ପ୍ରତିପାଦକ - ସପ୍ତମୋଲ୍ଲାସ-ପ୍ରାରମ୍ଭ

ମହିମା-ଧର୍ମ୍ମ ପ୍ରତିପାଦକ ସପ୍ତମୋଲ୍ଲାସ-ପ୍ରାରମ୍ଭ

ମହିମା-ଧର୍ମ୍ମ ପ୍ରତିପାଦକ

ସପ୍ତମୋଲ୍ଲାସ-ପ୍ରାରମ୍ଭ

 

ପଞ୍ଚମ ଉଲ୍ଲାସରେ ଯାହାକି ମହିମାଧର୍ମ୍ମରେ ଗାର୍ହସ୍ଥ୍ୟ ଓ ସନ୍ନ୍ୟାସ ଦ୍ୱିବିଧପନ୍ଥା ଅଙ୍କିତ ହୋଇଥିଲା, ତନ୍ମଧ୍ୟରୁ ଗୃହସ୍ଥ-ପନ୍ଥା-ନୀତିର ବିତରଣ ପୂର୍ବୋକ୍ତ ଷଷ୍ଠୋଲ୍ଲାସରେ ବର୍ଣ୍ଣିତ କରାଯାଇ ଅଧୁନା ସନ୍ନ୍ୟାସ ପନ୍ଥାର ବିବରଣ ଏହି ସପ୍ତମୋଲ୍ଲାସରେ ବର୍ଣ୍ଣିତ କରାଯାଉଅଛି ଯଥା,-

ବିଶ୍ୱ ବନ୍ଦନୀୟ ଅଲେଖ ବ୍ରହ୍ମାବଧୂତ ଗୁରୁଦେବ ଆଜ୍ଞାପ୍ରଦାନ କରିଅଛନ୍ତି ଯେ, ଯେଉଁମାନଙ୍କର ଅମାନିତ୍ୱାଦି ଜ୍ଞାନସାଧନରେ ରତହୋଇ ଓ ଆତ୍ମାନାତ୍ମବିଚାରଦ୍ୱାରା ଅର୍ଥାତ୍‌ ‘‘ବ୍ରହ୍ମଜ୍ଞାନ ଭକ୍ତିଯୋଗର’’ ‘‘ମୃଦୁଶରଣତ୍ୱ’’ (ମୁଁ ପରମେଶ୍ୱରଙ୍କର)ଭାବ ସିଦ୍ଧିପ୍ରାପ୍ତ ହୋଇ ‘‘ମଧ୍ୟଭାବ-ଶରଣତ୍ୱ’’ (ମୋହର ପରମବ୍ରହ୍ମ) ଜନ୍ମି ଅଛି, ଓ ସଂସାରକୁ ମାୟାମୟ କାଳ୍ପଣିକ ଅର୍ଥାତ୍‌ ଅଳିକବୋଲି ଚିତ୍ତରେ ଭାବି ଆତ୍ମ ତତ୍ତ୍ୱାନୁସନ୍ଧାନଦ୍ୱାରା ବୈରାଗ୍ୟଭାବର ଉଦୟ ହୋଇଅଛି, ଏବଂ ଯେଉଁମାନେ ଗୃହସଂସାର କର୍ମରୁ ଆସକ୍ତି ଶୂନ୍ୟ ହୋଇଅଛନ୍ତି, ସେମାନେ ଅବଧୂତାଶ୍ରମ ସନ୍ନ୍ୟାସପନ୍ଥାରେ ଅଧିକାରୀ ଅଟନ୍ତି ।

ଉକ୍ତ ସନ୍ନ୍ୟାସପନ୍ଥାରେ ବାଲ୍ୟ ଯୌବନାଦି କୌଣସି ଅବସ୍ଥା ଭେଦନାହିଁ, ମାତ୍ର ବାଲ୍ୟାବସ୍ଥାରୁ ସନ୍ନାସ ହେବା ପଶସ୍ତ ଅଟେ । ଆଉ ମଧ୍ୟ ଉକ୍ତ ପନ୍ଥା ଗ୍ରହଣ ନିମିତ୍ତ ବ୍ରାହ୍ମଣ କ୍ଷତ୍ରିୟାଦି ପ୍ରଭୃତି କୌଣସି ଜାତିଭେଦ ନାହିଁ । ଉପରୋକ୍ତ ଗୁରୁ ଆଜ୍ଞାସହ ଶାସ୍ତ୍ରର ଐକ୍ୟ ସମ୍ପାଦନ କରାଯାଉଅଛି । ଅମାନିତ୍ଵ ଜ୍ଞାନ ସାଧନ ଯଥା:-

ଅମାନିତ୍ଵ ମଦମ୍ଭିବ୍‌ ମହିଂସାକ୍ଷାନ୍ତି ରାର୍ଜବଂ ।

ଆଚାର୍ଯ୍ୟୋପାସନଂ ଶୌରଂ ସ୍ଥୈର୍ଘ୍ୟମାତ୍ମବିନିଗ୍ରହଃ ।

ଇନ୍ଦ୍ରିୟାର୍ଥେଷୁ ବୈରାଗ୍ୟ ମନହଂକାରମେବଚ ।

ଜନ୍ମ-ମୃତ୍ୟୁ-ଜରା-ବ୍ୟାଧିଦୁଃଖ-ଦୋଷାନୁଦର୍ଶନମ୍‌ ।

 

ଅସକ୍ତି ରନଭିଷ୍ୱଙ୍ଗଃ ପୁତ୍ତ୍ରଦାରଗୃହାଦିଷୁ

ନିତ୍ୟଂ ଚ ସମଚିତ୍ତତ୍ୱମିଷ୍ଟାନିଷ୍ଟୋପପତ୍ତିଷୁ ।

ମୟି ଚାନନ୍ୟଯୋଗେନ ଭକ୍ତିରବ୍ୟଭିଚାରିଣୀ ।

ବିବିକ୍ତଦେଶ-ସେବିତ୍ୱମରତିର୍ଜ ନସଂସଦି ।

 

ଅଧ୍ୟାତ୍ମ-ଜ୍ଞାନନିତ୍ୟତ୍ୱଂ ତତ୍ତ୍ୱଜ୍ଞାନାର୍ଥ-ଦର୍ଶନଂ

ଏତଦ୍‌ଜ୍ଞାନମି ତିପ୍ରୋକ୍ତମଜ୍ଞାନଂ ଯଦତୋଽନ୍ୟଥା

ଗୀତା ୧୩ । ୭ । ୧୧

 

୧ ।

ଅମାନିତ୍ୱଂ-ଆପଣାର ଗୁଣର ପ୍ରଶଂସାରେ ଅଭିମାନ ଶୂନ୍ୟହେବା ।

୨ ।

ଅଦମ୍ଭିତ୍ୱଂ-କୌଣସିବିଷୟରେ ଗର୍ବ୍ବ ନ କରିବା ।

୩ ।

ଅହିଂସା-ମନ, ବଚନ ଓ ଶରୀର ଦ୍ୱାରା କାହାରିକୁ ପୀଡ଼ା ନ ଦେବା ।

୪ ।

କ୍ଷାନ୍ତିଃ-କ୍ଷମା-ପୀଡ଼ାକରିବା ତିରସ୍କାର କର୍ତ୍ତାକୁ ଦଣ୍ଡଦେବାର କ୍ଷମତା ଥିଲେ ସୁଦ୍ଧା ଦଣ୍ଡ ନ ଦେବା ।

୫ ।

ଆର୍ଜବଂ-କପଟ ତ୍ୟାଗକରି ସରଳ ହେବା ।

୬ ।

ଆଚାର୍ଯ୍ୟୋପାସନଂ-ବ୍ରହ୍ମନିଷ୍ଠ ଗୁରୁଙ୍କୁ ସେବା କରିବା ।

୭ ।

ଶୌଚ-ଗୋମୟ ଓ ମୃଜ୍ୱଳାଦିଦ୍ୱାରା ବାହ୍ୟ ଶୁଦ୍ଧି ଓ ରାଗଦ୍ୱେଷାଦି ପରିତ୍ୟାଗ ପୂର୍ବ୍ବକ ଆନ୍ତରିକ ଶୁଦ୍ଧି ସମ୍ପାଦନ କରିବା ।

୮ ।

ସ୍ଥୈର୍ଯ୍ୟଂ - ଅବଲମ୍ୱିତ ସତ୍‌ପଥରୁ ବିଚଳିତ ନ ହୋଇ ତହିଁରେ ସ୍ଥିର ରହିବା ।

୯ ।

ଆତ୍ମବିନିଗ୍ରହଃ-ମନ ଓ ଶରୀରକୁ ମୁକ୍ତି ବିରୋଧୀ ବିଷୟ ବ୍ୟାପାରରୁ ନିବୃତ୍ତକରି ବ୍ରହ୍ମସ୍ୱରୂପରେ ନିଯୁକ୍ତ କରିବା ।

୧୦ ।

ଇନ୍ଦ୍ରିୟାର୍ଥେଷୁ ବୈରାଗ୍ୟ-ଶ୍ରୋପୁତ୍ତ୍ରାଦି ଇନ୍ଦ୍ରିୟମାନଙ୍କୁ ଶବ୍ଦାଦି ବିଷୟରେ ଆସକ୍ତ ନ ରଖିବା ।

୧୧ ।

ଅନହଂକାରଃ-ଅହଂକାର ଶୂନ୍ୟ ହେବା । ଏବଂ

୧୨ ।

ଜନ୍ମମୃତ୍ୟୁ-ଜରାବ୍ୟାଧି-ଦୁଃଖ-ଦୋଷାନୁଦର୍ଶନଂ-ସଂସାରରେ ଜନ୍ମ ହେବାକୁ ହେଲେ ମାତୃଗର୍ଭରେ କ୍ଳେଦପୂର୍ଣ୍ଣ ଜରାୟୁରେ ବାସ, ଯୋନିଦ୍ୱାର ବାଟେ ନିର୍ଗମନ, ମୃତ୍ୟୁସମୟରେ ପ୍ରାଣ ମର୍ମସବୁଙ୍କୁ ଭେଦକରି ବାହାରିବାରେ ଅସହ୍ୟ ଯନ୍ତ୍ରଣା ଓ ବାତପିତ୍ତ କଫାଦି ପ୍ରକୋପିତ ହୋଇ ନାନାପ୍ରକାର ରୋଗ ଜାତ ହେଲେ ତଜ୍ମନିତ ପୀଡ଼ା, ଏହିପରି ନାନ ଦୁଃଖ ଓ ଦେହର ଅନିତ୍ୟତା ଓ ବାର୍ଦ୍ଧକ୍ୟାଦି ପରିଣାମ ଜନିତ ଦୋଷସବୁଙ୍କୁ ବାରମ୍ବାର ଆଲୋଚନା କରିବାକୁ ଜ୍ଞାନ ସାଧନ ବୋଲାଯାଏ । ଅର୍ଥାତ୍‌ ଅହଂକାର ଶୂନ୍ୟହୋଇ ଇନ୍ଦ୍ରିୟ ବଶୀଭୂତ କରି ଜନ୍ମ, ମରଣ, ଜରାବ୍ୟାଧି ଇତ୍ୟାଦିର ଦୁଃଖ ଓ ଦୋଷ ପୁନଃ ପୁନଃ ଅନୁସନ୍ଧାନ କଲେ ସଂସାରରେ ଜନ୍ମହେବା ଅଭିଳାଷ କମିଯିବ ଓ ତତ୍ତ୍ୱଜ୍ଞାନ ପ୍ରତି ମନ ଅଧିକ ଅନୁରକ୍ତ ହେବ ।

୧୩ ।

ପୁତ୍ତ୍ରଦ୍ୱାରା-ଗୃହାଦିଷୁ ଅସକ୍ତିଃ-ପୁତ୍ତ୍ର, ଭାର୍ଯ୍ୟା ଓ ଗୃହାଦିରେ ଆସକ୍ତି ଶୂନ୍ୟ ହେବା ।

୧୪ ।

ଅନଭିଷ୍ୱଙ୍ଗଃ-ପୁଣି ପୁତ୍ତ୍ରଭାର୍ଯ୍ୟାଦିଙ୍କର ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ ନ ହେବା ।

୧୫ ।

ଚ ନିତ୍ୟଂ ଇଷ୍ଟାନିଷ୍ଟୋପପତ୍ତିଷୁ ସମନିତ୍ତତ୍ୱଂ-ସେହିପରି ଇଷ୍ଟପ୍ରାପ୍ତିରେ ପ୍ରଫୁଲ୍ଲ ବା ଅନିଷ୍ଟ ପ୍ରାପ୍ତିରେ ବିଷାଦଯୁକ୍ତ ନ ହୋଇ ଇଷ୍ଟ ପ୍ରାପ୍ତି ଓ ଅନିଷ୍ଟ ପ୍ରାପ୍ତି ଏ ଦୁଇକଥାରେ ସର୍ବ୍ବଦା ସମଚିତ୍ତ ହେବା ଉଚିତ ।

୧୬ ।

ମୟି ଅନନ୍ୟଯୋଗେନ ଅବ୍ୟଭିଚାରଣୀ ଭକ୍ତିଃ-ଜ୍ଞାନ ସାଧକର ଆମ୍ଭଠାରେ ଏକାନ୍ତ ଭକ୍ତି ଅର୍ଥାତ୍‌ କୌଣସି ପ୍ରତିକୂଳ ଘଟଣା ଉପସ୍ଥିତ ହେଲେସୁଦ୍ଧା ଯାହା ବିଚଳିତ ନ ହୁଏ, ଏ ପ୍ରକାର ପ୍ରୀତି ଜନ୍ମିବା ପ୍ରୟୋଜନ, କିନ୍ତୁ

୧୭ ।

ବିବିକ୍ତ-ଦେଶସେବିତ୍ୱଂ-ଏକାନ୍ତ ଭକ୍ତି ଜନ୍ମିବା ବିଷୟରେ ବାଧା ଜନକ ଯେ ଅପବିତ୍ରସ୍ଥାନ ସେଠାରେ ବାସ ନ କରି ଯେଉଁ ସ୍ଥାନ ପବିତ୍ର ଓ ଚିତ୍ତ-ପ୍ରଫୁଲକର ସେପରି ସ୍ଥାନରେ ବାସ କରିବା ଉଚିତ ।

୧୮ ।

ଜନସଂସଦି ଅରତିଃ-ଆଉ ସଂସାରୀ ମନୁଷ୍ୟମାନଙ୍କର ସମାଜରେ ରହିଲେ କାଳେ ମନରେ ବିଷୟସ୍ପୃହା ଜନ୍ମିବ ସେପରି ଜନସମାଜରେ ଅଶ୍ରଦ୍ଧା ବା ଅରୁଚି ହେବା ପ୍ରୟୋଜନ ।

୧୯ ।

ଅଧ୍ୟାତ୍ମ ଜ୍ଞାନ-ନତ୍ୟତ୍ୱଂ- ଆତ୍ମ ଓ ଅନାତ୍ମପଦାର୍ଥ ବିଚାର ଯହିଁରେ ହୁଏ ତାହାକୁ ଅଧ୍ୟାତ୍ମଜ୍ଞାନ ବୋଲାଯାଏ ।

 

ଅଥବା ଆତ୍ମ ସମ୍ୱନ୍ଧୀୟ ତତ୍ତ୍ୱଦ୍ୱାରା ଜଣାଯାଏ, ତାହାକୁ ଅଧ୍ୟାତ୍ମଜ୍ଞାନ ବୋଲାଯାଏ । ସେହି ଅଧ୍ୟାତ୍ମ-ଜ୍ଞାନରେ ନିଷ୍ଠା ଅର୍ଥାତ୍‌ ସର୍ବ୍ବଦା ଏକାଗ୍ରତା ରଖିବା ଏବଂ ୨୦ ତତ୍ତ୍ୱଜ୍ଞାନାର୍ଥ-ଦର୍ଶନଂ ତତ୍ତ୍ୱଜ୍ଞାନର ପ୍ରୟୋଜନ ଯେ ମୋକ୍ଷ ଲାଭ ତାହାର ଆଲୋଚନା କରିବା ଅର୍ଥାତ୍‌ ମୋକ୍ଷ ଯେ ସବୁ ଫଳ ଅପେକ୍ଷା ଶ୍ରେଷ୍ଠ ତାହା ବିଚାର କରିବା ଏମାନଙ୍କୁ ଜ୍ଞାନ ସାଧନ ବୋଲାଯାଏ । ଏଥିରୁ ଯାହା ଅନ୍ୟପ୍ରକାର ତାହା ଅଜ୍ଞାନ ।

 

ବ୍ରହ୍ମସତ୍ୟ ଓ ଜଗତମିଥ୍ୟାର ବିବରଣ:-

ନିତ୍ୟାନିତ୍ୟବସ୍ତୁ ବିବେକ ସ୍ତାବଦ୍‌ ବ୍ରହ୍ମୈବ ନିତ୍ୟଂ ବସ୍ତୁ ତତୋଽନ୍ୟଦଖିଳ ମନିତ୍ୟମିତି ବିବେଚନଂ । ବେଦାନ୍ତ ସାର । ୯ ।

 

ଏହି ସଂସାରରେ ପରଂବ୍ରହ୍ମନିତ୍ୟବସ୍ତୁ, ତାହାଙ୍କ ଛଡ଼ା ଜଗତର ଆଉ ସମସ୍ତ ବସ୍ତୁ ଅନିତ୍ୟ ଏହି ଜ୍ଞାନକୁ ନିତ୍ୟାନିତ୍ୟ ବସ୍ତୁ ବିବେକ କହନ୍ତି । ପୁନଶ୍ଚ :-

 

କୋ ନାମ ଲୋକେ ପୁରୁଷୋ ବିବେକୀ ।

ବିନଶ୍ୱରେ ତୁଚ୍ଛସୁଖେ ଗୃହାଦୌ ।

ସର୍ବ୍ବବେଦାନ୍ତସିଦ୍ଧାନ୍ତସାରସଂଗ୍ରହ। ୪୦

 

ଅନିତ୍ୟ ଗୃହାଦି ସୁଖରେ ଯାହାର ତୁଚ୍ଛଜ୍ଞାନ ଜନ୍ମେ ସେ ଲୋକମାନଙ୍କ ମଧ୍ୟରେ ବିବେକୀ ପୁରୁଷ ଅଟନ୍ତି । ‘କଃ ପଣ୍ଡିତଃ ବିବେକୀ’’ । ରତ୍ନମାଳିକା । ପ୍ରକୃତ ପଣ୍ଡିତ କିଏ ? ଯେ ବିବେକୀ । ‘‘ଜାଗ୍ରତଃ କେ ବା ସଦସଦ୍‌ବିବେକୀ’’ । ମଣିରତ୍ନମାଳା । ସଦାଜାଗରିତ କିଏ ? ସଦସଦ୍‌ବିବେକୀ । ପୁନଶ୍ଚ ଏ ଏ ବିଷୟେ ଶଙ୍କରାଚାର୍ଯ୍ୟ କହିଅଛନ୍ତି:-

 

ଜଗଦ୍‌ ବିଲକ୍ଷଣଂବ୍ରହ୍ମ, ବ୍ରହ୍ମଣୋଽନ୍ୟନ୍ନ କିଞ୍ଚନ ।

ବ୍ରହ୍ମାନ୍ୟଦ୍ଭାସତେ ମିଥ୍ୟା ଯଥା ମରୁମରୀଚିକା ।

ଆତ୍ମାବୋଧ । ୬୨

 

ବ୍ରହ୍ମ ଏହିଜଗତରୁ ବିଲକ୍ଷଣ (ସମ୍ପୂର୍ଣ୍ଣ ପୃଥକ୍‌) ବ୍ରହ୍ମ ବ୍ୟତିରେକେ ଜଗତରେ ଆଉ କିଛିନାହିଁ । ବ୍ରହ୍ମ ଭିନ୍ନ ଆଉ ଯାହା କିଛି ପ୍ରକାଶ ପାଉଅଛି ତତ୍‌ସମସ୍ତହିଁ ମରୁଭୂମୀସ୍ଥ ମରୀଚିକା ପରି ମିଥ୍ୟା ।

 

ଏହି ଜଗତମିଥ୍ୟା ସମ୍ୱନ୍ଧେ ଶଙ୍କର ଗୁରୁଙ୍କର ଗୁରୁ ଗୌଡ଼ପାଦ ଜଗତକୁ ସ୍ୱପ୍ନଦୃଷ୍ଟି ପରି ମିଥ୍ୟା ବୋଲି କହିଅଛନ୍ତି ।

 

ଅଦ୍ୱୟଞ୍ଚ ଦ୍ୱୟାଭାସଂ ମନଃ ସ୍ୱପ୍ନେନ ସଂଶୟଃ

ଅଦ୍ୱୟଞ୍ଚ ଦ୍ୱୟାଭାସଂ ତଥା ଜାଗ୍ରନ୍‌ ନ ସଂଶୟଃ ।

ମନୋଦୃଶ୍ୟ ମିଦଂ ଦ୍ୱୈତଂ ଯତ୍‌କିଞ୍ଚିତ୍‌ ସଚରାଚରମ୍‌

ମନୋସୋହ୍ୟମନୀଭାବେ ଦ୍ୱୈତଂ ନୈବୋପଲଭ୍ୟତେ ।

ଗୌଡ଼ପାଦକୃତ ମାଣ୍ଡୁକ୍ୟ-ଉପନିଷଦର କାରିକା

୪ । ୩୦ । ୩୧

 

ସ୍ୱପ୍ନରେ ଯେ ଦ୍ୱୈତଭାସ ହୁଏ, ତାହା ଯେ ମନଃ-କଳ୍ପିତ, ଏଥିରେ ସନ୍ଦେହ ନାହିଁ । ଜାଗ୍ରତରେ ଦ୍ୱୈତଭାସ ମଧ୍ୟ ନିଶ୍ଚୟହିଁ ଏହିରୂପ । ଚରାଚର ଯାହାକିଛି ଦ୍ୱୈତ ତାହା ସମସ୍ତହିଁ ମନଃକଳ୍ପିତ । ମନ ଯଦି ଅମନ ହୁଏ, ତେବେ, ଆଉ ଦ୍ୱୈତ ରହିପାରେ ନାହିଁ । ଏ ସମ୍ୱନ୍ଧରେ ପୁନଶ୍ଚ ଯୋଗ ବାଶିଷ୍ଠରେ ଉକ୍ତ ଅଛି:-

 

ଯସ୍ୟ ଚିତ୍ତମୟୀ ଲୀଳା ଜଗଦେତଚ୍ଚରାଚରମ୍‌ ।

ମୃଗତୁଷ୍ଣାତରିଙ୍ଗିଣ୍ୟୋ ଯଥା ଭାସ୍କରତେଜସ୍ଥଃ ।

ସର୍ବ୍ବାଦୃଶ୍ୟଦୃଶୋ ଦ୍ରଷ୍ଟୁ ର୍ବ୍ବ୍ୟତିରିକ୍ତାନରୂପତଃ ।

ଯୋଗ: ଉ: ୯୪ । ୨୯

 

 

 

ଯଥା ସ୍ଥିତମିଦଂ ବିଶ୍ୱଂ ନିଜଭାବତ୍ରମୋଦିତମ୍‌ ।

ନ ତତ୍‌ ସତ୍ୟଂ ନଚାସତ୍ୟଂ ରଜ୍ଜୁସର୍ପଭ୍ରମୋ ଯଥା ।

ମିଥ୍ୟାନୁଭୂତିତଃ ସତ୍ୟମସତ୍ୟଂ ସତ୍‌ପକ୍ଷିରୀତମ୍‌ ।

ଯୋଗ:ଉ- ୪୦-୪୧

 

ଏହି ଚରାଚର ଜଗତ୍‍ ବ୍ରହ୍ମର ଚିନ୍ମୟୀଲୀଳା (ସଂକଳ୍ପ) ମାତ୍ର । ଯେପରି ମରୀଚିକା ସୌରକର ଭିନ୍ନ ଆଉ କିଛିନୁହେଁ ସେହିରୂପ ସମସ୍ତ ଦୃଶ୍ୟ ଦର୍ଶନ, ଦ୍ରଷ୍ଟାଭିନ୍ନ ଆଉ କିଛିନୁହେଁ । ଏହି ନିଖିଳ ବିଶ୍ୱ ଦ୍ରଷ୍ଟାର ଭାବମାତ୍ରରେ ଉଦିତ, ଏହା ସତ୍ୟ ମଧ୍ୟ ନୁହେଁ, ମିଥ୍ୟାମଧ୍ୟ ନୁହେଁ, ଯେପରି ରଜ୍ଜୁରେ ସର୍ପଭ୍ରମ । ମିଥ୍ୟାର ଯେପରି ଅନୁଭୂତି ହେଉଅଛି ସେପରି ସତ୍ୟ, କିନ୍ତୁ ସତ୍ୟର ପରୀକ୍ଷାରେ ଅବଶ୍ୟ ଅସତ୍ୟ । ଏହି ଉପଲକ୍ଷରେ ପ୍ରକାଶାନନ୍ଦ ସିଦ୍ଧାନ୍ତ ମୁକ୍ତାବଳୀରେ ଲେଖି ଅଛନ୍ତି:-

 

ରଜ୍ମୁର୍ଯଥା ଭ୍ରାନ୍ତଦୃଷ୍ଟ୍ୟା ସର୍ପରୂପା ପ୍ରକାଶତେ ।

ଆତ୍ମା ତଥା ମୂଢ଼ବୁଦ୍ଧ୍ୟା ଜଗଦ୍ରୁପଃ ପ୍ରକାଶତେ ।

 

ଯେପରି ଦୃଷ୍ଟି ଭ୍ରମରେ ରଜ୍ମୁସର୍ପ ବୋଲି ପ୍ରକାଶିତ ହୁଏ, ସେହିରୂପ ଆତ୍ମାମଧ୍ୟ ବୁଦ୍ଧମୋହରେ ଜଗଦ୍ରୂପେ ପ୍ରତୀତ ହୁଏ ।

 

ଯନ୍ମାଦୌ ଯଚ୍ଚନାସ୍ତ୍ୟନ୍ତେ ତନ୍ମଧ୍ୟେ ଭାତ୍ୟପ୍ୟସତ୍‌ ।

ଅତୋମିଥ୍ୟା ଜଗତ୍‌ ସର୍ବ୍ବମିତି ବେଦାନ୍ତଡ଼ିଣ୍ଡିମଃ । ୩୬

 

ଯେହେତୁରୁ ଜଗତ ଆଦ୍ୟରୁ ନ ଥିଲା, ଅନ୍ତରେ ରହିବନାହିଁ, ମଧ୍ୟରେ ପ୍ରତୀତି ହେଲେ ମଧ୍ୟ ଅସତ୍‌ ଅଟେ । ଏ ହେତୁରୁ ସମସ୍ତ ଜଗତ ମିଥ୍ୟାରୂପ, ଏହା ବେଦାନ୍ତ ଡିଣ୍ଡିମ ।

 

ଏହି ସଂସାର ଅନିତ୍ୟ ସମ୍ୱନ୍ଧେ ଶାକ୍ୟସିଂହ ବୁଦ୍ଧ କହିଅଛନ୍ତି

 

ସର୍ବ୍ବ ଅନିତ୍ୟା ଅକାମା ଅଧ୍ରୁଚା ନ ଚ ଶାଶ୍ୱତା ନକଳ୍ପାଃ ।

ମାୟା-ମରୀଚି-ସଦୃଶାଃ ବିଦ୍ୱୀତ୍‌-ଫେନୋପମା ଶ୍ଚପଳାଃ ।

ଲଳିତ ବିସ୍ତର ୪ । ୧ । ୫

 

ଏ ସଂସାରରେ ସବୁ ଅନିତ୍ୟ ଅସ୍ପୃହଣୀୟ, ଚଞ୍ଚଳ, ଅଚିରସ୍ଥାୟୀ, ଅନୁପଯୋଗୀ ମାୟା ଓ ମରୀଚିକା ସଦୃଶ, ବିଦ୍ୟୁତ୍‌ ଓ ଫେନୋପମ କ୍ଷଣିକ ।

 

ଯାହାହେଉ ଜଗତ ବ୍ୟାବହାରିକଭାବେ ସତ୍ୟ ପ୍ରତୀତ ହେଲେ ମଧ୍ୟ କିନ୍ତୁ ତାହା ପରମାର୍ଥ ନୁହେଁ । ଶଙ୍କରାଚାର୍ଯ୍ୟ କହିଅଛନ୍ତି-‘‘ଏକରୂପେଣ ହ୍ୟବସ୍ଥିତେ ଯୋଽର୍ଥଃ ସ ପରମାର୍ଥଃ’’ । ଯେ ବସ୍ତୁ ସର୍ବ୍ବତ୍ର ସର୍ବ୍ବଦା ଏକରୂପରେ ଅବସ୍ଥିତ ତାହାହିଁ ସତ୍ୟ । ତାହାହିଁ ପରମାର୍ଥ । ଅର୍ଥାତ୍‌ ଯେ ବସ୍ତୁ କୌଣସି କାଳେ କୌଣସି ଅବସ୍ଥାରେ ବିକାର ପ୍ରାପ୍ତ ହୁଏ ନାହିଁ ତାହିହିଁ ପରମାର୍ଥ । ବ୍ରହ୍ମଭିନ୍ନ ଆଉ କିଏ ପରମାର୍ଥ ହୋଇପାରେ ? ସେ ସର୍ବ୍ବକାଳରେ ନିର୍ବ୍ବିକାର, ସେହି ଏକ ଓ ଅଦ୍ୱିତୀୟ, ସେହି ପରମାର୍ଥ ।

 

‘‘ଏକତତ୍ତ୍ୱମେବ ଏବଂ ପାରମାର୍ଥିକଂ ଦର୍ଶୟତି ।’’

ଶଙ୍କର ! ଏକତତ୍ତ୍ୱହିଁ ପାରମାର୍ଥିକ ନାନାତ୍ୱବ୍ୟାବହାରିକ ।

 

ପୁନଶ୍ଚ ଦତ୍ତାତ୍ରୟ ଅବଧୂତ କହିଅଛନ୍ତି:-

 

ବେଦା ନ ଲୋକା ନ ସ୍ତରା ନ ଯଜ୍ଞା

ବର୍ଣ୍ଣାଶ୍ରମୋ ନୈବ କୁଳଂ ନ ଜାତିଃ

ନ ଧୂମମାର୍ଗୋ ନ ଚ ଦୀପ୍ତିମାର୍ଗୋ

ବ୍ରହ୍ମୈକରୂପଂ ପରମାର୍ଥତତ୍ତ୍ୱମ୍‌ ।

ଅବଧୂତ ଗୀତା ୧ । ୩୪

 

ବେଦ ନାହିଁ, ଲୋକ ନାହିଁ, ଦେବତା ନାହିଁ, ଯଜ୍ଞ ନାହିଁ, ବର୍ଣ୍ଣାଶ୍ରମ ବା କୁଳଜାତି କିଛି ନାହିଁ, ଧୂମ ମାର୍ଗ ବା ଜ୍ୟୋତି ମାର୍ଗ ଏ ସମସ୍ତ ମଧ୍ୟ ନାହିଁ, କେବଳ ପରମାର୍ଥ ତତ୍ତ୍ୱ ଏକ-ବ୍ରହ୍ମରୂପହିଁ ଅଛନ୍ତି-

 

ଯଦସ୍ର୍ୟାଦୌ ଯଦସ୍ତ୍ୟନ୍ତେ ଯନ୍ମଧ୍ୟେ ଭାତି ତତ୍ସ୍ୱୟଂ ।

ବ୍ରହ୍ମୈବେଦମିଦଂ ସତ୍ୟ ମିତି ବେଦାନ୍ତ ଡିଣ୍ଡିମଃ ।୩୭।

 

ଯେ ଅଦ୍ୟରେ, ଅନ୍ତରେ, ମଧ୍ୟରେ ସ୍ୱୟଂ ଭାତ ହେଉ ଅଛନ୍ତି, ସେହି ଏକବ୍ରହ୍ମ ସତ୍ୟ ଅଟନ୍ତି । ଏହା ବେଦାନ୍ତ ଡିଣ୍ଡିମ ।

 

ପଞ୍ଚଦଶୀ କହିଅଛନ୍ତି:-

ମାସାବ୍ଦଯୁଗକଳ୍ପେଷୁ ଗତାଗମ୍ୟେଷ୍ୱନେକଧା ।

ନୋଦେତି ନାସ୍ତମୟାତି ସବିଦେଷା ସ୍ୱୟଂପ୍ରଭା ।

 

ଏହି ସ୍ୱପ୍ରକାଶ ସମ୍ୱିତ (ବ୍ରହ୍ମ) କୌଣସିକାଳେ-ମାସ, ବତ୍ସର, ଯୁଗ, କଳ୍ପ, ଅତୀତ, ବର୍ତ୍ତମାନ, ଭବିଷ୍ୟତ୍‌ କୌଣସିକାଳେ ଉଦିତ ବା ଅସ୍ତମିତ ହୁଅନ୍ତି ନାହିଁ । ଅତଏବ ସେହି ଏକମାତ୍ର ପରମାର୍ଥ ।

ଏହି ବିବେକ ଜ୍ଞାନଦ୍ୱାରା ଜନ୍ମ ମରଣରୂପ ଭ୍ରାନ୍ତି ବନ୍ଧନରୁ ମୁକ୍ତ ହେବାକୁ ହୁଏ:-

‘‘ତତ୍ର ପ୍ରାପ୍ତ ବିବେକସ୍ୟାନାବୃତ୍ତି ଶ୍ରୁତିଃ ।’’

ଶାଙ୍ଖ୍ୟ: ପ୍ର: ୨ । ୮୩

ଶ୍ରୁତିରେ ଯେ ବ୍ରହ୍ମଲୋକଗାମିର ଅପୁନରାଗମନ (ପୁନର୍ଜନ୍ମ ନ ହେବା) ଶୁଣାଯାଏ, ବୁଝିବାକୁ ହେବ ଯେ ତାହା ବିବେକ ଜ୍ଞାନର ପ୍ରଭାବ । ଯେଉଁମାନଙ୍କର ସେସ୍ଥାନକୁ ଯାଇ ବିବେକ-ଜ୍ଞାନ ଜନ୍ମେ, ସେମାନଙ୍କର ଅପୁନରାବୃତ୍ତି ଅର୍ଥାତ୍‌ ମୁକ୍ତି ହୁଏ । ଅତଏବ ବିବେକ ଜ୍ଞାନ ବ୍ୟତୀତ ଅନ୍ୟକିଛି ମୁକ୍ତିର ସାକ୍ଷାତ୍‌କାର ନୁହେଁ । ଉପରୋକ୍ତ ଗୁରୁ ଆଜ୍ଞା ଶ୍ରୁତି-ବାକ୍ୟ ଅନୁସାରେ ନିତ୍ୟାନିତ୍ୟ ବସ୍ତୁ ବିବେକଦ୍ୱାରା ଚିତ୍ତରେ ଯେ ସମୟେ ବୈରାଗ୍ୟ ବାସନା ଉଦିତ ହୁଏ, ସେ ସମୟେ ସଂସାର ବିଷୟବାସନା ତ୍ୟାଗକରି ଅବଧୂତାଶ୍ରମ ସନ୍ନ୍ୟାସ ପନ୍ଥାର ଆଶ୍ରୟ ଗ୍ରହଣ କରିବ । ପୁନଶ୍ଚ ଚିତ୍ତରେ ବୈରାଗ୍ୟ-ବାସନା ଉଦୟ ହେଲେ ସାଂସାରିକ ଭୋଗ ଅସ୍ଥାୟିତ୍ଵ ଓ କ୍ଷଣିକ ବୋଲି ବୋଧହୁଏ:- ମନୁଷ୍ୟ ଭୋଗ ନିମିତ୍ତ ଦିବାରାତ୍ର କଷ୍ଟରେ ନାନାବିଧ କର୍ମ କରୁଅଛି, କିନ୍ତୁ ଦେହ ପୁରୁଷ ଅଭିନ୍ନ ଏହା ବିଚାର କରିତ ? ସୁତରାଂ ଦେହଜଡ଼ ଭୋଗରେ ଅସମର୍ଥ ଏବଂ ପୁରୁଷ ଜଗତରେ କୌଣସି ଭୋଗ୍ୟ ବସ୍ତୁହିଁ ଭୋଗ କରେନାହିଁ । ପିତା, ମାତା, ପୁତ୍ତ୍ର, ଭ୍ରାତା, ପତ୍ନୀ ଏବଂ ବନ୍ଧୁ ପ୍ରଭୃତିର ସମ୍ୱନ୍ଧ ପାନ୍ଥଶାଳା (ପଥୁକିମାନଙ୍କ ରହିବା ସ୍ଥାନ)ରେ ବହୁ ପାନ୍ଥ ସମାଗମତୁଲ୍ୟ ଏବଂ ନଦୀମଧ୍ୟରେ ସ୍ରୋତ ସମାହୃତ କାଷ୍ଠରାଶିର ସମ୍ମିଳନ ସଦୃଶ, ଅସ୍ଥିର । ନିଶ୍ଚିତ ଅଛି ଯେ ସମ୍ପତ୍ତି ଛାୟା ସଦୃଶ ଚପଳ, ଯୌବନ ତରଙ୍ଗ ପରି ଅସ୍ଥିର । ସ୍ତ୍ରୀ ସମ୍ଭୋଗ ସୁଖ ସ୍ୱପ୍ନତୁଲ୍ୟ ଏବଂ ପରମାୟୁ ଅଳ୍ପ, ତଥାପି ପ୍ରାଣୀର ଏଡ଼େ ଅଭିମାନ-! ନିରନ୍ତର ରୋଗାଦିସଙ୍କୁଳ ସଂସାର ସ୍ୱପ୍ନ ଏବଂ ଗନ୍ଧର୍ବ୍ବ ନଗରର ସଦୃଶ ମୂଢ଼ବ୍ୟକ୍ତିହିଁ ତାହାର ଅନୁଗତ ହୁଏ । ସୂର୍ଯ୍ୟର ଅସ୍ତୋଦୟରେ ଅୟୁ କ୍ଷୟ ହୋଇଯାଏ । ଅପର ଜରାମରଣ ଦେଖି ଲୋକେ କୌଣସିରୂପେ ହିଁ ଆପଣାର ଏହି ଜରାମରଣର ଅବଶ୍ୟମ୍ଭାବିତ୍ୱ ଉପଲବ୍ଧି କରିପାରନ୍ତି ନାହିଁ । ମୋହବଶତଃ ନିର୍ବ୍ବୋଧ ବ୍ୟକ୍ତିମାନେ ଭୋଗଲାଳସାରେ ଆସକ୍ତ ଥାନ୍ତି । ସମସ୍ତସ୍ରୋତର ଗତିଶୀଳତା ଦିଗକୁ ଦୃଷ୍ଟିପାତ କରନ୍ତି ନାହିଁ । ଏହି ଆୟୁ କଞ୍ଚାମାଠିଆରେ ଥିବା ପାଣି ସବୁବେଳେ ଗଳୁଛି । ରୋଗସମୂହ ଶତ୍ରୁମାନଙ୍କପରି ଶରୀରକୁ ପ୍ରହାର କରୁଅଛନ୍ତି । ଜରା ବାଘୁଣୀ ପରି ସମ୍ମୁଖରେ ରହି ଭୟ ଦେଖାଉଅଛି । ମୃତ୍ୟୁ ସଙ୍ଗେ ସଙ୍ଗେ ହିଁ ଚଳୁଅଛି । କେବଳ କାଳ ପ୍ରତୀକ୍ଷା କରି ରହିଅଛି । ଭେକ ପେରୂପ ବିଷଧରର କଣ୍ଠ କୁହ୍ଵରରେ ପ୍ରବେଶ କରି ମଧ୍ୟ ଭୋଜନର ନିମିତ୍ତ ଦଂଶ (ଡାଂଶ)ମାନଙ୍କର ଅପେକ୍ଷା କରେ, କାଳରୂପ ମହାସର୍ପ କବଳିତ ଲୋକମାନଙ୍କର ପକ୍ଷେ ଅସ୍ଥାୟୀ ଭୋଗ ସକଳ ଉପେକ୍ଷା କରିବା ମଧ୍ୟ ତଦ୍ରୂପ । ମନୁଷ୍ୟ କୃମି, ବିଷ୍ଠାଯୁକ୍ତ ଏହି ଦେହରେ ଅହଂଜ୍ଞାନ କରି ଆମ୍ଭେ ଲୋକ ବିଶ୍ରୁତରାଜା ବୋଲି ମନେକରେ, କିନ୍ତୁ ତ୍ୱକ୍‌, ଅସ୍ଥି, ମାଂସ, ବିଷ୍ଠା, ମୂତ୍ର, ରେତ, ରକ୍ତାଦି ବିକାରି ଓ ପରିଣାମୀ ଦେହ ବା କିରୂପେ ଆତ୍ମା ହୋଇପାରେ ? ତାହା କଦାଚୁ ନୁହେଁ । ଏହିରୂପ ଭାବନାଦ୍ୱାରା ଇହଲୋକ ଓ ପରଲୋକ ଭୋଗ ପ୍ରତି ବିତୃଷ୍ଣାଭାବ ଜନ୍ମିଲେ ବୈରାଗ୍ୟ ଉଦୟ ହୁଏ:-

ଐହିକାନାଂ ସ୍ରକ୍‌ଚନ୍ଦନବନିତାଦି-ବିଷୟ-ଭୋଗାନାଂ

କର୍ମଜନ୍ୟତୟା ଅନିତ୍ୟତ୍ଵବତାମୁଷିକାନାମପ୍ୟ-

ମୃତାଦି-ବିଷୟଭୋଗାନାମନିତ୍ୟତୟା ତେଭ୍ୟୋ

ନିତରାଂ ବିରତିରିହାମୂଢ଼ଫଳ-ଭୋଗ-ବିରାଗଃ ।

ବେଦାନ୍ତସାର । ୧୦

 

ମାଲ୍ୟ, ଚନ୍ଦନ ଓ ବନିତା ପ୍ରଭୃତି ଇହଲୌକିକ ଭୋଗ୍ୟବସ୍ତୁ ସମସ୍ତ ଜୀବର ଆପଣା ଆପଣା କୃତକର୍ମର ଫଳସ୍ୱରୂପ, ସୁତରାଂ କର୍ମର ଶେଷ ହେଲେ ସେ ସମସ୍ତ ଫଳ ଭୋଗ ମଧ୍ୟ ଶେଷହୁଏ, ଏହିନିମିତ୍ତ ସେମାନେ ଅନିତ୍ୟ, ଏହିପରି ସ୍ୱର୍ଗାଦି ସୁଖ ଓ ପାରଲୌକିକ ଭୋଗ୍ୟବସ୍ତୁ ସମସ୍ତ ମଧ୍ୟ ଜୀବର ଇହଲୌକିକ କର୍ମର ଫଳସ୍ୱରୂପ । ସୁତରାଂ ତାହା ଅନିତ୍ୟ । ଏହି ବିବେକଦ୍ୱାରା ଅଚିରସ୍ଥାୟୀ କର୍ମଫଳରୁ ଆତ୍ମାକୁ ନିବୃତ୍ତ କରିବାକୁ ଇହଲୋକ ଓ ପରଲୋକର ଭୋଗ ବିରାଗ କହନ୍ତି ।

 

ଏ ସମ୍ୱନ୍ଧେ ଶଙ୍କରାଚାର୍ଯ୍ୟ ଲେଖିଅଛନ୍ତି:-

ବ୍ରହ୍ମାଦିସ୍ଥାବରାନ୍ତେଷୁ ବୈରାଗ୍ୟଂ ବିଷୟେଷ୍ୱନୁ ।

ଯଥୈବ କାକବିଷ୍ଠାୟାଂ ବୈରାଗ୍ୟଂ ତଦ୍ଧିନିର୍ମ୍ମଳମ୍‌ ।

ଅପରୋକ୍ଷାନୁଭୂତି । ୪

 

କାକ ବିଷ୍ଠାରେ ଯେରୂପ ସମସ୍ତଙ୍କର ବୈରାଗ୍ୟ (ଘୃଣା) ଜନ୍ମେ, ସେହିରୂପ ଆବ୍ରହ୍ମ ସ୍ଥାବର ଯାବତ୍‌ ବିଷୟରେ ଯେ ବୈରାଗ୍ୟ, ତାହାହିଁ ନିର୍ମଳ ବୈରାଗ୍ୟ ନାମରେ ଅଭିହିତ । ଏହିରୂପ ବୈରାଗ୍ୟ ଯାହାଙ୍କର ଜାତହୁଏ, ସେହିମାନଙ୍କୁ ପ୍ରାଜ୍ଞ ବୋଲାଯାଏ:-

 

ତେ ମହାନ୍ତୋ ମହାପ୍ରାଜ୍ଞା ନିମିତ୍ତେନ ବିନୈବହି ।

ବୈରାଗ୍ୟଂ ଜାୟତେ ଯେକ୍ଷାଂ ତେଷାମମଳମାନସଂ ।

ଯୋଗ: ମୂ: ୧୧ । ୨୪

 

ଏହି ପୃଥ୍ୱୀରେ ଯେଉଁମାନଙ୍କର ବିନା କାରଣରେ (ସଂସାର ବିଷୟରେ ବିଚ୍ଛେଦ ବା ପ୍ରମାଦ ଜନ୍ମେ) ବୈରାଗ୍ୟ ଉତ୍ପନ୍ନ ହୁଏ ସେହିମାନଙ୍କୁ ମହନ୍ତ ଅର୍ଥାତ୍‌ ନିଳର୍ମ୍ମମାନସ ଏବଂ ପରିଶୁଦ୍ଧ ବୁଦ୍ଧିମାନ୍‌ ଓ ସେହିମାନେ ମହାପ୍ରାଜ୍ଞ ଅର୍ଥାତ୍‌ ଉତ୍ତମ ପଣ୍ଡିତ ।

 

ପୁନଶ୍ଚ ବୈରାଗ୍ୟଜନ୍ମିବାର କାରଣ ଓ ବୈରାଗ୍ୟଦ୍ୱାରା ମୁକ୍ତି:-କପିଳ କହିଅଛନ୍ତି । ‘‘ବିରକ୍ତସ୍ୟତତ୍‌ସିଦ୍ଧେଃ । ସାଙ୍ଖ୍ୟ:ପ୍ର: ୨ । ସୁ ୨। ଏକସୃଷ୍ଟିରେ ଅର୍ଥାତ୍‌ ଏକଜନ୍ମରେ ପୁରୁଷର ମୋକ୍ଷ (ପ୍ରତିବିମ୍ୱରୂପ ଦୁଃଖର ନିବୃତ୍ତି) ହୁଏନାହିଁ । ବାରମ୍ବାର ବହୁତ ବାର ଜନ୍ମ, ମରଣ, ଆଧି, ବ୍ୟାଧି ଭୋଗ କରି ପୁନଃ ପୁନ ଦୁଖଃ ଅନୁଭବକରି ଯେତେବେଳେ ଯତ୍‌ପରୋନାସ୍ତି ବୈରାଗ୍ୟ ଜନ୍ମେ ତେତେବେଳେ ସେହି ବିରକ୍ତ ପୁରୁଷ ବିବେକ ଜ୍ଞାନ ଲାଭ କରି ପରିମୁକ୍ତ ହୁଏ ।

 

‘‘ନ ଶ୍ରବଣମାପୁତ୍ତ୍ରାତ୍ତତ୍‌ ସିଦ୍ଧିରନାଦିବାସନୟା ବଳବତ୍ତ୍ୱାତ୍‌’’ ।

ସାଙ୍ଖ୍ୟ: ପ୍ରଃ । ୨ । ୩

 

ଶାସ୍ତ୍ର ଶ୍ରବଣ କଲେ ବୈରାଗ୍ୟ ଜନ୍ମେ ତାହା ନୁହେଁ, ଅର୍ଥାତ୍‌ ଜନ୍ମେନାହିଁ । କାହିଁକିନା ଅନାଦିବାସନା (ସଂସାର ଭୋଗର ସଂସ୍କାର) ବଳବତୀ-ଜନ୍ମେ ଜନ୍ମେ ପୁଣ୍ୟ ଅର୍ଜନ କରିପାରିଲେ ଶାସ୍ତ୍ର ବିହିତ ଉପଯୁକ୍ତ ଶ୍ରବଣ ଘଟଣା ହୁଏ । ଶ୍ରବଣର ଫଳ ବିବେକ ସାକ୍ଷାତ୍‍କାର ତାହା ଇଚ୍ଛାନୁରୂପ ଶିଘ୍ର ହେବାର ନୁହେଁ । ଅନାଦି ମିଥ୍ୟାସଂସ୍କାର ତାହାର ପ୍ରତିବନ୍ଧକ । ଯୋଗନିଷ୍ଠ ହୋଇପାରିଲେ ବାସନା ଚ୍ଛେଦନ ହୋଇପାରେ ସତ, କିନ୍ତୁ ଯୋଗର ପ୍ରତିବନ୍ଧକ ଅନେକ । ଏହି ସକଳ କାରଣରୁ ବହୁ ଜନ୍ମର ପର ବୈରାଗ୍ୟ ଓ ମୋକ୍ଷ ହୁଏ ।

 

 

 

‘‘କା ବା ବିମୁକ୍ତିର୍ବିଷୟେ ବିରକ୍ତିଃ’’ ।

ମଣିରତ୍ନମାଳା ।

 

ମୁକ୍ତି କାହାକୁ କହନ୍ତି ? ବିଷୟରେ ବିରକ୍ତିହିଁ ମୁକ୍ତି ପଦବାଚ୍ୟ ।

ଉପରୋକ୍ତ ଗୁରୁବାକ୍ୟ ଓ ଶ୍ରୁତିବାକ୍ୟ ଅନୁସାରେ ବୈରାଗ୍ୟର ବିବରଣ ବର୍ଣ୍ଣିତ କରାଗଲା । ପୁନଶ୍ଚ ବୈରାଗ୍ୟ ଜନ୍ମିଲେ ଗୃହସଂସାର ତ୍ୟାଗ କରି ସନ୍ନ୍ୟାସ ଆଶ୍ରମ ଗ୍ରହଣ କରିବାର ବିବରଣ :- ବ୍ରହ୍ମାବଧୂତ ଗୁରୁ ମହିମା ଗୋସାଇଁ ଆଜ୍ଞା କରିଅଛନ୍ତି ଯେ, ଯେଉଁମାନଙ୍କର ହୃଦୟରେ ତୀବ୍ର ବୈରାଗ୍ୟ ବାସନା ଉଦୟ ହୁଏ ସେମାନେ ବାଲ୍ୟାଦି ଯେ ଯେଉଁ ଅବସ୍ଥା ହେଉ ପ୍ରଥମେ ଗୃହତ୍ୟାଗ ସମୟରେ ପିତା ମାତାଙ୍କଠାରୁ ଅନୁମତି ଗ୍ରହଣପୂର୍ବ୍ବକ ବା ପିତା ମାତାଅଭାବରେ ଗୃହସମ୍ୱନ୍ଧୀୟ ବ୍ୟକ୍ତିମାନଙ୍କୁ ଜଣାଇ ନିଜର ମନୋଗତଭାବ ପ୍ରକାଶ କରିବେ । ସେମାନେ ତହିଁରେ ସନ୍ତୁଷ୍ଟହୋଇ ଅନୁମତି ପ୍ରଦାନକଲେ ତତ୍ପରେ ବ୍ରହ୍ମ ଅବଧୂତ ଆଶ୍ରମୀ ସିଦ୍ଧ ଗୁରୁଜନଙ୍କୁ ଓ ଭକ୍ତ ଧର୍ମାଶ୍ରିତ ଭ୍ରାତୃଗଣଙ୍କୁ ଆହ୍ୱାନ କରି ଯାହାଙ୍କୁ ଯଥାବିଧିରେ ସମ୍ମାନିତପୂର୍ବ୍ବକ ଭୋଜନକରାଇ-ନିଜେ ଧର୍ମଦାଣ୍ଡରେ ପିତାମାତାଙ୍କ ହସ୍ତରେ ନଚେତ୍‌ ପିତାମାତା ଅଭାବରେ ଗୃହସମ୍ୱନ୍ଧୀୟ ବ୍ୟକ୍ତିଙ୍କ ହସ୍ତରେ ସିଦ୍ଧ ଗୁରୁଜନଙ୍କ ଅନୁମତିକ୍ରମେ ଭିକ୍ଷା ଗ୍ରହଣ କରିବ । ତାହାପରେ ପିତାମାତାଙ୍କୁ ଯଥାବିଧି ମାନ୍ୟକରି ଓ ଧର୍ମାଶ୍ରିତ ଭାଇମାନଙ୍କୁ ବିଧିଅନୁସାରେ ମାନ୍ୟକରି ଏବଂ ଗ୍ରାମ୍ୟ ବ୍ୟକ୍ତିମାନଙ୍କୁ ପ୍ରିୟବାକ୍ୟଦ୍ୱାରା ସନ୍ତୁଷ୍ଟକରାଇ ସିଦ୍ଧ ଗୁରୁଜନ ପଶ୍ଚାତ୍‌ରେ ଗମନ କରିବ । ଯଦ୍ୟପି କେହି ବିବାହ ହେଲାପରେ ସନ୍ନ୍ୟାସୀ ହେବାକୁ ଇଚ୍ଛା କରେ ତାହାହେଲେ ପୁତ୍ତ୍ର ଉତ୍ପାଦନ ପରେ ପୁତ୍ତ୍ରର କ୍ଷମତା ଜନ୍ମିଲେ ତାହାଉପରେ ଗୃହର ଯାବତୀୟ ଭାର ନ୍ୟସ୍ତକରି, ନିଜ ସ୍ତ୍ରୀକୁ କୋମଳ ବାକ୍ୟଦ୍ୱାରା ଧର୍ମ୍ମ ବୁଝାଇ ଉପରୋକ୍ତ ବିଧିକ୍ରମେ ଗୃହତ୍ୟାଗ କରିବ । ପୁତ୍ତ୍ର ନ ହେବା ପର୍ଯ୍ୟନ୍ତ ସ୍ତ୍ରୀକୁ ତ୍ୟାଗକରି ସନ୍ନ୍ୟାସୀ ହେବା ନିଷିଦ୍ଧ ଅଟେ । ପୁତ୍ତ୍ର ଉତ୍ପାଦନ ନହେଲେ ଦ୍ୱିତୀୟ ଅବସ୍ଥା ପରେ ସ୍ତ୍ରୀର ଯାବଜ୍ଜୀବନ ପର୍ଯ୍ୟନ୍ତ ଭରଣପୋଷଣାର୍ଥ ଯତ୍ନକରାଇ ଗୃହତ୍ୟାଗ କରିବ । ଏହାର ବିପରୀତକର୍ମରେ ସନ୍ନ୍ୟାସ ଗ୍ରହଣ କରିବା ଅବିନ୍ଦିତ ଅଟେ, କଲେ ପାପଭାଗୀ ହେବାକୁ ହୁଏ । ଉକ୍ତ ବୈରାଗୀ ବ୍ୟକ୍ତି ଗୃହ ତ୍ୟାଗ କରିବା ସମୟରେ ଗୃହବାସିଗଣ ମଧ୍ୟ ଶୋକ ତ୍ୟାଗ କରିବେ ।

 

ଉପରୋକ୍ତ ଗୁରୁଆଜ୍ଞା ଯାହାକି ବର୍ଣ୍ଣିତ ହେଲା ତଦନୁଯାୟୀ ଶାସ୍ତ୍ରବାକ୍ୟର ଐକ୍ୟ ସମ୍ପାଦନ କରାଯାଉଅଛି ।

 

ଧୀର ବ୍ୟକ୍ତିମାନେ ପ୍ରେୟବସ୍ତୁ ତ୍ୟାଗକରି ଶ୍ରେୟବସ୍ତୁ ଗ୍ରହଣ କରନ୍ତି :-

ଶ୍ରେୟଶ୍ଚ ପ୍ରେୟଶ୍ଚ ମନୁଷ୍ୟ ମେତସ୍ତୌ ସମ୍ପରିତ୍ୟ

ବିବିନକ୍ତି ଧୀରଃ ।-

 

ଶ୍ରେୟୋ ହିଧିରୋଽଭିପ୍ରେୟସୋ ବୃଣୀତେ ପ୍ରେୟୋ-ମନ୍ଦୋ ଯୋଗକ୍ଷେମ ଦ୍ୱୃଣୀତେ

କଠୋପନିଷତ୍‌ ୧ । ୧ । ୨

 

ଶ୍ରେୟ ଏବଂ ପ୍ରେୟ ଏହି ଉଭୟହିଁ ପୁରୁଷର ଆୟତ୍ତ ବସ୍ତୁ । ତଥାପି ଅଧିକାଂଶ ଲୋକହିଁ ପ୍ରେୟ ଗ୍ରହଣ କରନ୍ତି କି ନିମିତ୍ତ ? ତାହା କହୁଅଛୁଁ- ଶ୍ରେୟ ଓ ପ୍ରେୟ ଏହି ଉଭୟହିଁ ପୁରୁଷର ଅୟତ୍ତୀଭୂତ ଦେଲେ ମଧ୍ୟ ଏମାନେ ବିମିଶ୍ରଭାବେ ପୁରୁଷକୁ ପ୍ରାପ୍ତ ହୁଅନ୍ତି । କିନ୍ତୁ ହଂସ ଯେପରି ପାନୀୟମିଶ୍ରିତ ଦୁଗ୍ଧରୁ ଜଳଭାଗ ପରିତ୍ୟାଗପୂର୍ବ୍ବକ କେବଳ ଖୀରଭାଗ ଗ୍ରହଣ କରେ, ସେହିପରି ଧୀରବ୍ୟକ୍ତିଗଣ ଏହି ଶ୍ରେୟ ଓ ପ୍ରେୟ ପଦାର୍ଥ ତତ୍ତ୍ୱ ମାନସଦ୍ୱାରା ସମ୍ୟକ୍‌ରୂପେ ଆଲୋଚନା କରି ପ୍ରେୟରୁ ଶ୍ରେୟକୁ ଗ୍ରହଣ କରନ୍ତି । ଆଉ ଯେଉଁମାନେ ମନ୍ଦବୁଦ୍ଧି ବ୍ୟକ୍ତି ସେମାନେ ଯୋଗ କ୍ଷମର ନିମିତ୍ତ ଅର୍ଥାତ୍‌ ଶରୀରାଦି ବୃଦ୍ଧି ଓ ରକ୍ଷଣର ନିମିତ୍ତ ପ୍ରେୟ (ପଶୁପୁପୁତ୍ତ୍ରାଦି ଲକ୍ଷଣଂ ବୃଣୀତେ) ପଶୁ ଓ ପୁପୁତ୍ତ୍ରାଦିରୂପ ପ୍ରେୟର ଅବଲମ୍ୱନ କରିଥାନ୍ତି । ଏହିରୂପ ଶ୍ରେୟବସ୍ତୁ ବ୍ରହ୍ମଜ୍ଞାନ ଉତ୍ପନ୍ନ ହେଲେ ପ୍ରେୟ ସଂସାରିକ ବିଷୟ ତ୍ୟାଗକରି ସନ୍ନ୍ୟାସାଶ୍ରମ ଗ୍ରହଣ କରିବ ।

 

ପୁନଶ୍ଚ ତ୍ୟାଗଦ୍ୱିବିଧ ଓ ତ୍ୟାଗର ଲକ୍ଷଣ:-

ଅନ୍ତସ୍ତ୍ୟାଗୋ ବିହିସ୍ତ୍ୟାଗୋ ବିରକ୍ତସ୍ୟୈବଯୁଜ୍ୟତେ ।

ତ୍ୟଜତ୍ୟନ୍ତର୍ବ୍ବହିଃସଙ୍ଗ ବିରକ୍ତସ୍ତୁ ମୁମୁକ୍ଷୟା ।

ବହିସ୍ତୁ ବିଷୟୈଃସଙ୍ଗ ସ୍ତଥାନ୍ତରହମାଦିଭିଃ ।

ବିରକ୍ତ ଏବଣକ୍ନୋତି ତ୍ୟକ୍ତୁଂ ବ୍ରହ୍ମଣିନିଷ୍ଠିତଃ ।

ବିବେକ ଚୂଡ଼ାମଣି ୩୭୫ । ୩୭୬

 

ଅନ୍ତଃସଙ୍ଗ ଓ ବହିଃ ସଙ୍ଗ ତ୍ୟାଗ କରିବା ବିରାଗୀ ବ୍ୟକ୍ତିର କର୍ତ୍ତବ୍ୟ । ଅତଏବ ମୁକ୍ତିଲାଭରେ ବାସନା କରି ଉକ୍ତ ଦ୍ୱିବିଧ ସଙ୍ଗ ତ୍ୟାଗକରିବା ବିବେକୀବ୍ୟକ୍ତିର କର୍ତ୍ତବ୍ୟ । ଯେ ବ୍ରହ୍ମନିଷ୍ଠ ପରାୟଣ ବିରାଗୀ, ସେ ଯାବତ ବିଷୟ ସହିତ ବହିଃସଙ୍ଗ ଓ ଅହମାଦିର ସଙ୍ଗେ ଅନ୍ତଃସଙ୍ଗ ବିସର୍ଜନ କରିବାକୁ ସମର୍ଥ ହୋଇଥାନ୍ତି । ପୁନଶ୍ଚ:-

‘‘ସର୍ବ୍ବବ୍ୟସନବିନାଶେ କୋ ଦକ୍ଷଃ ସର୍ବ୍ବଦାପରିତ୍ୟାଗୀ ।

ରତ୍ନମାଳା

 

 

 

କେଉଁ ବ୍ୟକ୍ତି ସକଳପ୍ରକାର ବ୍ୟସନ ବିନାଶରେ ଦକ୍ଷ? ଯେ ବ୍ୟକ୍ତି ସର୍ବ୍ବ ତ୍ୟାଗୀ ।

ମୁଞ୍ଚ ମୁଞ୍ଚହି ସଂସାରଂ ତ୍ୟାଗଂ ମୁଞ୍ଚହି ସର୍ବ୍ବଥା

ତ୍ୟାଗା ତ୍ୟାଗ ବିଷଂ ଶୁଦ୍ଧଂ ଅମୃତଂ ସହଜଧ୍ରୁବଂ ।

ଅବଧୂତଗୀତା । ୩ । ୫୬

 

ସଂସାରକୁ ତ୍ୟାଗ କର, ତ୍ୟାଗକୁ ମଧ୍ୟ ସର୍ବ୍ବୋତଭାବେ ତ୍ୟାଗକର, ତ୍ୟାଗାତ୍ୟାଗ ବିଷକୁ ପରିତ୍ୟାଗ କର ଏବଂ ଶୁଦ୍ଧ ଅମୃତ ସହଜ ଓ ଧ୍ରୁବ ହୁଅ ।

 

ଏହିରୂପ ତ୍ୟାଗଦ୍ୱାରା ଅମରତ୍ଵ ଲାଭ ହୁଏଃ-

ନ କର୍ମଣା ନ ପ୍ରଜୟା ଧନେନ ତ୍ୟାଗେ-

ନୈକେନ ଅମୃତତ୍ୱମାନଶୁଃ ।

ମହାନାରାୟଣୋପନିଷତ୍‌ । ୧୦ । ୫

 

ଅମରତ୍ଵ ଲାଭର ଉପାୟ କର୍ମ୍ମ ନୁହେଁ, ସନ୍ତାନ ନୁହେଁ ଧନ ନୁହେଁ, ଏକମାତ୍ର ତ୍ୟାଗରଦ୍ଵାରାହିଁ ଅମରତ୍ୱ ଲାଭ ହୁଏ ।

 

ଉପରୋକ୍ତ ବିଧାନାନୁଯାୟୀ ବୈରାଗ୍ୟ ଜାତ ହେଲେ ତ୍ୟାଗୀ ହୋଇ ସନ୍ନ୍ୟାସ ଗ୍ରହଣ-:-

ତତ୍ତ୍ୱଜ୍ଞାନେ ସମୁତ୍ପନ୍ନେ ବୈରାଗ୍ୟଂ ଜାୟତେ ଯଦି ।

ତଦା ସର୍ବ୍ବଂ ପରିତ୍ୟଜ୍ୟ ସଂନ୍ନ୍ୟାସାଶ୍ରମମାଶ୍ରୟେତ୍‌ ।

ମହାନି । ୮ । ୧୫

 

ଅନନ୍ତର ତତ୍ତ୍ୱଜ୍ଞାନ ହେଲେ ଯେ ସମୟେ ହୃଦୟରେ ବୈରାଗ୍ୟ ଜନ୍ମିବ ସେ ସମୟରେ ସମୁଦାୟ ପରିତ୍ୟାଗପୂର୍ବ୍ବକ ସନ୍ନ୍ୟାସ ଆଶ୍ରମ ଅବଲମ୍ୱନ କରିବ

 

ବ୍ରହ୍ମଜ୍ଞାନସମୁତ୍ପନ୍ନେ ବିରତେ ସର୍ବ୍ବକର୍ମଣି ।

ଅଧ୍ୟାତ୍ମବିଦ୍ୟାନିପୁଣଂ ସନ୍ୟାସାଶ୍ରମମାଶ୍ରୟେତ୍‌ ।

ମହାନି : ୮ । ୨୨୩ ।

 

ଯେତେବେଳେ ବ୍ରହ୍ମଜ୍ଞାନ ବଦ୍ଧମୂଳ ହେବ, ଯେ ସମୟେ ସମୁଦାୟ କର୍ମ ରହିତ ହୋଇ ଆସିବ, ତତ୍‌କାଳେ ଅଧ୍ୟାତ୍ମ ବିଦ୍ୟାବିଶାରଦ ବ୍ୟକ୍ତି ସନ୍ନ୍ୟାସାଶ୍ରମ ଅବଲମ୍ୱନ କରିବ । ପୁନଶ୍ଚ ଶ୍ରୁତିରେ ପ୍ରମାଣ ଅଛି ଯେ, ‘‘ଯଦହରେବ ବିରଜ୍ୟେତ ତଦହରେବ ପ୍ରବ୍ରଜେତ୍‌’’ ଅର୍ଥାତ୍‌ ମନୁଷ୍ୟର ଯେଉଁଦିନ ସମସ୍ତବିଷୟ ସୁଖରେ ବୈରାଗ୍ୟ ଜନ୍ମିବ ସେହିଦିନ ସେ ସନ୍ନ୍ୟାସ ଗ୍ରହଣ କରିବ ।

 

କଳିଯୁଗରେ ଅବଧୂତ ଆଶ୍ରମ ସନ୍ନ୍ୟାସ ହେବାର ପ୍ରମାଣ :-

ଶୈବସଂସ୍କାରବିଧିନା ଅବଧୂତାଶ୍ରମଧାରଣମ୍‌ ।

ତଦେବଂ କଥିତଂ ଭଦ୍ରେ ସନ୍ନ୍ୟାସଗ୍ରହଣଂ କଳୌ ।

ବିପ୍ରାଣା ମତରେଷାଞ୍ଚ ବର୍ଣ୍ଣନାଂ ପ୍ରବଳେ କଳୌ ।

ଉଭୟତାଶ୍ରମେ ଦେବୀ ସର୍ବ୍ବେଷାମାଧିକାରିତଃ ।

ମହାନି : ୮ ।୧୧ । ୧୨

 

ଭଦ୍ରେ ! ଶୈବସଂସ୍କାର (ଆଗମୋକ୍ତ) ବିଧାନାନୁସାରେ ଯେ ଅବଧୂତ ଆଶ୍ରମ ଅବଲମ୍ୱନ କରାହୁଏ ତାହାହିଁ କଳି ଯୁଗରେ ଏକମାତ୍ର ସନ୍ୟାସଗ୍ରହଣ । ଦେବି ? ପ୍ରବଳ କଳିକାଳରେ ବ୍ରାହ୍ମଣାଦି ସକଳବର୍ଣ୍ଣହିଁ ଏହି ଉଭୟବିଧ ଆଶ୍ରମରେ ଅଧିକାରୀ ହେବେ ।

 

ଅବଧୂତାଶ୍ରମୋ ଦେବି କଳୌ ସନ୍ୟାସ ଉଚ୍ୟତେ ।

ବିଧୂନା ଯେନ କର୍ତ୍ତବ୍ୟ ସ୍ତତ୍‌ସର୍ବ୍ବଂ ଶୃଣୁ ସାମ୍ପ୍ରତମ୍‌ ।

ମହାନି : ୮ । ୨୨୨

 

ସଦାଶିବ କହୁଅଛନ୍ତି ହେ ଦେବି ? କଳିଯୁଗରେ ଅବଧୂତ ଆଶ୍ରମକୁ ସନ୍ନ୍ୟାସ ବୋଲାଯାଏ, ଯେ ରୂପେ ଏହି ସନ୍ୟାସ ଆଶ୍ରମ ଅବଲମ୍ୱନ କରିବାକୁ ହେବ, ତାହା ବର୍ତ୍ତମାନ କହୁଅଛୁଁ ଶ୍ରବଣ କର ।

 

ଆତ୍ମୀୟଗଣଙ୍କଠାରୁ ଅନୁମତିକ୍ରମେ ଅବଧୂତ ଆଶ୍ରମ ଗ୍ରହଣ କରିବାର ବିବରଣ :-

 

ସମ୍ପାଦ୍ୟ ଗୃହକର୍ମାଣି ପରିତୋଷ୍ୟ ପରାନପି ।

ନିର୍ମମୋ ନିଳୟାଦ୍ଗଚ୍ଛେତ୍‌ ନିଷ୍କାମୋ ବିଜିତେନ୍ଦ୍ରିୟଃ ।

ଆହୂୟ ସ୍ୱଜନାନ୍‌ବନ୍ଧୂନ୍‌ ଗ୍ରାମସ୍ଥାନ୍‌ ପ୍ରତିବାସିନଃ ।

ପ୍ରୀତ୍ୟାନୁମତିମନ୍ୱିଚ୍ଛେତ୍‌ ଗୃହାଜ୍ଜିଗମିଷୁର୍ଜନଃ ।

ତେଷା ମନୁଜ୍ଞା ମାଦାୟ ପ୍ରଣମ୍ୟ ପରଦେବତାମ୍‌ ।

ଗ୍ରାମଂ ପ୍ରଦକ୍ଷିଣୀକୃତ୍ୟ ନିରପେକ୍ଷୋ ଗୃହାବିୟାତ୍‌ ।

ମହାନି : ୮ । ୨୨୬ । ୨୨୮

 

ସାଧକ ଗୃହସ୍ଥର କର୍ମ ସମୁଦାୟ ସମାଧା କରି ଆତ୍ମୀୟ ସ୍ୱଜନ ସମସ୍ତଙ୍କର ପରିତୋଷ ସମ୍ପାଦନପୂର୍ବ୍ବକ, ମମତା ରହିତ, କାମନା ରହିତ, ଓ ଜିତେନ୍ଦ୍ରିୟ ହୋଇ ଗୃହରୁ ନିର୍ଗତ ହେବ ଯେ ଗୃହସ୍ଥାଶ୍ରମ ପରିତ୍ୟାଗପୂର୍ବ୍ବକ ଗମନ କରିବାକୁ ଅଭିଳାଷୀ ହେବ ସେ ଆତ୍ମୀୟସ୍ୱଜନ ଗଣଙ୍କୁ ବନ୍ଧୁବାନ୍ଧବମାନଙ୍କୁ ପ୍ରତିବାସିମାନଙ୍କୁ ଏବଂ ଗ୍ରାମସ୍ଥ ଜନମାନଙ୍କୁ ଆହ୍ୱାନପୂର୍ବ୍ବକ ପ୍ରୀତିପୂର୍ଣ୍ଣ ହୃଦୟରେ ଅନୁମତି ପ୍ରାର୍ଥନା କରିବ । ପରେ ସମସ୍ତଙ୍କ ଅନୁମତି ନେଇ ଅଭୀଷ୍ଟଦେବତାଙ୍କୁ (ପରମାତ୍ମା ପରମବ୍ରହ୍ମଙ୍କୁ) ପ୍ରଣାମପୂର୍ବ୍ବକ ଗ୍ରାମ ପ୍ରଦକ୍ଷଣ କରି ନିରପେକ୍ଷ ହୃଦୟରେ ଗୃହରୁ ବହିର୍ଗତ ହେବ ।

 

ଅବିଧିପୂର୍ବ୍ବକ ସନ୍ନ୍ୟାସୀ ହେଲେ ତାହାର ଫଳ ଏହି :-

ମାତରଂ ପିତରଂ ବୃଦ୍ଧଂ ଭାର୍ଯ୍ୟାଞ୍ଚୈବ ପତିବ୍ରତାମ୍‌ ।

ଶିଶୁଞ୍ଚ ତନୟଂ ହିତ୍ୱା ନାବଧୂତାଶ୍ରମଂ ବ୍ରଜେତ୍‌ ।

ମାତୃପିତୃନ୍‌ ଶିଶୂନ୍‌ ଦାରାନ୍‌ ସ୍ୱଜନାନ୍‌ ବାନ୍ଧବାନପି ।

ଯଃ ପବ୍ରଜତି ହିତ୍ୱୈତାନ୍‌ ସ ମହାପାତକୀ ଭବେତୁ ।

ମାତୃହା ପିତୃହା ସ ସ୍ୟାତ୍‌ ସ୍ତ୍ରୀବଧୀ ବ୍ରହ୍ମଘାତକଃ ।

ଅସନ୍ତର୍ପ୍ୟ ସ୍ୱପିକ୍ରୀଦୀନ୍‌ ଯୋ ଗଚ୍ଛେଭିକ୍ଷୁକାଶ୍ରମେ ।

ମହାନି : ୮ । ୧୭ । ୧୯

 

ବୃଦ୍ଧା, ପିତା, ମାତା, ପତିବ୍ରତା ଭାର୍ଯ୍ୟା, ଏବଂ ଶିଶୁତନୟ, ଏମାନଙ୍କୁ ପରିତ୍ୟାଗ କରି କଦାପି ଅବଧୂତାଶ୍ରମ ଗ୍ରହଣ କରିବ ନାହିଁ, ଯେ ବ୍ୟକ୍ତି ମାତା, ପିତା, ଶିଶୁପୁତ୍ତ୍ର, ଭାର୍ଯ୍ୟା, ସ୍ୱଜନ ବନ୍ଧୁ ବାନ୍ଧବ, ସମୁଦାୟ ପରିତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରେ, ସେ ମହାପାତକୀ ହୁଏ । ଯେ ବ୍ୟକ୍ତି ସ୍ୱୀୟ ପିତା, ମାତା, ପ୍ରଭୃତିଙ୍କୁ ପରିତୃପ୍ତ ନ କରି, ଭିକ୍ଷୁକାଶ୍ରମ ଗମନ କରେ ତାହାକୁ ମାତୃହତ୍ୟା, ପିତୃହତ୍ୟା, ସ୍ତ୍ରୀହତ୍ୟା, ବ୍ରହ୍ମହତ୍ୟାଦି ଜନିତ ପାପରେ ଲିପ୍ତ ହେବାକୁ ହୁଏ । ସନ୍ଦେହ ନାହିଁ (୫୭) ପୁନଶ୍ଚ :-

 

‘ପ୍ରବ୍ରଜ୍ୟାଗମନାଦ୍ରାଜନ୍‌ ଭବେନ୍ମରୁପି ଶାଚକଃ ।

ଗରୁଡ଼ି ପୁରାଣ : ଉ : : ଅ: ।୨।

 

ଲୋକ ଅବିଧିରେ ସନ୍ୟାସ ଗ୍ରହଣ କରିଲେ ମରୁଭୂମିରେ ପିଶାଚ ହୋଇ ରହେ ।

 

(୫୭) ପରନ୍ତୁ ଏ ସ୍ଥଳରେ କଥିତ ହେଲା, ବୃଦ୍ଧ ପିତାମାତା ପ୍ରଭୃତି ପରିତ୍ୟାଗ କରି ସନ୍ୟାସଗ୍ରହଣ କରିବାକୁ ହେବ ନାହିଁ, ଏହାର ମୀମାଂସା ଏହି ଯେ ଯଦି ଶୁକଦେବ, ଶଙ୍କରାଚାର୍ଯ୍ୟ ପ୍ରଭୃତିଙ୍କ ପରି ତୀବ୍ର ବୈରାଗ୍ୟ ଜାତହୁଏ ତାହାହେଲେ ମାତାପିତା ପ୍ରଭୃତି ପରିତ୍ୟାଗ କରି ମଧ୍ୟ ପ୍ରବ୍ରଜ୍ୟା ଅବଲମ୍ୱନ କରାଯାଇପାରେ । ପରନ୍ତୁ ଯଦି ସାମାନ୍ୟ ବୈରାଗ୍ୟ ଉଦୟ ହୁଏ ତାହାହେଲେ ମାତାପିତା ପ୍ରଭୃତିଙ୍କୁ ପରିତ୍ୟାଗ କରି ସନ୍ନ୍ୟାସଶ୍ରମ ଗ୍ରହଣ କରାଯାଇ ନ ପାରେ ।

 

ବ୍ୟାଲ୍ୟାଦି ଅବସ୍ଥରେ ସନ୍ନ୍ୟାସ ଗ୍ରହଣ କରିବାର ବିବରଣ । ଅବଧୂତ ପରମହଂସ ସନ୍ୟାସ ଦ୍ୱିବିଧ-ବିଦ୍ୱତ ଓ ବିବିଦିଷା ।

 

ଯେଉଁ ବ୍ୟକ୍ତିଙ୍କର ପୂର୍ବ୍ବାପୂର୍ବ୍ବ ଜନ୍ମର କୃତ ଶୁଭକର୍ମଦ୍ୱାରା ଗୃହ ସଂସାରକ୍ଷେତ୍ର ପ୍ରତି ବିରାଗଭାବ ଜନ୍ମିଅଛି ଏବଂ ଅନେକବାର ମାନବ-ଜନ୍ମ ସୁଖଦୁଃଖ-ଭୋଗରେ ଅତିକ୍ରମ କରି ଅଛନ୍ତି, ତଦ୍ରୂପ ବ୍ୟକ୍ତି ବାଲ୍ୟ ସମୟରେ ବିଷୟବାସନା ପ୍ରତି ଆସକ୍ତି ତ୍ୟାଗକରି ସନ୍ନ୍ୟାସ ଗ୍ରହଣ କରନ୍ତି । ଏହି ନିମିତ୍ତ ବାଲ୍ୟ ସମୟରେ ସନ୍ନ୍ୟାସୀ ହେବାର ନିୟମ ରହିଅଛି । ପୂର୍ବ୍ବାପୂର୍ବ୍ବ ଜନ୍ମର ସାଧନ ସିଦ୍ଧିବଳରେ ମନୁଷ୍ୟ ପ୍ରଥମ ବୟସ କର୍ମଫଳ ଓ କର୍ମାନୁଷ୍ଠାନରେ ଯେଉଁ ବିରକ୍ତି ଜନ୍ମେ, ସେହି ତ୍ୟାଗକୁ ଶାସ୍ତ୍ରକାରମାନେ ‘ବିଦ୍ୱତ୍‌’ ସନ୍ନ୍ୟାସ ବୋଲି କହି ଅଛନ୍ତି ।

 

ଏହି ପୂର୍ବ୍ବ ଅଭ୍ୟାସର ବିବରଣ ଭଗବାନ କହିଅଛନ୍ତି:-

ତତ୍ର ତଂ ବୁଦ୍ଧିସଂଯୋଗଂ ଲଭତେ ପୌର୍ବ୍ବଦେହିକଂ ।

ଯତତେ ଚ ତତୋଭୂୟଃ, ସଂସିଦ୍ଧୌ କୁରୁନନ୍ଦନଃ ।

ଗୀତା ୬ । ୪୩।

 

ହେ କୁରୁନନ୍ଦନ ! ଯୋଗୀବ୍ୟକ୍ତି ଜନ୍ମଗ୍ରହଣ କରିବାମାତ୍ରେ ତାଙ୍କର ପୂର୍ବ୍ବ ଦେହ ଜାତ ସଂସ୍କାରସ୍ୱରୂପ ଜ୍ଞାନସାଧିକା ବୁଦ୍ଧି ଲାଭ କରନ୍ତି ଓ ତହିଁ ଉତ୍ତାରୁ ମୁକ୍ତି ବିଷୟରେ ଅଧିକ ଯତ୍ନ କରନ୍ତି । ପୁନଶ୍ଚ:-

 

‘‘ଖଳୁ ବେଦାର୍ଥଂ ଯୋ ବିଦ୍ୱାନ୍‌ ସୋପନୟନ ଦୂର୍ଦ୍ଧ ମେ-ତାନିପ୍ରାଗ୍ୱା ତ୍ୟଜେତୁ ପିତରଂ ପୁତ୍ତ୍ରମଗ୍ନ୍ୟୁ ପବୀତଂକର୍ମ କଳତ୍ରଂ ଞ୍ଚାନ୍ୟଦପିହ ।’’

ଆରୁଣେୟୋପନିଷତ୍‌ । ଖ ୫ ।

 

ସନ୍ନ୍ୟାସ ଗ୍ରହଣରେ ଯେପରି ଆଶ୍ରମ କର୍ମନିୟମ ନାହିଁ, ସେହିରୂପ ସନ୍ନ୍ୟାସର ଉପନୟନ ନିୟମ ମଧ୍ୟ ନାହିଁ । ଯେ ବେଦାର୍ଥ-ବିଜ୍ଞାନ ଲାଭ କରିଅଛନ୍ତି, ସେ ଉପନୟନର ପୂର୍ବ୍ବେ କିମ୍ୱା ପରେ ସନ୍ନ୍ୟାସ ଗ୍ରହଣ କରିପାରନ୍ତି । ଅର୍ଥାତ୍‌ ଯେ ବ୍ୟକ୍ତିର ଜନ୍ମାନ୍ତରୀଣ ସୁକୃତିବଶତଃ ଉପନୟନ ବ୍ୟତିରେକେ ମଧ୍ୟ କୌଣସି କାରଣରୁ ବେଦାର୍ଥ ପରିଜ୍ଞାନ ହୁଏ, ସେହି ବ୍ୟକ୍ତି ଉପନୟନର ପୂର୍ବ୍ବେ ସକଳ ପରିତ୍ୟାଗ କରିବେ ।

 

‘‘ତଥା ସ୍ମର୍ଯ୍ୟନ୍ତେ ହି ଭରତୈତରେୟକ-

ଦୁର୍ବ୍ବାସୋ-ବ୍ୟାସ-ଶୁକାଦୟଃ

ପ୍ରାକ୍‌ ତ୍ୟାଗପକ୍ଷେ ଯାନି ବାଲ୍ୟେନ

ଦୁସ୍ତ୍ୟଜାନି ପିତରଂ ତ୍ୟଜେତ୍‌’’ ।

ଆ. ଖ ୫

ଅର୍ଥାତ୍‌ ଭରତ, ଐତରେୟ, ଦୁର୍ବ୍ବାସା, ବ୍ୟାସ, ଶୁକ ପ୍ରଭୃତି ବାଲ୍ୟକାଳରେ ଦୁସ୍ତ୍ୟଜ୍ୟ ପିତାମାତାଙ୍କୁ ପରିତ୍ୟାଗ କରିଥିଲେ । ଆଉମଧ୍ୟ ଅନ୍ୟ ଅନ୍ୟ ଅବସ୍ଥାରେ ବୈରାଗ୍ୟ ଜନ୍ମିଲେ ଜିଜ୍ଞାସାଦ୍ୱାରା ଜ୍ଞାନପ୍ରାପ୍ତ ହୋଇ, ପତି, ପିତା, ପୁତ୍ତ୍ର, କଳତ୍ର, ଅଗ୍ନି, ଉପବୀତ, ଗୃହକ୍ଷେପୁତ୍ତ୍ରାଦି ଯେ ଯେ ବସ୍ତୁ ସ୍ୱଭାବ-ପ୍ରିୟ ତାହାମଧ୍ୟ ପରିତ୍ୟାଗ କରିବେ । ଉକ୍ତ ରୂପ ତ୍ୟାଗକୁ ‘ବିବିଦିଷା’ ସନ୍ନ୍ୟାସ ବୋଲି କହିଅଛନ୍ତି ।

ତ୍ୟାଗ ସମୟରେ ଗୃହବାସୀଗଣ ଶୋକତ୍ୟାଗ କରିବାର ବିବରଣ-

ଅନୁବ୍ରଜନ୍ନାସ୍ରମାପାତୟେତ୍‌ ଯଦମ୍ର-

ମାପାତୟେତ୍‌ ପ୍ରଜାଂ ବିଦ୍ୟାଂ ଚ୍ଛିନ୍ଦ୍ୟାତ୍‌

ପ୍ରଦକ୍ଷିଣାମାବୃତ୍ୟ ଏତଚ୍ଚୈତଚ୍ଚାନ-

ବେକ୍ଷମାଣଃ ପ୍ରତ୍ୟାୟନ୍ତି ସ ସ୍ଵର୍ଗୋ ଭବତି

ସ ସ୍ୱର୍ଗୋ ଭବତି । କଠଶ୍ରୁତ୍ୱପନିଷତ୍‌ । ୩ । ୪ ।

 

ପିତା ଯେ ସମୟେ ସନ୍ନ୍ୟାସୀ ହୋଇ ପ୍ରସ୍ଥାନ କରିବେ, ସେ ସମୟରେ ପୁତ୍ତ୍ର ବହୁଦୂର ତାହାର ଅନୁଗମନ କରିବ ନାହିଁ । କିଂବା ପିତାର ନିମିତ୍ତ ଶୋକ କରିବ ନାହିଁ । ପିତାଙ୍କ ପ୍ରସ୍ଥାନ କାଳରେ ପୁତ୍ତ୍ରର ଅଶ୍ରୁପାତ କରିବା ଅକର୍ତ୍ତବ୍ୟ । ଯଦି କେହି ପିତାଙ୍କ ପ୍ରସ୍ଥାନ କାଳରେ ଅଶ୍ରୁପାତ କରେ ତାହାର ସନ୍ତାନ ଓ ବିଦ୍ୟା ଉଭୟହିଁ ନଷ୍ଟ ହୁଏ । ଅତଏବ ଜନସମୀପ ପର୍ଯ୍ୟନ୍ତ ଗମନକରି ନିବୃତ୍ତ ହେବ, ଏବଂ ପ୍ରଦକ୍ଷିଣପୂର୍ବ୍ବକ ପିତାଙ୍କୁ ନମସ୍କାର କରି ପ୍ରତିନିବୃତ୍ତ ହେବ । ପରେ ବୃକ୍ଷ, ଆରାମ, ତଡ଼ାଗାଦି, ଅବଲୋକନ ନ କରି ଗମନ କରିବ । ଯାହାର ପ୍ରସ୍ଥାନ କାଳରେ ପୁତ୍ତ୍ରାଦିମାନେ ଶୋକପରିତ୍ୟାଗ କରନ୍ତି ସେ ମୋକ୍ଷପଦ ଲାଭ କରିପାରନ୍ତି ।

 

ଏହି ଅବଧୂତ ସନ୍ନ୍ୟାସାଶ୍ରମରେ ବ୍ରହ୍ମଣ କ୍ଷତ୍ତ୍ରିୟାଦି ପ୍ରଭୃତି ସମସ୍ତଜାତି ଅଧିକାରୀ ଅଟନ୍ତି:-

 

ବ୍ରାହ୍ମଣକ୍ଷତ୍ତ୍ରିୟୌ ବୈଶ୍ୟଃ ଶୂଦ୍ରଃ ସାମାନ୍ୟ ଏବଚ ।

କୁଳାବଧୂତସଂସ୍କାରେ ପଞ୍ଚନାମଧିକାରିତା ।

ମହାନି: ୮ । ୨୨୫

 

କୁଳାବଧୃତ (ବ୍ରହ୍ମାବଧୂତ) ସଂସ୍କାର ବିଷୟରେ ବ୍ରାହ୍ମଣ, କ୍ଷତ୍ତ୍ରିୟ, ବୈଶ୍ୟ, ଶୂଦ୍ର ଓ ସାମାନ୍ୟ ଜାତି ଏହି ପାଞ୍ଚ ବର୍ଣ୍ଣରହିଁ ଅଧିକାର ଅଛି ।

 

ପୁନଶ୍ଚ ଗୁରୁମହିମା ଗୋସାଇଁ ଆଜ୍ଞା କରିଅଛନ୍ତି ଯେ, ତ୍ୟାଗୀବ୍ୟକ୍ତି ଅବଧୂତାଶ୍ରମ ସନ୍ନ୍ୟାସୀଙ୍କ ସମୀପକୁ ଯାଇ ପ୍ରାର୍ଥନାପୂର୍ବ୍ବକ ସନ୍ନ୍ୟାସ ଗ୍ରହଣର ବୃତ୍ତାନ୍ତ ଜଣାଇବେ ।

 

ଯଥା:-

 

ମୁକ୍ତଃ ସଂସାରପାଶେଭ୍ୟଃ ପରମାନନ୍ଦନିର୍ବୃତ୍ତଃ ।

କୁଳାବଧୂତଂ ବ୍ରହ୍ମଜ୍ଞଂ ଗତ୍ଵା ସଂପ୍ରାର୍ଥ ୟେଦିଦମ୍‌ ।

ଗୃହାଶ୍ରମେ ପରବ୍ରହ୍ମନ୍‌ ମମେତଦ୍ୱିଗତଂ ବୟଃ ।

ପ୍ରସାଦଂ କୁରୁମେ ନାଥ ସନ୍ନ୍ୟାସଗ୍ରହଣଂ ପ୍ରତି ।

ମହନିର୍ବ୍ବାଣତନ୍ତ୍ର ୮ । ୨୨୯ । ୨୩୦

 

ଅନନ୍ତର ସଂସାର-ପାଶରୂପ ବନ୍ଧନରୁ ମୁକ୍ତ ହୋଇ ପରମ ଆନନ୍ଦପୂର୍ଣ୍ଣ ଓ ନିବୃତ୍ତ ହୃଦୟରେ କଳାବଧୂତ ବ୍ରହ୍ମଜ୍ଞ ବ୍ୟକ୍ତିର ନିକଟକୁ ଯାଇ ଏହିରୂପ ପ୍ରାର୍ଥନା କରିବ ଯେ ପରମବ୍ରହ୍ମନ୍‌ ? ଗୃହସ୍ଥାଶ୍ରମରେ ଅବସ୍ଥାନପୂର୍ବ୍ବକ ମୋହର ଏହି ବୟସ ଅତିବାହିତ ହୋଇଅଛି । ନାଥ ! ମୁଁ ବର୍ତ୍ତମାନ ସନ୍ନ୍ୟାସ ଗ୍ରହଣ ନିମିତ୍ତ ଉପସ୍ଥିତ ହୋଇଅଛି, ମୋହର ପ୍ରତି ପ୍ରସନ୍ନ ହୁଅନ୍ତୁ-

 

ଅବଧୂତାଶ୍ରମ ସନ୍ନ୍ୟାସ ଗ୍ରହଣ ନିମିତ୍ତ ଯଦ୍ରୂପ ଗୁରୁ ଆଜ୍ଞା କରିଅଛନ୍ତି, ଶ୍ରୁତିଶାସ୍ତ୍ର ବଚନାନୁସାରେ ତଦନୁଯାୟୀ ଲେଖାଗଲା । ଉକ୍ତ ଅବଧୂତାଶ୍ରମ ସନ୍ନ୍ୟାସପନ୍ଥାକୁ ଗୁରୁଦେବ ବେନି ଭାଗରେ ବିଭକ୍ତ କରିଅଛନ୍ତି:-

 

ଅପର ବୈରାଗ୍ୟ ସନ୍ନ୍ୟାସ ଓ ପର ବୈରାଗ୍ୟ ସନ୍ନ୍ୟାସ । ପ୍ରଥମେ ବିଷୟ ବାସନାରେ ବୈରାଗ୍ୟ ଜନ୍ମିଲେ ତ୍ୟାଗୀ ହୋଇ ଯେଉଁ ସନ୍ନ୍ୟାସ ଆଶ୍ରମ ଗ୍ରହଣ କରିବାକୁ ହୁଏ ତାହାକୁ ଅପର ବୈରାଗ ସନ୍ନ୍ୟାସ ବା ମଧ୍ୟ ଶରଣତ୍ୱ ବୋଲାଯାଏ ।

 

ତତ୍ପରେ ସମାଧି ‘ସାଧନ ସମ୍ପତ୍ତି’ ମୁମୁକ୍ଷୁତ୍ଵ ପ୍ରଭୃତିରେ ଯୁକ୍ତ ହୋଇ ତତ୍ତ୍ୱବିବେକରେ ଅଧିକାର ଜନ୍ମିଲାପର ଗୁରୁଙ୍କଠାରୁ ତତ୍ତ୍ୱମସ୍ୟାଦି ମହାବାକ୍ୟ ଉପଦେଶଦ୍ୱାରା ‘ସୋଽହଂ’ ଅର୍ଥାତ୍‌ ‘ଅହଂବ୍ରହ୍ମାସ୍ମି’ ଭାବ ଜନ୍ମିଲେ ଯେଉଁ ସନ୍ନ୍ୟାସ ତାହାକୁ ‘ପର’ ବୈରାଗ୍ୟ ସନ୍ନ୍ୟାସ ବା ‘‘ଅତିମାତ୍ର ଶରଣ’’ ବୋଲାଯାଏ । ଏହି ଦ୍ୱିବିଧ ବୈରାଗ୍ୟର ବିବରଣ ମହାତ୍ମା ପତଞ୍ଜଳି କହିଅଛନ୍ତି:-

 

ଦୃଷ୍ଟାନୁଶ୍ରବିକ-ବିଷୟ-ବିତୃଷ୍ଣସ୍ୟ

ବଶୀକାର-ସଜ୍ଞା ବୈରାଗ୍ୟମ୍‌ ।

ପାତଞ୍ଜଳ ଦଃ ସଃ ସୁ ୧୫

 

ଅନ୍ନ, ପାନୀୟ, ମାଳା, ଚନ୍ଦନ, କାମିନୀ, କାଞ୍ଚନ ପ୍ରଭୃତି (ଦୃଷ୍ଟ) ଦେଖା ଯାଉଥିବା ବିଷୟସୁଖ ଓ ଶାସ୍ତ୍ରରୁ (ଆନୁଶ୍ରବିକ) ଶୁଣାଯାଉଥିବା ଅମୃତ, ଅପ୍ସରା ଓ ସ୍ୱର୍ଗାଦି ବିଷୟସୁଖ, ଏହି ଦେଖା ଓ ଶୁଣା ଦୁଇପ୍ରକାର ବିଷୟ ସୁଖରୁ ସମ୍ପୂର୍ଣ୍ଣରୂପେ ସ୍ପୃହାତ୍ୟାଗ କରିପାରିଲେ ବଶୀକାର ନାମକ ବୈରାଗ୍ୟ ଜାତ ହୁଏ ।

 

ସଂକ୍ଷେପରେ କହିବାକୁ ହେଲେ ଇହକାଳ ଓ ପରକାଳ ସୁଖ ଭୋଗ ଇଚ୍ଛା ତ୍ୟାଗର ନାମ ‘ବୈରାଗ୍ୟ’ ଏହାକୁ ‘‘ଅପର‘‘ ବୈରାଗ୍ୟ ବୋଲାଯାଏ ।

 

ସିଦ୍ଧ ଗୁରୁ ତ୍ୟାଗୀ ବ୍ୟକ୍ତିର ଉପରୋକ୍ତ ନିୟମାନୁସାରେ ବୈରାଗ୍ୟର ବିଷୟ ବୁଝି ଗୁରୁପୀଠ (୫୮) ସ୍ଥାନରେ ଶିଖା, ଉପବୀତ, ମାଳା ଓ ବସ୍ତ୍ର ଅଙ୍ଗର ତ୍ୟାଗ କରାଇ ବ୍ରାହ୍ମମୁହୂର୍ତ୍ତ ସମୟରେ ଉପରୋକ୍ତ ଅପର ବୈରାଗ୍ୟର ସାଧନ ବିଷୟ ବୁଝାଇ ନୂତନ ଡୋର ଓ ଗୈରିକ ବସ୍ତ୍ରର କୌପୀନ ଗ୍ରହଣ ନିମିତ୍ତ ଆଦେଶ ଦେବେ ।

      (୫୮) ଏହି ମହିମାଧର୍ମର ଗୁରୁପୀଠ ସ୍ୱାନ, ଢେଙ୍କାନାଳ ଯୋରନ୍ଦା ଅନନ୍ତକ୍ଷେତ୍ର ମହିମା ଗାଦି ।

ଶିଷ୍ୟ ତଦନୁଯାୟୀ ଗୁରୁ ବାକ୍ୟାନୁସାରେ ଅଙ୍ଗରୁ ପୂର୍ବ୍ବ ଭୂଷଣ ତ୍ୟାଗକରି ଡୋରକୌପୀନ ପରଂବ୍ରହ୍ମଙ୍କୁ ଅର୍ପଣ କରି ଧାରଣପୂର୍ବ୍ବକ ସିଦ୍ଧ ଗୁରୁଜନଙ୍କ ଆଜ୍ଞାରେ ନିଯୁକ୍ତ ରହିବ ଓ ସିଦ୍ଧଗୁରୁ ଉକ୍ତ ବ୍ୟକ୍ତିର ନାମରେ ଦାସ ଶବ୍ଦ ଉପାଧି ଦେଇ ଆହ୍ୱାନ କରିବେ । ଉପରୋକ୍ତ ବିଷୟର ପ୍ରମାଣ :-

 

ନିବୃତ୍ତଗୃହକର୍ମାଣାଂ ବିଚାର୍ଯ୍ୟ ବିଧିବଦ୍‌ ଗୁରୁଃ

ଶାନ୍ତଂ ବିବେକିନଂ ବୀକ୍ଷ୍ୟ ଦ୍ୱିତୀୟାଶ୍ରମମାଦିଶେତ୍‌ ।

ମହା ନି: ୮। ୨୩୧

ଅନନ୍ତର ଗୁରୁ ତାହାର ଗୃହସ୍ଥାଶ୍ରମର କର୍ତ୍ତବ୍ୟ କାର୍ଯ୍ୟ ସମୁଦାୟ ନିବୃତ୍ତ ହୋଇଅଛି କି ନାହିଁ, ବିଚାର କରି ଏବଂ ତାହାକୁ (ପରୀକ୍ଷାପୂର୍ବ୍ବକ)ପ୍ରକୃତ ପ୍ରସ୍ତାବରେ ଶାନ୍ତ ଓ ବିବେକ ଯୁକ୍ତ ଦେଖି ଦ୍ୱିତୀୟ ଆଶ୍ରମ ଗ୍ରହଣ କରିବାକୁ ଆଦେଶ ଦେବେ ।

ଅଥ ପରିବ୍ରାଡ଼ ବିବର୍ଣ୍ଣବାସା ମୁଣ୍ଡୋଽପରିଗ୍ରହଃ

ଶୁଚିରଦ୍ରୋହୀ ଭୈକ୍ଷଣୋ ବ୍ରହ୍ମଭୂପାୟ ଭରତୀତି ।

ଜାବାଳୋପନିଷତ୍‌ ୧୫ ।

 

ଯେଉଁମାନେ ପରିବ୍ରଜ୍ୟା ଅର୍ଥାତ୍‌ ସନ୍ନ୍ୟାସ ଆଶ୍ରୟ କରିବେ ସେମାନେ ଗୈରିକ କୌପୀନ ପରିଧାନ କରି ମସ୍ତକ ମୁଣ୍ଡନପୂର୍ବ୍ବକ ଅପରିଗ୍ରହ ହେବେ, ଅର୍ଥାତ୍‌ ସ୍ତ୍ରୀ ପୁପୁତ୍ତ୍ରାଦିର ସଂସର୍ଗ ପରିତ୍ୟାଗ କରିବେ । ଅନନ୍ତର ବାହ୍ୟ ଓ ଅନ୍ତଃଶୁଦ୍ଧ ସାଧନ ପୁରଃସର ଦ୍ରୋହ ପରିତ୍ୟାଗ କରିବେ, ଏବଂ ନିୟତ ଲୋକ ସମାଗମଶୂନ୍ୟ ହୋଇ ବ୍ରହ୍ମୋପାସନା କଲେ ବ୍ରହ୍ମ ଭାବକୁ ପ୍ରାପ୍ତ ହେବେ ।

 

ସର୍ବ୍ବଂ ଗୃହାଦିକଂ ତ୍ୟକ୍ର୍ୱା ମୁଣ୍ଡିତମୁଣ୍ଡୋ

ଗୈରିକ-କୌପୀନାଚ୍ଛ ଦନଂ ଚ ।

(ଆତ୍ମତତ୍ତ୍ୱ ଦର୍ଶନ)

 

ଅପର ସନ୍ନ୍ୟାସୀ ଗୃହାଦି ସମୁଦାୟ ପରିତ୍ୟାଗ କରି ମସ୍ତକ ମୁଣ୍ଡନପୂର୍ବ୍ବକ ଗୈରିକ ରଞ୍ଜିତ କୌପୀନ ଆଚ୍ଛାଦନ କରିବେ ।

 

ଅସୌ ସ୍ୱପୁତ୍ତ୍ରମିତ୍ରକଳତ୍ରବନ୍ଧ୍ୱାଦୀନଶିଖାଂ ଯଜ୍ଞୋପବୀତଞ୍ଚ

ଯାଗଞ୍ଚ ସ୍ୱାଧ୍ୟାୟଞ୍ଚ ସର୍ବ୍ବକର୍ମାଣି ସନ୍ୟସ୍ୟାୟଂ ବ୍ରହ୍ମାଣ୍ଡଞ୍ଚ

ହିତ୍ଵା କୌପୀନଂ ଦଣ୍ଡ ମାଚ୍ଛାଦନଞ୍ଚ ସ୍ୱଶରୀରସ୍ଥୋପଭୋଗ ।

ର୍ଥାୟା ଚ ଲୋକସ୍ୟୋପକାରାର୍ଥାୟ ଚ ପରିଗ୍ରହେତ୍‌

ପରମହଂସୋପନିଷତ୍‌ ୪ ।

 

ପରମହଂସ ବ୍ୟକ୍ତି ଜନକ ଜାଜ୍ଞ୍ୟବଲ୍କ୍ୟଙ୍କ ତୁଲ୍ୟ ଗୃହସ୍ଥା-ବସ୍ଥାରେ ଜ୍ଞାନବାନ୍‌ ହୋଇ ଚିତ୍ତ ବିଶ୍ରାନ୍ତି ବୃଦ୍ଧିର ନିମିତ୍ତ ସ୍ୱପୁତ୍ତ୍ର, ମିତ୍ର, କଳତ୍ର, ବନ୍ଧୁବାନ୍ଧବ, ଶିଖା, ଯଜ୍ଞୋପବୀତ, ଯାଗ, ସ୍ୱଧ୍ୟାୟଦି ସର୍ବ୍ବ କର୍ମ ପରିତ୍ୟାଗପୂର୍ବକ, ବ୍ରହ୍ମାଣ୍ଡର ସର୍ବ୍ବ ସମ୍ୱନ୍ଧ ପରିତ୍ୟାଗ କରି ଶରୀର ଉପଯୋଗାର୍ଥ ଏବଂ ଲୋକୋପକାରାର୍ଥ ଦଣ୍ଡ ଓ କୌପୀନ ଆଚ୍ଛାଦନ ଗ୍ରହଣ କରିବେ ।

 

କୌପୀନାଚ୍ଛାଦନମାତ୍ରମେବ ବସନମାଦଦ୍ୟାତ୍‌ ।

                  ବିଷ୍ଣୁ ସଂହିତା ୬୯ । ୧୩

 

ଅପର ସନ୍ନ୍ୟସୀ କୌପୀନ ଆଚ୍ଛାଦନ ମାତ୍ରହିଁ ବସ୍ତ୍ର ଗ୍ରହଣ କରିବେ ।

ଆଉ ମଧ୍ୟ ସନ୍ନ୍ୟାସିର ତ୍ୟାଗ ବିଷୟରେ ଏହିରୂପ ମମତା ଶୂନ୍ୟ ହେବା ସମୁଚିତ । ‘‘ଛନ୍ନହସ୍ତବଦବା’’ ସାଙ୍ଖ୍ୟ ୪ । ସୂ ୭ । ଯେପରି କୌଣସି ବ୍ୟକ୍ତି ଚ୍ଛିନ୍ନହସ୍ତ ଗ୍ରହଣ କରେ ନାହିଁ, ତହିରେ ମମତ୍ୱାଭିମାନ ରଖେ ନାହିଁ । ସେହିପରି ମୁମୁକ୍ଷମାନେ ଏ ସକଳ ତ୍ୟାଗ କରି ମମତାଶୂନ୍ୟ ହୁଅନ୍ତି ।

 

ଦାସ ଶବ୍ଦର କାରଣ ଏହି ଯେ ପର୍ଯ୍ୟନ୍ତ ଜୀବବ୍ରହ୍ମର ଅଭେଦ ଜ୍ଞାନ ନ ଜନ୍ମେ ସେ ପର୍ଯ୍ୟନ୍ତ ଜୀବର ଭକ୍ତିଦ୍ୱାରା ବ୍ରହ୍ମଙ୍କୁ ପୃଥକ୍‌ଭାବେ ଭାବନା କରିବା ସମୁଚିତ ।

 

ତମସ୍ମିନ ପ୍ରତ୍ୟଗାତ୍ମାନଂଧିୟା ଯୋଗପ୍ରବୃତ୍ତୟା

ଭକ୍ତ୍ୟା ବିରକ୍ତ୍ୟା ଜ୍ଞାଚେନ ବିଚିନ୍ତ୍ୟାତ୍ମନି ଚିନ୍ତୟେତ୍‌ ।

ଭା ୩ । ୨୬ । ୭୦

 

ଯୋଗଯୁକ୍ତ ବୁଦ୍ଧି, ଭକ୍ତି ଓ ବୈରାଗ୍ୟ ଏବଂ ଜ୍ଞାନଦ୍ୱାରା ଆତ୍ମାରେ ପରମାତ୍ମାଙ୍କୁ ପୃଥକ୍‌ରୂପେ ଚିନ୍ତା କରିବ ।

 

ଉକ୍ତ ଅନ୍ୟାନ୍ୟ ବିଷୟ ଚିନ୍ତା ନ କରି ଏକ ଅଦ୍ୱିତୀୟ ପରମାତ୍ମାଙ୍କୁ ଚିନ୍ତା କରିବାରୁ ସେ: ପ୍ରଭୁଙ୍କର ଦାସ ଅଟେ । ଏହି ନିମିତ୍ତ ପ୍ରଭୁଙ୍କର ଭୃତ୍ୟ ବ୍ୟକ୍ତିର ନାମରେ ଦାସ ଶବ୍ଦ, ପ୍ରୟୋଗ କରାଯାଏ । ଆଉ ମଧ୍ୟ ଉକ୍ତ ଅଛି ଯେ:-

 

‘‘ଦୀୟତେଽସ୍ମୈ ସ୍ୱାମିନା ସର୍ବ୍ବଂ

ଯଥାଭିଳଷିତମିତି ଦାସଃ । ’’

ପ୍ରତ୍ୟଭିଜ୍ଞା ଦର୍ଶନ ।୩।

 

ସ୍ୱାମୀକର୍ତ୍ତୃଙ୍କ ସର୍ବ୍ବବିଧ ଅଭିଳଷିତ ଯାହାଙ୍କୁ ଦିଆଯାଏ ତାହାର ନାମ ଦାସ ।

ସନ୍ନ୍ୟାସୀ ଉପରୋକ୍ତ ବିଧିମତେ ଦଣ୍ଡ କୌପୀନ ଗ୍ରହଣ ପୂର୍ବ୍ବକ ସାଧନ ଚତୁଷ୍ଟୟସିଦ୍ଧିପରେ ତତ୍ତ୍ୱବିବେକରେ ଅଧିକାରୀ ହେବେ । ଯଥା-

 

ସାଧନଚତୁଷ୍ଟୟଂ କିମ୍‌? ନିତ୍ୟାନିତ୍ୟବସ୍ତୁବିବେକଃ ।୧।

ଇହାମୂପୁତ୍ତ୍ରାର୍ଥଫଳଭୋଗବିରାଗଃ ।୨।

ସମାଧି ଷଟ୍‌ସମ୍ପତ୍ତି ।୩। ମୁମୁକ୍ଷୁତ୍ୱଂ ଚେତି ।୪।

ତତ୍ତ୍ୱବୋଧ ।

 

ସାଧନ ଚତୁଷ୍ଟୟ କାହାକୁ ବୋଲି ? ନିତ୍ୟ ଓ ଅନିତ୍ୟ ଏହି ବସ୍ତୁ ଦ୍ୱୟରେ ବିବେକ । ଇହଲୋକ ଓ ପରଲୋକରେ ଯେଉଁ ଫଳ ଭୋଗ ତହିଁରେ ବରାଗ ।

 

ସାମଧି ଛ ପ୍ରକାର ସମ୍ପତ୍ତି, ମୁକ୍ତହେବାର ଇଚ୍ଛା । ଉକ୍ତ ସାଧନ ଚତୁଷ୍ଟୟ ମଧ୍ୟରୁ ପ୍ରଥମ ଦ୍ୱିତୀୟ ସାଧନର ବିବରଣ ବର୍ଣ୍ଣିତ ହୋଇଅଛି । ଅଧୁନା ତୃତୀୟ ଚତୁର୍ଥ ସାଧନର ବିବରଣ ବର୍ଣ୍ଣିତ ହେଉଅଛି ।

 

ସମାଧୟ ସ୍ତୁଶଂମଦମୋପରତ-

ତିତିକ୍ଷା-ସମାଧାନଶ୍ରଦ୍ଧାଃ ।

ବେଦାନ୍ତସାର ।୧୧

 

ଶମ, ଦମ, ଉପରତି, ତିତିକ୍ଷା, ସମାଧାନ ଓ ଶ୍ରଦ୍ଧା ଏହି ଛଗୋଟି ସମାଧି ନାମରେ କଥିତ ହୁଅନ୍ତି ।

ଶମସ୍ତାବତ୍‌ ଶ୍ରବଣାଦିବ୍ୟତିରିକ୍ତ-

ବିଷୟେଭ୍ୟୋ ମନୋନିଗ୍ରହଃ । ୧୨

 

ରୂପ, ରସ, ଗନ୍ଧ, ସ୍ପର୍ଶ ଓ ଶବ୍ଦ ପ୍ରଭୃତି ଇନ୍ଦ୍ରୟ ଗ୍ରାହ୍ୟ ପଦାର୍ଥମାନଙ୍କୁ ବିଷୟ କହନ୍ତି । ସେହି ବିଷୟମାନଙ୍କରୁ ମନ ଅର୍ଥାତ୍‌ ଅନ୍ତରିନ୍ଦ୍ରିୟକୁ ନିଗ୍ରହ କରିବାର ନାମ ଶମ । ଏହା ଈଶ୍ୱର ବିଷୟକ ଶ୍ରବଣ, ମନନ ଓ ନିଦିଧ୍ୟାସନ ଆଦିରୁ ପୃଥକ୍‌ ।

 

ଦମଃ ବହ୍ୟେନ୍ଦ୍ରିୟାଣାଂ ତଦ୍ୱ୍ୟତିରିକ୍ତ-ବଷୟେଭ୍ୟୋ

                        ନିବର୍ତ୍ତନମ୍‌ ।୧୩।

 

ଇନ୍ଦ୍ରିୟମାନଙ୍କୁ ଆପଣା ଆପଣାଇ ବିଷୟ ଭୋଗରୁ ନିବୃତ୍ତ କରିବାର ନାମ ଦମ ।

 

ଏହା ଈଶ୍ୱର ବିଷୟକ ଶ୍ରବଣ ମନନାଦିଠାରୁ ପୃଥକ୍‌ ।

ନିବର୍ତ୍ତିତାନାମେତେଷାଂ ତଦ୍ୱୀତିରିକ୍ତ-

ବିଷୟେଭ୍ୟ ଉପରମଣମୁପରତିଃ ।

 

ଅଥବା ବିହିତାନାଂ କର୍ମଣାଂ ବିଧିନା ପରିତ୍ୟାଗଃ ଉପରତିଃ ।୧୪।

 

ପୂର୍ବ୍ବୋକ୍ତ ବିଷୟମାନଙ୍କରୁ ନିବୃତ୍ତ ହୋଇଥିବା ଇନ୍ଦ୍ରିୟମାନଙ୍କୁ ଦମନ କରିବା, ଅଥବା ବିଧିବାକ୍ୟଦ୍ୱାରା ଅନୁଷ୍ଠିତ ବିହିତକର୍ମମାନଙ୍କରୁ ବିଧିମତେ ନିବୃତ୍ତ ହେବାକୁ ଅର୍ଥାତ୍‌ ଉକ୍ତ କର୍ମମାନ ତ୍ୟାଗ କରିବାକୁ ଉପରତି କହନ୍ତି ।

 

ତିତିକ୍ଷା ଶୀତୋଷ୍ଣାଦି ଦ୍ୱନ୍ଦ୍ୱସହିଷ୍ଣୁତା ୧୫

ଶୀତ, ଉଷ୍ଣ, ସୁଖ, ଦୁଃଖ, ଶୋକ, ହର୍ଷ, ମାନ, ଅପମାନ ଓ ଲାଭ କ୍ଷତି ପ୍ରଭୃତିର ସରସ୍ପର ବିରୁଦ୍ଧ ବିଷୟ ସମସ୍ତ ସହ୍ୟ କରିବାକୁ ତିତିକ୍ଷା କହନ୍ତି । ଅର୍ଥାତ୍‌ ପ୍ରିୟ ବିଷୟ ଲାଭରେ ଅତ୍ୟନ୍ତ ହର୍ଷ ଓ ଅପ୍ରିୟ ଘଟଣାରେ ଅତ୍ୟନ୍ତ ବିମର୍ଷ ନ ହୋଇ ଉଭୟକୁ ସମାନ ଜ୍ଞାନ କରିବାକୁ ତିତିକ୍ଷା କହନ୍ତି ।

 

ସମାଧାନଂ କିଂ ? ଚତ୍ତୈକାଗ୍ରତା । ତତ୍ତ୍ୱବୋଧ । ସମାଧାନ କାହାକୁ କହନ୍ତି? ଚିତ୍ତର ଏକାଗ୍ରତା । ଶ୍ରଦ୍ଧା କା ? ଗୁରୁବେଦାନ୍ତବାକ୍ୟେଷୁ ବିଶ୍ୱାସଃ । ଶ୍ରଦ୍ଧା କାହାକୁ ବୋଲି ? ଗୁରୁବେଦାନ୍ତ ବାକ୍ୟମାନଙ୍କରେ ଦୃଢ଼ ବିଶ୍ୱାସ ।

 

 

 

ମୁମୁକ୍ଷୁତ୍ୱଂ ମୋକ୍ଷେଚ୍ଛା । ବେଦାନ୍ତସାର ।୧୮

ମୋକ୍ଷ ହେବାର ଇଚ୍ଛାକୁ ମୁମୁକ୍ଷତ୍ୱ କହନ୍ତି ।

ଏତତ୍ସାଧନଚତୁଷ୍ଟୟସମ୍ପନ୍ନା ସ୍ତତ୍ତ୍ୱବିବେକେଷ୍ୱଧିକାରିଣୋ ଭବନ୍ତି ।

ଉପରାଙ୍କିତ ସାଧନ ଚତୁଷ୍ଟୟ ସମ୍ପନ୍ନ ବ୍ୟକ୍ତିମାନେ ତତ୍ତ୍ୱବିବେକରେ ଅଧିକାରୀ ହୁଅନ୍ତି-

 

ତତ୍ତ୍ୱବିବେକଃ କଃ? ଆତ୍ମାସତ୍ୟଂତଦନ୍ୟତ୍ସର୍ବଂମିଥ୍ୟେତି ଜ୍ଞାନମେବ ।

ତତ୍ତ୍ୱବିବେକ କାହାକୁ ବୋଲି ? ଆତ୍ମା ସତ୍ୟ ତଦ୍‌ଭିନ୍ନ (ସଂସାର) ମିଥ୍ୟା, ଏହି ଯେ ଜ୍ଞାନ ସେ ତତ୍ତ୍ୱବିବେକ ।

 

ଆତ୍ମା କଃ ? ସ୍ଥୂଳ-ସୂକ୍ଷ୍ମକାରଣ-ଶରୀରାଦ୍ୱ୍ୟତିରିକ୍ତଃପଞ୍ଚ-କୋଷାତୀତଃ ସନ୍‌ ଅବସ୍ଥାତ୍ରୟ-ସାକ୍ଷୀ ସଚ୍ଚିଦାନନ୍ଦ-ସ୍ୱରୂପଃ ସନ୍‌ ଯସ୍ତିଷ୍ଠତି ସ ଆତ୍ମା ।

 

ଆତ୍ମା କାହାକୁ ବୋଲି ? ସ୍ଥୂଳ ଓ ସୂକ୍ଷ୍ମକାରଣ ଏହି ଶରୀର କ୍ରିତୟରୁ ଭିନ୍ନ ଓ ପଞ୍ଚକୋଷରୁ ଅତୀତ ଏବଂ ଅବସ୍ଥାତ୍ରୟ ଅର୍ଥାତ୍‌ (ଜାଗ୍ରତ, ସ୍ୱପ୍ନ, ସୁଷୁପ୍ତି)ର ସାକ୍ଷୀ ସଚ୍ଚିଦାନନ୍ଦସ୍ୱରୂପ ଯେ ବସ୍ତୁ ସେ ଆତ୍ମା ।

 

ସ୍ଥୁଳଶରୀରଂ କିଂ ? ପଞ୍ଚୀକୃତ-ପଞ୍ଚମହାଭୂତୈଃକୃତଂ ସତ୍‌କର୍ମଜନ୍ୟଂ ସୁଖ-ଦୁଃଖ-ଭୋଗାୟତନଂ ଶରୀରମ୍‌ ଅସ୍ତି, ଜାୟତେ ବର୍ଦ୍ଧତେ ବିପରିଣମତେଽପକ୍ଷୀୟତେ ବିନଶ୍ୟତୀତି ଷଡ୍ଲାବବିକାରେ ର୍ଯୁକ୍ତଂ ଯତ୍ତତ୍‌ ସ୍ଥୂଳଂ ଶରୀରଂ ।

 

ସ୍ଥୁଳଶରୀର କାହାକୁ ବୋଲି ? ପଞ୍ଚୀକୃତ ପଞ୍ଚମହାଭୂତରୁ ଉତ୍ପନ୍ନ ଓ କର୍ମଜନ୍ୟ ସୁଖ ଦୁଃଖ ଭୋଗର ଆୟତନ ଓ ବିଦ୍ୟମାନତା, ଜନ୍ମ, ବୃଦ୍ଧି, ରୂପାନ୍ତର ପ୍ରାପ୍ତି କ୍ଷୟ ଓ ନାଶ ଇତ୍ୟାଦି ବିକାରମାନଙ୍କଦ୍ୱାରା ଯୁକ୍ତ ଯେ ସେ ସ୍ଥୂଳ ଶରୀର ।

ସୁକ୍ଷ୍ମଶରୀରଂ କିମ୍‌ ? ଅପଞ୍ଚୀକୃତପଞ୍ଚମହାଭୂତୈଃ କୃତଂ ସତ୍‌କର୍ମଜନ୍ୟଂ ସୁଖଦୁଃଖାଦି-ଭୋଗସାଧନଂ ପଞ୍ଚଜ୍ଞାନେନ୍ଦ୍ରିୟାଣି ପଞ୍ଚକର୍ମେନ୍ଦ୍ରିୟାଣି ।

ପଞ୍ଚପ୍ରାଣାଦୟଃ ମନଶ୍ଚୈକଂ ବୁଦ୍ଧି ଶ୍ଚୈକା ଏବଂ ସପ୍ତଦଶକଳ ଭିଃ ସହ ଯତ୍ତିଷ୍ଠତିତତ୍ସକ୍ଷ୍ମଶରୀରମ୍‌ ।

ସୂକ୍ଷ୍ମଶରୀର କାହାକୁ ବୋଲି ? ଅପଞ୍ଚୀକୃତ ସୁକ୍ଷ୍ମ ତନ୍ନାତ୍ର ପଞ୍ଚମହାଭୂତ (ପୃଥ୍ୱୀ, ଅପ, ତେଜ, ବାୟୁ, ଆକାଶ)ଦ୍ୱାରା ନିର୍ମିତ ଓ କର୍ମଜନ୍ୟ ସୁଖ ଦୁଃଖାଦି ଭୋଗ ସାଧନ ଓ ପୂର୍ବ୍ବେକ୍ତ ଜ୍ଞାନେନ୍ଦ୍ରିୟ ପଞ୍ଚକ (ଶ୍ରୋତ, ତ୍ଵକ୍, ଚକ୍ଷୁ, ରସନା, ଦାଣ) ଏବଂ କର୍ମେନ୍ଦ୍ରିୟ ପଞ୍ଚକ (ବାକ୍‌, ପାଣି, ପାଦ, ପାୟୁ, ଉପସ୍ଥ) ଓ ପଞ୍ଚପ୍ରାଣ (ପ୍ରାଣ, ଅପାନ, ସମାନ, ଉଦାନ, ବ୍ୟାନ) ଏବଂ ମନ, ବୁଦ୍ଧି ଇତ୍ୟାଦି ସପ୍ତଦଶ କଳାମାନଙ୍କ ସହିତ ଯେ ବସ୍ତୁ ସେ ସୁକ୍ଷ୍ମ ଶରୀର ।

କାରଣଶରୀରଂ କି ? ଅନିର୍ବ୍ବାଚ୍ୟାନାଦ୍ୟବିଦ୍ୟାରୂପଂ ଶରୀରଦ୍ୱୟସ୍ୟ କାରଣମାତ୍ରଂ ସତ୍ସ୍ୱରୂପାଽଜ୍ଞାନଂ ନିର୍ବ୍ବିକଳ୍ପକଂ ରୂପଂ ଯଦସ୍ତି ତତ୍କାରଣଶରୀରମ୍‌ ।

 

କାରଣ ଶରୀର କାହାକୁ ବୋଲି ? ଅକଥନୀୟ ଅନାଦି ଅବିଦ୍ୟାସ୍ୱରୂପ ଉଭୟ ଶରୀର ଅର୍ଥାତ (ସ୍ଥୂଳଶରୀର, ସୂକ୍ଷ୍ମଶରୀର) କାରଣ ମାତ୍ର ହୋଇ ସତ୍‌ ବି ନୁହେଁ ଓ ଅସତ୍‌ ବି ନୁହେଁ ନିର୍ବିକଳ୍ପକ ଯେ ଅଜ୍ଞାନ ସେ କାରଣ ଶରୀର ।

 

ଅବସ୍ଥା ତ୍ରୟଂ କିଂ ? ଜାଗ୍ରତ୍ସ୍ୱପ୍ନସଷୁପ୍ତ୍ୟବସ୍ଥା ।

ଅବସ୍ଥାତ୍ରୟ କାହାକୁ ବୋଲି ? ଜାଗ୍ରତ୍‌, ସ୍ୱପ୍ନ ସୁଷୁପ୍ତି ।

ଜାଗ୍ରଦବସ୍ଥା କା ?

ଶ୍ରୋପୁତ୍ତ୍ରାଦିଜ୍ଞାନେନ୍ଦ୍ରିୟୈଃ ଶବ୍ଦାଦି-

 

ବିଷୟୈଶ୍ଚ ଜ୍ଞାୟତେ ଇତି ଯତ୍‌ ।

ସା ଜାଗ୍ରଦବସ୍ଥା, ସ୍ଥୂଳାଶରୀରଭିମାନୀ ଆତ୍ମା ବିଶ୍ୱ ଇତଚ୍ୟତେ ।

 

ଜାଗ୍ରତାବସ୍ଥା କାହାକୁ ବୋଲି ? ଯେଉଁ ଅବସ୍ଥାରେ ଶ୍ରୋତ୍ର ଚକ୍ଷୁ, ଇତ୍ୟାଦି ଜ୍ଞାନେନ୍ଦ୍ରିୟଦ୍ୱାରା ଶବ୍ଦ ଆଦି ବିଷୟ ଜଣାଯାଏ, ସେ ଜାଗ୍ରତ୍‌ ଅବସ୍ଥା; ସ୍ଥୂଳଶରୀର ଜାଗ୍ରତ୍‌ ଅବସ୍ଥାରେ ଅଭିମାନୀ ଆତ୍ମାକୁ ବିଶ୍ୱ କହନ୍ତି ।

 

ସ୍ୱପ୍ନାବସ୍ଥାକେତିଚେତ୍‌ ? ଜାଗ୍ରଦବସ୍ଥାୟାଂ ଯଦ୍‌ଦୃଷ୍ଟଂ ଯଚ୍ଛ୍ରୁତଂ ତକ୍ଟନିତବାସନୟା ନିଦ୍ରାସମୟେ ଯଃ ପ୍ରପଞ୍ଚଃ ପ୍ରତୀୟତେ ସା ସ୍ୱପ୍ନାବସ୍ଥା ।

 

ସୂକ୍ଷ୍ମଶରୀରାଭିମାନୀ ଆତ୍ମା ତୈଜସ ଇତ୍ୟୁଚ୍ୟତେ ।

ସ୍ୱପ୍ନାବସ୍ଥା କାହାକୁ ବୋଲି ? ଜାଗ୍ରତ ଅବସ୍ଥାରେ ଯେ ଶବ୍ଦାଦିଜ୍ଞାନ ତାହାର ବାସନାଦ୍ୱାରା ଯେ ପ୍ରପଞ୍ଚ ଜ୍ଞାନ ସ୍ୱପ୍ନରେ ଆଭାସ ହୁଏ ସେ ସ୍ୱପ୍ନାବସ୍ଥା । ପୁନଶ୍ଚ ସୂକ୍ଷ୍ମଶରୀର ଓ ସ୍ୱପ୍ନାବସ୍ଥାରେ ଅଭିମାନୀ ଆତ୍ମାକୁ ତୈଜସ ବୋଲନ୍ତି ।

 

ଅତଃସୁଷୁ ପ୍ତ୍ୟାବସ୍ଥା କା ? ଅହଂ କିମପି ନ ଜାନାମି ସୁଖେନ ମାୟା ନିଦ୍ରାନୁଭୂୟତ ଇତି ସୁଷୁପ୍ତ୍ୟବସ୍ଥା । କାରଣ ଶରୀରାଭିମାନୀ ଆତ୍ମ ପ୍ରାଜ୍ଞ ଇତ୍ୟୁଚ୍ୟତେ ।

 

ସୁଷୁପ୍ତି ଅବସ୍ଥା କାହାକୁ ବୋଲନ୍ତି ? ମୁଁ କିଛି ଜାଣେନାହିଁ, ସୁଖରେ ନିଦ୍ରାନୁଭବ କଲି, ଏହି ଜ୍ଞାନକୁ ସୁଷୁପ୍ତି ଅବସ୍ଥା କହନ୍ତି । ଏତଦବସ୍ଥାରେ କାରଣ ଶରୀର ଅଭିମାନୀ ଆତ୍ମାକୁ ପ୍ରାଜ୍ଞ (୫୯) କହନ୍ତି ।

 

(୫୯) ଦର୍ଶନ ଶାସ୍ତ୍ରରେ ବ୍ୟଷ୍ଟି ଓ ସମଷ୍ଟି ବୋଲି ଦୁଇଟି ଶବ୍ଦ ବ୍ୟବହୃତ ହୁଏ । ତନ୍ନଧ୍ୟରୁ ସମଷ୍ଟି ଶବ୍ଦର ଅର୍ଥ ସମୁଦାୟ, ଯେପରି ବନ କହିଲେ ନାନାପ୍ରକାର ବୃକ୍ଷ, ଲତା, ଗୁଳ୍ମାଦି ବିଶିଷ୍ଟ ସ୍ଥାନ ବୁଝାଏ । ପୁଣି ‘‘ବ୍ୟଷ୍ଟି’’ ଶବ୍ଦର ଅର୍ଥ ‘ସମଷ୍ଟିର’ ଏକ ଏକ ଅଂଶ । ଯେପରି ବୃକ୍ଷ କହିଲେ ବନର ଅନ୍ତର୍ଗତ ଗୋଟିଏମାତ୍ର ଗଛ ବୁଝାଏ । ଯେଉଁ ଚୈତନ୍ୟ ସମଷ୍ଟି ଭାବରେ ସମସ୍ତ ସ୍ଥୁଳଶରୀରରେ ଅଛନ୍ତି ତାହାଙ୍କୁ ‘ବିରାଟ’ ବୋଲାଯାଏ । ସେହିପରି ‘ସମଷ୍ଟି’ ଭାବରେ ସମସ୍ତ ସୂକ୍ଷ୍ମ ଶରୀରରେ ଅଧିଷ୍ଠିତ ଚୈତନ୍ୟଙ୍କୁ ‘ହିରଣ୍ୟରେ’ ଓ ‘ସମଷ୍ଟି’ ଭାବରେ ସମସ୍ତ କାରଣ ଶରୀରରେ ଅଧିଷ୍ଠିତ ଚୈତନ୍ୟଙ୍କୁ ‘ଈଶ୍ୱର’ ବୋଲାଯାଏ । ବ୍ୟଷ୍ଟି ଭାବରେ ପ୍ରତ୍ୟେକ ସ୍ଥୂଳଶରୀରରେ ଅଧିଷ୍ଠିତ ଜାଗ୍ରଦବସ୍ଥାଭିମାନୀ ଚୈତନ୍ୟଙ୍କୁ ‘ବିଶ୍ୱ’ ବୋଲାଯାଏ ।

 

ସୂକ୍ଷ୍ମ ଶରୀରରେ ଅଧିଷ୍ଠିତ ଓ ସ୍ୱପ୍ନାବସ୍ଥାଭିମାନୀ ଚୈତନ୍ୟଙ୍କୁ ‘‘ତୈଜସ’’ ଓ କାରଣ ଶରୀରେ ଅଧିଷ୍ଠିତ ସୂକ୍ଷ୍ମପ୍ତିବସ୍ଥାଭିମାନୀ ଚୈତନ୍ୟଙ୍କୁ ‘ପ୍ରାଜ୍ଞ’ ବୋଲାଯାଏ । ଫଳକଥା ଏହି କି ଏକ ଆତ୍ମା ସମଷ୍ଟି ଭାବରେ ସ୍ଥୂଳ, ସୂକ୍ଷ୍ମ, ଓ କାରଣ ଶରୀରରେ ଅଧିଷ୍ଠିତ ହୋଇ ଯଥାକ୍ରମେ ବିରାଟ; ହିରେଣ୍ୟଗର୍ଭ ଓ ଈଶ୍ୱର ଏବଂ ବ୍ୟଷ୍ଟି ଭାବରେ ସ୍ଥୂଳ ସୂକ୍ଷ୍ମ ଓ କାରଣ ଶରୀରରେ ଅଧିଷ୍ଠିତ ହୋଇ ‘ବିଶ୍ୱ’ ‘ତେଜସ’ ଓ ‘ପ୍ରାଜ୍ଞ’ ନାମରେ କଥିତ ହୁଅନ୍ତି । ଏ ଜଗତ ଏହି ଛପ୍ରକାର ଚୈତନ୍ୟମୟ ହୋଇ ପ୍ରକାଶିତ ଅଛି ।

 

ଚୈତନ୍ୟର ଜ୍ୟୋତିଗ୍ରହଣ କରିବାକୁ ପ୍ରାଣୀ ଦେହରେ ଯେ ଏକପ୍ରକାର ଆଧାର ଅଛି ତାହାକୁ ‘‘ଆଭାସ’’ ଚୈତନ୍ୟ ବୋଲାଯାଏ । ସର୍ବ୍ବପ୍ରକାର ପଦାର୍ଥ ପ୍ରକାଶିତ କରି କାହିଁରେ ଲିପ୍ତ ନ ହୋଇ ଯେ ଏକ ନିର୍ବିକାର ଚୈତନ୍ୟ ଅଛନ୍ତି ତାହାଙ୍କୁ ‘କୂଟସ୍ଥ’ ଚୈତନ୍ୟ ବୋଲଯାଏ । ନୃତ୍ୟଶାଳାସ୍ଥିତ ‘ଦୀପ’ ଯେପରି ନର୍ତ୍ତକ, ବାଦକ, ଗାୟକ ଓ ଦର୍ଶକ ସମସ୍ତଙ୍କୁ ପ୍ରକାଶିତ କରି କାହିଁରେ ଲିପ୍ତ ନ ଥାଏ ଏବଂ ନର୍ତ୍ତକାଦି କେହି ନ ଥିଲେ ସୁଦ୍ଧା ସେ ଯେପରି ହ୍ରାସନ ହୋଇ ସମାନ ଭାବରେ ପ୍ରଦୀପ୍ତ ଥାଏ ସେହିପରି ଜଗତର ଉତ୍ପତ୍ତି ସ୍ଥିତି ଓ ଲୟ ଆଦି ସମସ୍ତ ଘଟନା ‘କୂଟସ୍ଥ’ ଚୈତନ୍ୟଙ୍କଦ୍ୱାରା ପ୍ରକାଶିତ । ଅଥଚ ସେ କାହିଁରେ ଲିପ୍ତ ନୁହନ୍ତି । ଏବଂ ଜଗତ ନଥିଲେ ସୁଦ୍ଧା ସେ କୂଟସ୍ଥ ଚୈତନ୍ୟ ସେହିପରି ସର୍ବ୍ବଦ ଦୀପ୍ତ ରହିବେ । ସୂର୍ଯ୍ୟ କିରଣ ବା ପ୍ରଦୀପର ଆଲୋକ ନ ଥିଲେ ନେତ୍ରର ଆଲୋକ ଯେପରି କୌଣସି ଦ୍ରବ୍ୟ ପ୍ରକାଶ କରିବାକୁ ସମର୍ଥ ହୁଏ ନାହିଁ ସେହିପରି କୂଟସ୍ଥ, ଚୈତନ୍ୟ ଅଭାବରେ ଆଭାସ ଚୈତନ୍ୟ କୌଣସି କାର୍ଯ୍ୟ କରିପାରନ୍ତି ନାହିଁ । ପୁଣି ଯେପରି ନେତ୍ର ଆଲୋକ ଅଭାବରେ କୌଣସି ଦ୍ରବ୍ୟ ଦେଖାଯାଏ ନାହିଁ; ସେହିପରି ଆଭାସ ଚୈତନ୍ୟ ନ ଥିଲେ କୂଟସ୍ଥ ଚୈତନ୍ୟଙ୍କଦ୍ୱାରା ପ୍ରକାଶିତ କୌଣସି ଦ୍ରବ୍ୟ ଜୀବ ବୁଝିପାରନ୍ତି ନାହିଁ । ଆଭାସ ଚୈତନ୍ୟ କୂଟସ୍ଥ ଚୈତନ୍ୟଙ୍କ ପ୍ରତିବିମ୍ୱ ଗ୍ରହଣ କରିବାର ଆଧାର ମାତ୍ର ଅଟେ ।

 

ଉପରୋକ୍ତ ବ୍ୟାଖ୍ୟାରୁ ପାଠକମାନେ ବୁଝିପାରିବେ ଯେ, ଚୈତନ୍ୟ ଏକ ସର୍ବବ୍ୟାପି ଓ ଅଖଣ୍ଡ ହେଲେ ସୁଦ୍ଧା ଶାସ୍ତ୍ରକାରମାନେ ତାହାକୁ ଉପରୋକ୍ତ ମତେ ଆଠପ୍ରକାର କରି ବର୍ଣ୍ଣନ କରିଅଛନ୍ତି ।

 

ପଞ୍ଚକୋଷାଃ କେ ? ଅନମୟଃ, ପ୍ରାଣମୟଃ ମନୋମୟଃ ବିଜ୍ଞାନମୟଃ ଆନନ୍ଦମୟ ଶ୍ଚେତି ।

 

ପଞ୍ଚକୋଷ କେଉଁମାନେ ? ଅନ୍ନମୟ, ପ୍ରାଣମୟ, ମନୋମୟ, ବିଜ୍ଞାନମୟ ଓ ଆନନ୍ଦମୟ ।

 

ଅନ୍ନମୟଃକଃ ? ଅନ୍ନରସେନୈବଭୂତ୍ୱା ଅନ୍ନରସେନୈବବୃଦ୍ଧିଂ

ପ୍ରାପ୍ୟ ଅନ୍ନରୂପ ପୃଥିବ୍ୟାଂ ଯଦ୍ୱିଲୀୟତେ

ତଦନ୍ନମୟକୋଷଃ ସ୍ଥୂଳଶରୀରମ୍ ।

 

ଅନ୍ନମୟ କୋଷ କାହାକୁ ବୋଲି ? ଅନ୍ତରସରେ ଉତ୍ପନ ହୋଇ ତଦ୍ଦ୍ୱାରା ବୃଦ୍ଧି ପ୍ରାପ୍ତ ହୋଇ ଅନ୍ନରୂପ ପୃଥ୍ୱୀରେ ଯେ ବିଲୀନ (ଅର୍ଥାତ୍) ମିଳିଯାଏ , ସେହି ସ୍ଥୂଳଶରୀରକୁ ଅନ୍ନମୟ କୋଷ ବୋଲାଯାଏ ।

 

ପ୍ରଣମୟଃ କଃ ? ପ୍ରାଣାଦି-ପଞ୍ଚବାୟକଃ ବାଗାଦୀନ୍ଦ୍ରିୟ-ପଞ୍ଚକଂ ପ୍ରାଣମୟଃ ।

ପ୍ରାଣମୟ କୋଷ କାହାକୁ ବୋଲି ? ପ୍ରଣାଦି ପଞ୍ଚବାୟୁ, ବାଗାଦିପଞ୍ଚେନ୍ଦ୍ରିୟ, ଏତଦ୍ଦ୍ୱାରା ପ୍ରାଣମୟ କୋଷ ନିର୍ମିତ ଅଟେ ।

 

ମନୋମୟଃ କୋଷଃ କଃ ? ମନଶ୍ଚ ଜ୍ଞାନେନ୍ଦ୍ରିୟ-

ପଞ୍ଚକଂ ମିଳିତ୍ୱା ଭବତି ସ ମନୋମୟଃ କୋଷଃ ।

 

ମନୋମୟ କୋଷ କାହାକୁ ବୋଲି ? ମନ ଓ ପଞ୍ଚଜ୍ଞାନେନ୍ଦ୍ରିୟଦ୍ୱାରା ମିଳିତହୋଇ ମନୋମୟ କୋଷ ହୁଏ ।

 

ବିଜ୍ଞାନମୟଃ କଃ ? ବୁଦ୍ଧି-ଜ୍ଞାନେନ୍ଦ୍ରିୟପଞ୍ଚକଂ

ମିଳିତ୍ୱା ଯୋ ଭବତି ସ ବିଜ୍ଞାନମୟଃ କୋଷଃ ।

 

ବିଜ୍ଞାନମୟ କୋଷ କାହାକୁ ବୋଲି ? ବୁଦ୍ଧି ଓ ଜ୍ଞାନେନ୍ଦ୍ରିୟ ପଞ୍ଚକଦ୍ୱାରା ମିଳିତ ହୋଇ ବିଜ୍ଞାନମୟ କୋଷ ହୁଏ ।

 

ଆନନ୍ଦମୟ କଃ ? ଏବମେବ କାରଣଶରୀରଭୂତାବିଦ୍ୟାସ୍ଥ-

ମଳିନସତ୍ତ୍ୱଂ ପ୍ରିୟାଦି-ବୃତ୍ତି-ସହିତଂ ସତ୍ଆନନ୍ଦମୟକୋଷଃ

 

ଏତତ୍କୋଷପଞ୍ଚକମ୍ । ନଦୀୟଂ ଶରୀରଂ ମଦୀୟଃ ପ୍ରାଣଃ ମଦୀୟଂ ମନଶ୍ଚ ମଦୀୟା ବୁଦ୍ଧି ର୍ମଦୀୟଂ ଜ୍ଞାନମିତି ସ୍ୱେନୈବ ଜ୍ଞାୟତେ । ତଦ୍ଯଥା ମଦୀୟତ୍ୱେନ ଜ୍ଞାତଂ କଟକକୁଣ୍ଡଳଗୃହାଦିକଂ ସ୍ୱସ୍ମାଦ୍ଭିନ୍ନଂ ତଥା ପଞ୍ଚକୋଷାଦିକଂ ନଦୀୟ ତ୍ୱେନ ଜ୍ଞାତମାତ୍ମା ନ ଭବତି-

 

ଆନନ୍ଦମୟ କୋଷ କାହାକୁ ବୋଲି ? ଏହି ପୂର୍ବ୍ବୋକ୍ତ ପ୍ରକାରରେ କାରଣ ଶରୀରରୂପ ଅବିଦ୍ୟାରେ ସ୍ଥିତ ଯେ ପ୍ରିୟ ମୋଦଆଦି ବୃତ୍ତିମଧ୍ୟରେ ଯୁକ୍ତ ମଳିନ ସତ୍ତ୍ୱ ଅଟେ । ଅର୍ଥାତ୍ ରଜୋଗୁଣ ତମୋଗୁଣରେ ଯୁକ୍ତ ଯେ ସତ୍ତ୍ୱଗୁଣ; ଏହି ଅଭୀଷ୍ଟ ବସ୍ତୁକୁ ଦେଖିଲେ ସୁଖରୂପ ଯେ ପ୍ରିୟ, ଆଉ ଅଭୀଷ୍ଟ ବସ୍ତୁ ପ୍ରାପ୍ତରେ ଉତ୍ପନ୍ନ ସୁଖ ରୂପ ଯେ ମୋଦ, ଆଉ ଅଭୀଷ୍ଟ ବସ୍ତୁ ଭୋଗରେ ସୁଖରୂପ ଯେ ପ୍ରମୋଦ ; ଏହି ବୃତ୍ତିରେ ଯୁକ୍ତ ହୋଇ ଆନନ୍ଦମୟ କୋଷ ହୁଏ । ଆଉ ଏଥିରେ ଅଧିକ ଆନନ୍ଦ ହେବାରୁ ଏହାର ନାମ ଆନନ୍ଦମୟ ଅଟେ । ଏହି ପଞ୍ଚକୋଷରେ ଆତ୍ମାଭିମାନୀ ହୋଇ ମୋହର ଶରୀର, ମୋହନ ପ୍ରାଣ, ମୋହନ ମନ, ମୋହର ବୁଦ୍ଧି ଓ ମୋହନ; ଜ୍ଞାନ ଏହିପରି ଯେ ଜ୍ଞାନ ହୁଏ, ମୋହର କୁଣ୍ଡଳ ମୋହର କଙ୍କଣ, ମୋହର ଗୃହ ଏହିପରି ଯେ ଜ୍ଞାନ ଅଛି ତହିଁରୁ ଆତ୍ମା ଭିନ୍ନ । ସେହିପରି ପଞ୍ଚକୋଷରୁ ଆତ୍ମା ଭିନ୍ନ ଅଟନ୍ତି ।

 

ଆତ୍ମା ତହିଁକଃ ? ସଚ୍ଚିଦାନନ୍ଦସ୍ୱରୂପଃ ।

ଆତ୍ମା କି ପଦାର୍ଥ ? ସତ୍, ଚିତ୍, ଆନନ୍ଦ ସ୍ୱରୂପ ।

 

ସତ୍କିମ୍ ? କାଳତ୍ରୟେଽପି ତିଷ୍ଠତୀତି ସତ । ଚିତ୍କିମ୍ ? ସାଧନାନନ୍ତରନୈରପେକ୍ଷ୍ୟେଣ ସ୍ୱୟଂ ପ୍ରକାଶମାନତୟେତରପଦାର୍ଥାବଭାସକଂ ଯତ୍ତତଚ୍ଚିତ୍ । ଆନନ୍ଦଃ କଃ ? ସୁଖ ସ୍ୱରୂପଃ । ଏବଂ ସଚ୍ଚିଦାନନ୍ଦସ୍ୱରୂପଂ ସ୍ୱାତ୍ମାନଂ ବିଜାନୀୟାତ୍ ।

 

ସତ୍ କି ପଦାର୍ଥ ? କାଳତ୍ରୟ (ଅର୍ଥାତ୍) ଭୂତ, ଭବିଷ୍ୟତ୍, ବର୍ତ୍ତମାନରେ ଯେ ରହନ୍ତି ସେ ସତ୍ ପଦାର୍ଥ । ଚିତ୍ କି ପଦାର୍ଥ ? ଯେ ସ୍ୱୟଂ କୌଣସି ସହାୟ ନ ଘେନି ପ୍ରକାଶମାନ ହୋଇ ଅନ୍ୟପଦାର୍ଥକୁ ପ୍ରକାଶ କରେ ସେ ଚିତ୍ ପଦାର୍ଥ ।

 

ଆନନ୍ଦ କାହାକୁ ବୋଲି ? ଯେ ସୁଖସ୍ୱରୂପ ସେହି ଆନନ୍ଦ । ଏହିପରି ସତ୍, ଚିତ୍, ଆନନ୍ଦସ୍ୱରୂପ ଆତ୍ମାଙ୍କୁ ଜାଣିବ ।

 

ଉପରୋକ୍ତ ସାଧନ ବିଧାନାନୁସାରେ ଅପର ବୈରାଗ୍ୟ ସନ୍ନ୍ୟାସୀ ଆତ୍ମସ୍ୱରୂପ ପ୍ରତ୍ୟକ୍ଷ ଲାଭ ହେଲାପରେ ଅବଧୂତ

 

ଗୁରୁ ତାହାଙ୍କୁ ‘ତତ୍ତ୍ୱମସି’ ପ୍ରଭୃତି ମହାବାକ୍ୟଦ୍ୱାରା ଆତ୍ମା ଓ ବ୍ରହ୍ମର ଐକ୍ୟ ଅର୍ଥାତ୍ ଅଭେଦ ବୁଝାଇବେ ।:-

 

‘‘ତସ୍ମୈସ ବିଦ୍ୱାନୁପସନ୍ନାୟ ସମ୍ୟକ୍ ପ୍ରଶାନ୍ତ-

ଚିତ୍ତାୟ ଶମନ୍ନିତାୟ ଯେନା-

କ୍ଷରଂ ପୁରୁଷଂ ବେଦ ସତ୍ୟଂ ପ୍ରୋବାଚ ତାଂ

ତତ୍ତ୍ୱତୋ ବ୍ରହ୍ମବିଦ୍ୟାଂ’’ ଇତ୍ୟାଦିଶ୍ରୁତେ ।

                  ବେଦାନ୍ତସାର ।୨୪।

 

ଶ୍ରୁତି ଅଛି ଯେ, ତତ୍ତ୍ୱଜ୍ଞାନ ସମ୍ପନ୍ନ ବ୍ରହ୍ମନିଷ୍ଠ ଗୁରୁ ଶିଷ୍ୟକୁ ସର୍ବ୍ବତୋଭାବରେ ପ୍ରଶାନ୍ତଚିତ୍ତ ଅନିତ୍ୟସଂସାର ସୁଖ ସମ୍ଭୋଗ ବାସନାରୁ ନିବୃତ୍ତ ଏବଂ ଯଥାବିଧି ଗୁରୁଶୂଶ୍ରୂଷା ପରାୟଣ ଦେଖି ସ୍ନେହପୂର୍ବ୍ବକ ସତ୍ୟ ସନାତନ ପୁରୁଷଙ୍କୁ ଯେ ପ୍ରକାର ଯଥାର୍ଥ ରୂପରେ ପରିଜ୍ଞାତ କରାଯାଏ, ସେହି ପ୍ରକାର ବିଦ୍ୟାର ଉପଦେଶ ପ୍ରଦାନ କରିବେ ।

 

ଆତ୍ମେତି ତୂପଗଚ୍ଛନ୍ତି ଗ୍ରାହୟନ୍ତିଚ ।୪।୧।୩

ବ୍ରହ୍ମସୂତ୍ର ।

 

 

 

‘‘ଅହଂବ୍ରହ୍ମାସ୍ମି’’ ‘‘ଅୟମାତ୍ମା ବ୍ରହ୍ମ’’

ଇତ୍ୟାଦି ମହାବାକୌ ସ୍ତତ୍ତ୍ୱବିଦ ଆତ୍ମତ୍ଵେନୈବ ।

ବ୍ରହ୍ମଗୃହ୍ମନ୍ତି । ତଥା ‘‘ତତ୍ତ୍ୱମସି’’ ଇତ୍ୟାଦି

ମହାବାକୈଃ ସ୍ୱଶିଷ୍ୟାନ୍ ଗ୍ରାହୟନ୍ତ୍ୟପି ।

ଭାରତୀତୀର୍ଥ ।

 

ତତ୍ତ୍ୱଜ୍ଞାନିମାନେ ‘‘ଆମ୍ଭେହିଁ ବ୍ରହ୍ମ’’ ‘‘ଏହି ଆତ୍ମାବ୍ରହ୍ମ’’ ଇତ୍ୟାଦି ମହାବାକ୍ୟଦ୍ୱାରା ବ୍ରହ୍ମଙ୍କୁ ଆତ୍ମରୂପେ ଗ୍ରହଣ କରନ୍ତି ଏବଂ ‘‘ତତ୍ତ୍ୱମସି’’ ପ୍ରଭୃତି ମହାବାକ୍ୟଦ୍ୱାରା ଶିଷ୍ୟମାନଙ୍କୁ ଗ୍ରହଣ କରାନ୍ତି ।

 

ଏ ସମ୍ୱନ୍ଧେ ଶଙ୍କରାଚାର୍ଯ୍ୟ କହିଅଛନ୍ତି :-

ତତ୍ତ୍ୱଂ ପଦାର୍ଥ ଶୁଦ୍ଧ୍ୟର୍ଥଂ ଗୁରୁଃ ଶିଷ୍ୟଂ ବଚୋଽବ୍ରବୀଚ୍ ।

ବାକ୍ୟେ ତତ୍ତ୍ୱମସୀତ୍ୟତ୍ରତ୍ୱଂ ପଦାର୍ଥଂ ବିବେଚୟ ।

ତତ୍ତ୍ୱୋପଦେଶ । ୧

 

‘ତତ୍ତ୍ୱଂ’-ପଦାର୍ଥ ବୁଝିବା ନିମିତ୍ତ ଗୁରୁ ଶିଷ୍ୟକୁ କହୁଅଛନ୍ତି । ବତ୍ସ ‘ଯଦି ‘ତତ୍ତ୍ୱଂ’-ପଦାର୍ଥ ହୃଦୟଙ୍ଗମ କରିବାକୁ ଇଚ୍ଛାହୁଏ, ତାହାହେଲେ ‘ତତ୍ତ୍ୱମସି’ ଏହି ବାକ୍ୟର ଅନ୍ତର୍ଭୂତ ‘ତ୍ୱଂ’ ପଦାର୍ଥ ବିବେଚନା କରି ଦେଖ ।‘‘ତତ୍ତ୍ୱମସ’’ ଏହି ବାକ୍ୟ ମଧ୍ୟରେ ତିନିଗୋଟି ପଦ ଅଛି:-ତତ୍ ତ୍ୱଂ ଅସି, ଏହି ତ୍ରିପଦଯୁକ୍ତ ‘ତତ୍ତ୍ୱମସି’ ବାକ୍ୟଟିର ଅର୍ଥ ଅନୂଶୀଳନ କଲେହିଁ ‘‘ତତ୍ତ୍ୱଂ’’ ପଦାର୍ଥ ବୁଝିବାକୁ ସମର୍ଥ ହେବ ।

 

ତଥାହି ଅଜ୍ଞାନାଦିସମଷ୍ଟିଃ ଏତଦୁପହିତଂ

ସର୍ବ୍ବଜ୍ଞତ୍ୱାଦିବିଶିଷ୍ଟଂ

ଚୈତନ୍ୟଂ ଏତଦନୁପହିତଂ ଚୈତନ୍ୟଂ

ଚୈତତ୍ତ୍ରୟଂ ତତ୍ପାୟଃ ପିଣ୍ଡ-

ବଦେକତ୍ଵେ ନାବଭାସମାନଂ ତତ୍ପଦ-

ବାଚ୍ୟାର୍ଥୋ ଭବତି ।

ଏତଦୁପାଧ୍ୟୁପହିତାଧରଭୂତମନୁ ପହିତଂ

ଚୈତନ୍ୟଂ ତତ୍ପଦଲକ୍ଷ୍ୟାର୍ଥୋ ଭବତି ।

ବେଦାନ୍ତ ସାର । ୭୩ ।

 

ଏଠାରେ (୧) ଅଜ୍ଞାନାଦିର ସମଷ୍ଟି (ଅଜ୍ଞାନ, ସୂକ୍ଷ୍ମଶରୀର, ଆଉ ସ୍ଥୂଳଶରୀର ସମଷ୍ଟି) ଓ (୨) ଅନୁପହିତ ଚୈତନ୍ୟ (ଈଶ୍ୱର; ହିରଣ୍ୟଗର୍ଭ ଓ ବିରାଟ ଚୈତନ୍ୟ) ଆଉ (୩) ଅନୁପହିତ ଚୈତନ୍ୟ (ତୁରୀୟବ୍ରହ୍ମ ଚୈତନ୍ୟ) ଏହି ତ୍ରୟ ତପ୍ତ ଲୌହସଦୃଶ ଅଭିନ୍ନରୂପରେ ‘ତତ୍’ ଏହି ପଦର ବାଚ୍ୟାର୍ଥ ହୁଅନ୍ତି । ଆଉ ଅଜ୍ଞାନାଦିର ସମଷ୍ଟି ରୂପ, ଉପାଧି ଓ ତଦୁପହିତ ଈଶ୍ୱରାଦି ଚୈତନ୍ୟ ଏମାନଙ୍କର ଆଧାରସ୍ୱରୂପ ଯେ ତୁରୀୟବ୍ରହ୍ମ ଚୈତନ୍ୟ ସେ ‘ତତ୍’ ପଦର ଲକ୍ଷ୍ୟାର୍ଥ ହୁଅନ୍ତି ।

 

ଅଜ୍ଞାନାଦିବ୍ୟଷ୍ଟି ଏତଦୁପହିତାଳ୍ପ-

ଜ୍ଞତ୍ୱନାଦିବିଶିଷ୍ଟ ଚୈତନ୍ୟଂ

ଏତଦନୁପହିତଂ ଚୈତନ୍ୟଂ ଚୈତତ୍ତ୍ରୟଂ

ତତ୍‌ପ୍ରାୟଃ ପିଣ୍ଡବଦେକତ୍ଵେ-

ନାବଭାସମାନଂ ତ୍ୱଂପଦବାଚ୍ୟାର୍ଥୋ ଭବତି ।

ଏତଦୁପାଧ୍ୟୁପହିତାଧାରଭୂତ ମନୁପହିତଂ

ପ୍ରତ୍ୟଗାନନ୍ଦଂ ତୁରୀୟଂ ଚୈତନ୍ୟଂ

ତ୍ୱଂପଦଲକ୍ଷ୍ୟାର୍ଥୋ ଭବତି । ୭୪ ।

 

ଏବ (୧) ଅଜ୍ଞାନାଦିରବ୍ୟଷ୍ଟି ଅର୍ଥାତ୍ ଅଜ୍ଞାନ, ସୂକ୍ଷ୍ମ ଶରୀର, ଓ ସ୍ଥୂଳଶରୀର, ଆଉ (୨) ସେମାନଙ୍କ ଉପହିତ ଚୈତନ୍ୟ ଅର୍ଥାତ୍ କ୍ରମରେ ପ୍ରାଜ୍ଞ, ତୈଜସ ଓ ବିଶ୍ୱଚୈତନ୍ୟ ଆଉ (୩) ଅନୁପହିତ ଚୈତନ୍ୟ (ତୁରୀୟବ୍ରହ୍ମ ଚୈତନ୍ୟ) ଏହି ତିନିଗୋଟି ତପ୍ତଲୌହ ପିଣ୍ଡପରି ପରସ୍ପର ଅଭିନ୍ନ ରୂପରେ ଭାସମାନ ହେବାରୁ ‘‘ତ୍ୱଂ’’ ପଦର ବାଚ୍ୟାର୍ଥ ହୁଅନ୍ତି । ଏବଂ ଅଜ୍ଞାନାଦିର ବ୍ୟଷ୍ଟିରୂପ ଉପାଧି ଯେ ଅଜ୍ଞାନ, ସୂକ୍ଷ୍ମ ଓ ସ୍ଥୂଳଶରୀର ଏଦଦୁପହିତ ପ୍ରାଜ୍ଞ, ତୈଳସ ଓ ବିଶ୍ୱଚୈତନ୍ୟ ଏମାନଙ୍କର ଆଧାରସ୍ୱରୂପ ଯେ ଅନୁପହିତ ଚୈତନ୍ୟ ସେ ଆନନ୍ଦସ୍ୱରୂପ ଅର୍ଥାତ୍ ଦେହ, ଇନ୍ଦ୍ରିୟ, ମନ, ବୁଦ୍ଧି, ଅହଂକାର ଓ ସେମାନଙ୍କର ଧର୍ମ, ଏବଂ ଜାଗ୍ରତ, ସ୍ୱପ୍ନ ଓ ସୁଷୁପ୍ତି ଏ ଅବସ୍ଥାମାନଙ୍କରୁ ପୃଥକ୍ ଓ ସେମାନଙ୍କ ସାକ୍ଷୀରୂପ ଥିବାରୁ ତ୍ୱଂପଦର ଲକ୍ଷ୍ୟାର୍ଥ ହୁଅନ୍ତି-

 

ଅଥ ମହାବାକ୍ୟାର୍ଥୋ ବର୍ଣ୍ଣ୍ୟତେ, ଇଦଂ ‘‘ତତ୍ତ୍ୱମସି’’

ବାକ୍ୟଂସମ୍ୱନ୍ଧତ୍ରୟେଣ ଅଖଣ୍ଡାର୍ଥବୋଧକଂ ଭବତି ।

 

ସମ୍ୱନ୍ଧତ୍ରୟଂ ନାମପଦୟୋଃ ସମାନାଧି-କରଣ୍ୟଂ ପଦାର୍ଥୟୋର୍ବିଶେଷଣବିଶେଷ୍ୟଦ୍ଭାବଃ ପ୍ରତ୍ୟଗାତ୍ମପଦାର୍ଥୟୋ ର୍ଲକ୍ଷ୍ୟଲକ୍ଷଣଭାବ ଶ୍ଚେତି । ଯଦୁକ୍ତଂ ‘‘ସମାନାଧି କରଣ୍ୟଂ’’ ଚ ବିଶେଷଣବିଶେଷ୍ୟତା ଲକ୍ଷଲକ୍ଷଣସମ୍ୱନ୍ଧଃ ପଦାର୍ଥପ୍ରତ୍ୟଗାତ୍ମାନାଂ । ଇତି । ବେଦାନ୍ତସାର । ୬୫ ।

 

ଏବେ ମହାବାକ୍ୟର ଅର୍ଥ ବର୍ଣ୍ଣିତ ହେଉଅଛି:-

‘‘ତତ୍ତ୍ୱମସି’ (୬୦) (ତତ୍, ତ୍ୱ, ଅସି)

 

(୬୦)      ଏକମେବାଦ୍ଵିତୀୟଂ ସତ୍‌ନାମରୂପ-ବିବର୍ଜ୍ଜିତଂ ।

ସଷ୍ଟେ ପୁରାଧନାପ୍ୟସ୍ୟ ତାଦୃକ୍ ତ୍ୱଂ ତଦିତୀର୍ଯ୍ୟତେ ।

ଶ୍ରୋତୁ ର୍ଦେହେନ୍ଦ୍ରିୟାତୀତଂ ବସ୍ତ୍ୱତ୍ର ତ୍ୱଂପଦେରିତଂ ।

ଏକତା ଗୃହ୍ୟତେଽସୀତି ତଦୈକ୍ୟ ନନୁଭୟତାଂ ।

(ପଞ୍ଚଦଶୀ)

 

ପରିଦୃଶ୍ୟମାନ ନାମ ରୂପାତ୍ମକ ଜଗତର ଉତ୍ପତ୍ତି ପୂର୍ବ୍ବେ କେବଳ ଏକମାତ୍ର ନାମ ରୂପବିବର୍ଜ୍ଜିତ ସର୍ବ୍ବବ୍ୟାପୀ ଅଦ୍ୱିତୀୟ ସତ୍‌ସ୍ୱରୂପ ପରଂବ୍ରହ୍ମ ଥିଲେ ଏବଂ ସେହି ବ୍ରହ୍ମ ବର୍ତ୍ତମାନ ମଧ୍ୟ ସେହିପରି ଅବସ୍ଥିତ ଅଛନ୍ତି । ସେହି ତତ୍ ଶବ୍ଦବାଚ୍ୟ ।

 

ପ୍ରାଣୀମାନଙ୍କ ଦେହ ଓ ଇନ୍ଦ୍ରିୟାଦିରୁ ଭିନ୍ନ ଯେ ଅନ୍ତଃକରଣ ସ୍ଥିତ ଚୈତନ୍ୟ ସେହି ‘ତ୍ୱଂ’ ପଦବାଚ୍ୟ ହୁଅନ୍ତି । ଓ ‘ଅସ’ ଏହି ପଦଦ୍ଵାରା ପୂର୍ବ୍ବ ଶ୍ଳୋକସ୍ଥ ‘ତତ୍’ ଏବଂ ଏହି ଶ୍ଳୋକସ୍ଥିତ ‘ତ୍ୱଂ’ ଏ ଉଭୟର ଐକ୍ୟ ପ୍ରତିପାଦିତ ହୋଇଅଛି ।

 

 

 

ଅତଏବ ସେହି ଉଭୟ ଐକ୍ୟ ଅନୁଭବ କରିବା କର୍ତ୍ତବ୍ୟ ।

ଏହି ବାକ୍ୟ ନିମ୍ନ ତିନିଗୋଟି ସମ୍ବନ୍ଧଦ୍ୱାରା ଏକବ୍ରହ୍ମ ଚୈତନ୍ୟ ମାତ୍ରର ବୋଧକହୁଏ । ସମ୍ବନ୍ଧତ୍ରୟ ଯଥା :- ପଦଦ୍ୱୟର ବ୍ରହ୍ମଙ୍କର ସହିତ ସମାନାଧିକରଣ୍ୟ ଅର୍ଥାତ୍‌ ‘ତତ୍‌, ‘(ଅପ୍ରତ୍ୟକ୍ଷ‘) ଓ ‘ତ୍ୱଂ’ (ପ୍ରତ୍ୟକ୍ଷ) ଏ ଉଭୟପଦ ଏକ ଅଧିକରଣରେ ‘(ଚୈତନ୍ୟରେ) ଅବସ୍ଥାନ କରୁଥିବାରୁ ଏରୂପ ସମ୍ବନ୍ଧକୁ ସାମାନ୍ୟଧିକରଣ୍ୟ ସମ୍ବନ୍ଧ କୁହାଯାଏ ।

 

ଉପରୋକ୍ତ ପଦଦ୍ୱୟର ଅର୍ଥର ସହିତ ବ୍ରହ୍ମଙ୍କର ବିଶେଷଣ ବିଶେଷ୍ୟ ଭାବ ସମ୍ବନ୍ଧ ଅର୍ଥାତ୍‌ ଉକ୍ତ ପଦଦ୍ୱୟର ଅର୍ଥ, ଅପ୍ରତ୍ୟକ୍ଷ ଓ ପ୍ରତ୍ୟକ୍ଷ ଏ ଉଭୟର ଏକ ଚୈତନ୍ୟର ଅବସ୍ଥାଭେଦ ପ୍ରକାଶ କରୁଥିବାରୁ ଏହା ବିଶେଷଣ ଏବଂ ଚୈତନ୍ୟ ତାହାର ବିଶେଷ୍ୟ ହୁଅନ୍ତି । ବ୍ରହ୍ମଙ୍କର ସହିତ ଉକ୍ତ ପଦଦ୍ୱୟର ଅର୍ଥର ଲକ୍ଷ୍ୟଲକ୍ଷଣ ଭାବ ସମ୍ବନ୍ଧ ହୁଏ ଅର୍ଥାତ୍‌ ‘ତତ୍’ ‘(ଅପ୍ରତ୍ୟକ୍ଷ) ଓ ‘ତ୍ୱଂ’ ‘(ପ୍ରତ୍ୟକ୍ଷ) ଏ ଉଭୟ ଦ୍ୱାରା ପ୍ରତ୍ୟଗାତ୍ମା ‘(ବ୍ରହ୍ମ) ଲକ୍ଷିତ ହେବାରୁ ଏହାକୁ ଲକ୍ଷ୍ୟ ଲକ୍ଷଣ ଭାବ ସମ୍ବନ୍ଧ କହନ୍ତି ।

 

ଏହି ସମ୍ବନ୍ଧତ୍ରୟର ବିଶେଷ ଉଦାହରଣ ବେଦାନ୍ତ ସାରରେ ପର୍ଯ୍ୟାଲୋଚିତ ।

 

ଐତଦାତ୍ମ୍ୟମିଦଂ ସର୍ବ୍ବଂ ତତ୍‌ସତ୍ୟଂ

ସ ଆତ୍ମା ତତ୍ତ୍ୱମସି ଶ୍ୱେତକାତୋ’’ ।

 

ଏହି ସମସ୍ତ ଜଗତର ଏତଦାତ୍ମକ ଅର୍ଥାତ୍‌ ସତ୍‌ ପଦାର୍ଥହିଁ ଏହି ସମସ୍ତ ଜଗତର ଆତ୍ମା-। ସେହିସତ୍‌ ପଦାର୍ଥ ହିଁ ଏକମାତ୍ର ସତ୍ୟ, ଏବଂ ତାହାହିଁ ଆତ୍ମା ବା ବ୍ରହ୍ମ । ହେ ଶ୍ୱେତ କେତୋ ତୁମ୍ଭେ ସେହି ବ୍ରହ୍ମ ଅଟ ।

 

‘‘ସଦେବ ସୌମ୍ୟେଦମଗ୍ର

ଆସୀଦେକମେବାଦ୍ୱିତୀୟମ୍‌’’ ଶ୍ରୁତି ।

 

ଏହି ଜଗତର ସୃଷ୍ଟିର ପୂର୍ବ୍ବରେ କେବଳ ସତ୍‌ମାତ୍ର ଥିଲେ, ନାମ ଓ ରୂପ କିଛି ହିଁ ଥିଲା ନାହିଁ, କେବଳ ଏକମାତ୍ର ସତ୍ୟ, ଅଦ୍ୱିତୀୟ ଥିଲେ । ସେହି ଏକହିଁ ବ୍ରହ୍ମ । ‘‘ଏକମେବା-ଦ୍ୱିତୀୟଂ’’ ଏକଂ ଏବ, ଅଦ୍ୱିତୀୟ, ଏହି ପଦତ୍ରୟ ଦ୍ୱାରା ସତ୍‌ ପଦାର୍ଥରେ ଅର୍ଥାତ୍‌ ବ୍ରହ୍ମରେ ଭେଦତ୍ରୟ ନିବାରିତ ହେଲା ।

 

ଅନାତ୍ମା ଅର୍ଥାତ୍‌ ଜଗତରେ ତିନିପ୍ରକାର ଭେଦା ଦେଖାଯାଏ -

ସ୍ୱଗତ ଭେଦ, ସ୍ୱଜାତୀୟ ଭେଦ ଓ ବିଜାତୀୟ ଭେଦ । ଏହି ଆଶଙ୍କା ନିବାରଣ ନିମିତ୍ତ ‘‘ଏକମେବାଦ୍ୱିତୀୟଂ, ଏପରି ଶ୍ରୁତି ଅଛି । ଏହାଦ୍ୱାରା ‘ଏକଂ’ ଏହି ପଦଦ୍ୱାରା ସ୍ୱଗତ ଭେଦ, ‘ଏବ’ ଦ୍ୱାରା ସ୍ୱଜାତୀୟ ଭେଦ, ‘ଅଦ୍ୱିତୀୟଂ’ ପଦଦ୍ୱାରା ବିଜାତୀୟ ଭେଦି ନିବାରିତ ହୋଇଅଛି ।

 

ଏହିଜୀବ ବ୍ରହ୍ମର ଅଭେଦ ଆଖ୍ୟାନ ପଞ୍ଚଦଶୀ କହିଅଛନ୍ତି:-

‘‘କୋଶୋପାଧିବିବକ୍ଷାୟାଂ ତାତିବ୍ରହ୍ମୈବ ଜୀବତାମ୍‌ ।

                        ପଞ୍ଚଦଶୀ ୩ ।୪୧

 

କିନ୍ତୁ ବ୍ରହ୍ମସ୍ୱରୂପ ତ ନିରୁପାଧି, ଅର୍ଥାତ୍ ସେ ସର୍ବ୍ବବିଧି ଉପାଧି ମୁକ୍ତ । ବ୍ରହ୍ମ ସଚ୍ଚିଦାନନ୍ଦ, ଜୀବ ଯଦି ବ୍ରହ୍ମ, ତେବେ ଜୀବ ତେବେ ସଚ୍ଚିଦାନନ୍ଦ ।

 

 

 

‘ଅବେଦ୍ୟୋଽପ୍ୟପରୋକ୍ଷୋଽତଃ ସ୍ୱପ୍ରକାଶୋ ଭବତ୍ୟୟମ୍‌ ।

ସତ୍ୟଜ୍ଞାନମନନ୍ତଞ୍ଚେତ୍ୟସ୍ତୀହ ବ୍ରହ୍ମଲକ୍ଷଣମ୍‌ ।

            ପଞ୍ଚଦଶୀ ୩।୨୮।

 

‘‘ଜୀବ ସ୍ୱ-ପ୍ରକାଶ, ଅଜ୍ଞେୟ ଅଥଚ ଅପରୋକ୍ଷ, ସତ୍ୟ, ଜ୍ଞାନ, ଅନନ୍ତ, ଏହି ବ୍ରହ୍ମଲକ୍ଷଣ ଜୀବଠାରେ ବିଦ୍ୟମାନ’’ । କାରଣ, ଜୀବ ଓ ବ୍ରହ୍ମରେ ନାମମାତ୍ର ପ୍ରଭେଦ ଯେପରି ଅଭିନ୍ନ ଘଟାକାଶ ଓ ମହାକାଶର ପ୍ରଭେଦ ।

 

କୂଟସ୍ଥ ବ୍ରହ୍ମଣୋର୍ଭେ ଦୋ ନାମମାପୁତ୍ତ୍ରା ଦୃଢ଼େ ନହି ।

ଘଟାକାଶ - ମହାକାଶୌ ବିଯୁଜ୍ୟତେ ନହି କ୍ୱଚିତ୍‌ ।

                  ପଞ୍ଚଦଶୀ ୬-୨୩୬-୭ ।

 

ଜୀବ ଯଦି ବ୍ରହ୍ମ, ତେବେ ତାହାର ସଂସାର ଦୁଃଖ ‘(୬୧) କି ନିମିତ୍ତ ? କି ନିମିତ୍ତ ସେ ସଂସାର ସାଗରତରଙ୍ଗ ଆଘାତରେ ବିକ୍ଷୁବ୍ଧ ହୁଏ ? କାହିଁକି ସେ ସଂସାର ଅନଳର ଦାବଦହନରେ ସନ୍ତପ୍ତ ହୁଏ ? ଏହାର ଉତ୍ତରରେ ଅଦ୍ୱୈତବାଦୀମାନେ କହନ୍ତି ଶୁଦ୍ଧ, ବୁଦ୍ଧ, ମୁକ୍ତହେଲେ ମଧ୍ୟ ଅବିଦ୍ୟାବଶରେ ଜୀବର ଦେହାଦି ଉପାଧିର ଧର୍ମ୍ମ ସଂକ୍ରାମିତ ହୁଏ ।

 

(୬୧) ଦୁଃଖ ତ୍ରିବିଧ: - ଅଧ୍ୟାତ୍ମିକ; ଆଧିଭୌତିକ ଓ ଆଧିଦୈବିକ ।

ଅଧ୍ୟାତି କିଂ ନାମ ? ଆତାନଂ ଦେହ ମଧିକୃତ୍ୟ ବର୍ତ୍ତତେ ଇତି ତଦୁଃଖମ୍‌ ଆଧ୍ୟତ୍ମିକ୍ୟ ଶିରୋରୋଗାଦି ।

ଆଧିଭୌତିକଂ ନାମ ? ଭୂତମଧି କୃତ୍ୟ ବର୍ତ୍ତତ ଇତ୍ୟାଧିଭୌତିକଂ ବ୍ୟାଘ୍ରତଷ୍କରାଦି ଜନ୍ୟଂଦୁଃଖଂ ।

ଆଧିଦୈବିକଂ ନାମ ? ଦେବମଧି କୃତ୍ୟ ବର୍ତ୍ତତ ଇତ୍ୟାଧିଦୈବିକଂ ଦୁଃଖମଶନିପାତାଦିଜନ୍ୟମ୍‌ । ଆତ୍ମାନାତ ବିବେକ ।

ଯେ ତାପ ସ୍ଥୂଳ ଓ ସୂକ୍ଷ୍ମ ଦେହକୁ ଅଧିକାରପୂର୍ବ୍ବକ ବିଦ୍ୟମାନ ରହେ, ତାହାର ନାମ ଅଧ୍ୟାତ୍ମିକ ତାପ । ତାହା ଶାରୀରିକ ଓ ମାନସିକ ଭେଦରେ ଦୁଇ ପ୍ରକାର :- ଶିରପୀଡ଼ା, ଅର୍ଶ, ଜ୍ୱର, ଆଜୀର୍ଣ୍ଣ ପ୍ରଭୃତି ବ୍ୟାଧିଜନିତ ଶାରୀରିକ ପୀଡ଼ାକୁ ଓ ଶୋକ-ମୋହଜନିତ ମାନସିକ ପୀଡ଼ାକୁ ଅଧ୍ୟାତ ଦୁଃଖ କୁହାଯାଏ ।

କୌଣସି ପ୍ରାଣୀଠାରୁ ଉତ୍ପନ୍ନ ଦୁଃଖରନାମ ଆଧି ଭୌତିକ ତାପ :-

ତସ୍କର, ବ୍ୟାଘ୍ର, ବୃଶ୍ଚିକାଦି ଜନିତ ଦୁଃଖ ଆଧି ଭୌତିକ ।

ଆଉ ଯେ ଦୁଃଖ ଦେବତାଠାରୁ ଉତ୍ପନ୍ନ ହୁଏ ତାହାର ନାମ ଆଧିଦୈବିକି ଦୁଃଖ :-

ବଜ୍ରାଘାତ, ଅତିବୃଷ୍ଟି, ଅଗ୍ନିଆଦି ଜନିତ ଦୁଃଖ ।।

 

ଏବଂ ପରମାର୍ଥତୋଽବିକୃତମ୍‌ ଏକରୂପ –

ମପିସଦ୍‌ବ୍ରହ୍ମ ଦେହାଦ୍ୟୁପାଧ୍ୟନ୍ତର୍ଭାବାଦ୍‌ ଭଜତ

ଇବ ଉପାଧିଧର୍ମାନ୍‌ ବୃଦ୍ଧିହ୍ରାସାଦୀନ୍‌ ।

      ୩। ୨। ୨୦।ସୂତ୍ରରଶଙ୍କରଦ୍ଭାଷ୍ୟ ।।

 

ସୁଖ, ଦୁଃଖ, କାମ, କ୍ରୋଧ, ରୋଗ, ଶୋକ ଏ ସକଳ ଦେହ ମନଃ ପ୍ରଭୃତିର ଧର୍ମ, ଜୀବ ‘(ଆତ୍ମାର) ଧର୍ମ ନୁହେଁ, କିନ୍ତୁ ଦେହ-ସଂଯୋଗ ହେତୁ ନିଜକୁ ସୁଖୀ ଦୁଃଖୀ ରୋଗୀ ଶୋକୀ ମନେକରେ ।

ଗୌଡ଼ପାଦ କହିଅଛନ୍ତି:-

ଯଥା ଭବତି ବାଳାନାଂ ଗଗନଂ ମଳିନଂମଳୈଃ ।

ତଥାଭବତ୍ୟବୁଦ୍ଧାନାଂ ଆତ୍ମାଽପି ମଳିନୋମଳୈଃ ।

ଯେପରି ବାଳକମାନେ ଆକାଶକୁ ମଳ-ମଳିନ ଭାବନ୍ତି । ସେହିରୂପେ ଜ୍ଞାନାନ୍ଧ ବ୍ୟକ୍ତିମାନେ ଆତ୍ମାକୁ ମଳ-ମଳିନ ଭାବନ୍ତି ।

ଏହି ଆତ୍ମା ବିସୃତି ହେତୁ ଜୀବ ବାରମ୍ବାର ଜନ୍ମ ଗ୍ରହଣ କରେ:-

ହେତୁର୍ବି ହରଣେ ତେଷାମାତ୍ମ ବିସ୍ମରଣା ଦୃତେ ।

ନ କଶ୍ଚିଲ୍ଲକ୍ଷ୍ୟତେ ସାଧୋ ଜନ୍ମାନ୍ତରଫଳପ୍ରଦଃ ।

                  ଯୋଗ : ଉ: ୯୫ । ୮

ଜୀବଗଣ ଯେ ଜନ୍ମାନ୍ତର ପରିଗ୍ରହ କରି ବିଚରଣ କରୁଅଛନ୍ତି, ଏହାର ଏକମାତ୍ର କାରଣ ସେମାନଙ୍କର ଆତ୍ମା ବିସ୍ମୃତି । ଏହି ଅଜ୍ଞାନ ନିବୃତ୍ତିର ବିବରଣ :-

କଦା ଅଜ୍ଞାନ - ନିବୃତ୍ତିଃ ? ବ୍ରହ୍ମାତ୍ମୈ କଜ୍ଞାନେ

ଜାତେ ସତି ସର୍ବ୍ବାତ୍ମନାଽବିଦ୍ୟାନିବୃତ୍ତିଃ ।

                  ଆତ୍ମାନାତ୍ମବିବେକ ।

 

କାହିଁରେ ଅଜ୍ଞାନ ନିବୃତ୍ତି ହୁଏ ? - ବ୍ରହ୍ମ ଓ ଜୀବ ଏହି ଉଭୟର ଏକତ୍ୱ ଜ୍ଞାନ ଜନ୍ମିଲେ ଅର୍ଥାତ୍‌ ‘ସୋଽହଂ’’ ଜ୍ଞାନର ଉଦୟ ହେଲେ ଅଜ୍ଞାନ (୬୨) ବା ଅବିଦ୍ୟାର ସମୂଳେ ବିନିଷ୍ଟ ହୋଇଯାଏ ।।

 

(୬୨) ଏହି ଅଜ୍ଞାନ, ମାୟା ଓ ଅବିଦ୍ୟା ନାମେ କଥିତ :-

 

ଚିଦାନନ୍ଦମୟଂ ବ୍ରହ୍ମ ପ୍ରତିବିମ୍ବସମନ୍ୱିତା ।

ତମୋରଜଃ ସତ୍ତ୍ୱଗୁଣା ପ୍ରକୃତି ଦ୍ୱିଂବିଧା ଚ ସା ।

 

ସତ୍ତ୍ୱଶୁଦ୍ଧ୍ୟବିଶୁଦ୍ଧିଭ୍ୟଂ । ମାୟାବିଦ୍ୟେ ଚ ତେ ମତେ । ପଞ୍ଚଦଶୀ ୧।୧୫।୧୬ ଚିଦାନନ୍ଦମୟ ବ୍ରହ୍ମଙ୍କର ପ୍ରତିବିମ୍ବ - ସଂଯୁକ୍ତ ସତ୍ତ୍ୱ, ରଜ ଓ ତମ ଏହି ତିନିଗୁଣର ସାମ୍ୟାବସ୍ଥା ରୂପ ପ୍ରକୃତି । ସତ୍ତ୍ୱଗୁଣ ଶୁଦ୍ଧିର ତାରତମ୍ୟରେ ମାୟା, ଏବଂ ଅବିଦ୍ୟା, ଏହି ଦୁଇପ୍ରକାର ଅବସ୍ଥା ପ୍ରାପ୍ତ ହୁଏ ।

 

ସତ୍ତ୍ୱଗୁଣ ଯେ ସମୟରେ ତମୋ ଓ ରଜ ଏହି ଦୁଇଗଣଦ୍ୱାରା କଳୁଷିତ ନ ହୁଏ ସେ ସମୟରେ ତାହାକୁ ସତ୍ତ୍ୱଗୁଣର ଶୁଦ୍ଧି ବା ଶୁଦ୍ଧ ସତ୍ତ୍ୱ ପ୍ରଧାନ କହେ । ଏବଂ ଯେ ସମଏ ସତ୍ତ୍ୱଗୁଣ ତମୋ ଓ ରଜ ଏହି ଦୁଇଗୁଣଦ୍ୱାରା କଳୁଷିତ ହୁଏ ସେ ସମଏ ତାହାକୁ ସତ୍ତ୍ୱ ଗୁଣର ଅବିଶୁଦ୍ଧି ବା ମଳିନ ସତ୍ତ୍ୱ ପ୍ରଧାନ କହେ । ଏଥିରୁ ବୁଝାଯାଉଅଛି ଯେ - ବ୍ୟଷ୍ଟୀଭୂତ ମଳିନ ସତ୍ତ୍ୱ ପ୍ରଧାନ ଅଜ୍ଞାନ ହି ଅବିଦ୍ୟା ଏବଂ ସମଷ୍ଟୀଭୂତ ଶୁଦ୍ଧସତ୍ତ୍ୱ ପ୍ରଧାନ ଅଜ୍ଞାନହିଁ ‘ମାୟା’ । ଅବିଦ୍ୟା ଓ ମାୟାପଦାର୍ଥ ଦୁହେହିଁ ଏକ । କେବଳ ମାତ୍ର ପ୍ରଭେଦ ବ୍ୟଷ୍ଟି ଓ ସମଷ୍ଟି

 

ଉପରୋକ୍ତ ତତ୍ତ୍ୱମସୀ ପ୍ରଭୃତି ମହାବାକ୍ୟଦ୍ୱାରା ଆତ୍ମା ଓ ବ୍ରହ୍ମର ଐକ୍ୟ ଅନୁଭବକୁ ପ୍ରକୃତ ଜ୍ଞାନ ବୋଲାଯାଏ :-

 

‘‘ଜ୍ଞାନଂ ଚାପ୍ୟ ଦ୍ୱିତୀୟ ସ୍ଵରସ- ଘନାନନ୍ତଚିନ୍ମାତ୍ରରୁପ-

ବ୍ରହ୍ମାତ୍ମୈକତ୍ୱବୋଧଃ ସ ଭବତି ସୁମତେସ୍ତତ୍ତ୍ୱ ମାସ୍ୟାଦି ବାକ୍ୟାତ୍‌’’ ।      ମୀମାଂସାଗ୍ରନ୍ଥ ।

 

ସର୍ବ୍ବଭେଦ ରହତି, ସ୍ୱୟଂ ସାରଭୂତ, ନିରବଚ୍ଛିନ୍ନ, ସୁଖାତ୍ମକ, ସର୍ବ୍ବପରିଚ୍ଛେଦ ଶୂନ୍ୟ, ଚୈତନ୍ୟ ସ୍ୱରୂପ, ଆତ୍ମା ଓ ବ୍ରହ୍ମ ଅଭେଦାନୁଭାବକ ଜ୍ଞାନକୁ ପ୍ରକୃତ ଜ୍ଞାନ କହନ୍ତି । ଅର୍ଥାତ୍‌ ‘ତତ୍ତ୍ୱମସି’, ଏହିବାକ୍ୟର ନିରନ୍ତର ଆଲୋଚନାଦ୍ୱାରା ଏହିରୂପ ଜ୍ଞାନର ଉଦୟ ହୁଏ । ଏହିରୂପ ଜ୍ଞାନଦ୍ୱାରା ପରମାତ୍ମା ପ୍ରତ୍ୟକ୍ଷ ଲାଭ ହେଲେ ହୃଦୟର ସର୍ବ୍ବସଂଶୟ ବିଦୂରିତ ହୋଇ ସର୍ବ୍ବକର୍ମ ବିନାଶପ୍ରାପ୍ତ ହୁଏ:-

 

ଭିଦ୍ୟତେ ହୃଦୟଗ୍ରନ୍ଥି ଶ୍ଛିଦ୍ୟନ୍ତେ ସର୍ବ୍ବସଂଶୟାଃ ।

କ୍ଷୀୟନ୍ତେଚାସ୍ୟ କର୍ମାଣି ତସ୍ମିନ୍‌ ଦୃଷ୍ଟେ ପରାବରେ ।

                  ମୁଣ୍ଡକୋ : ୨।୨।୮

 

ସେହି ପରାତ୍ପର ପରମେଶ୍ୱରଙ୍କୁ ଦର୍ଶନ କଲେ ସାଧକର ହୃଦୟ ଗ୍ରନ୍ଥିଚ୍ଛିନ୍ନ ହୋଇଥାଏ-। ସକଳ ସଂଶୟ ବିଦୂରିତ ହୁଏ, ସମୁଦାୟ କର୍ମ କ୍ଷୟ ହୁଏ ।

 

ପୁନଶ୍ଚ ସିଦ୍ଧସାଧୁ ବନ୍ଦନୀୟ ଅଲେଖବ୍ରହ୍ମାବଧୂତ ଗୁରୁ ଆଦେଶ ପ୍ରଦାନ କରିଅଛନ୍ତି ଯେ, ଉପରୋକ୍ତ ବାକ୍ୟାନୁଯାୟୀ ମହା ବାକ୍ୟର ଉପଦେଶଦ୍ୱାରା ଯେସମୟରେ ଶିଷ୍ୟର ଆତ୍ମା ସମ୍ପୂର୍ଣ୍ଣରୂପେ ପ୍ରତ୍ୟକ୍ଷ ହୋଇ ଓ ପ୍ରାକୃତିକ କାର୍ଯ୍ୟରେ ସ୍ନେହ ବିଦୂରିତ ହୋଇ ଅଦ୍ୱୈତ ଭାବ ଜନ୍ମେ, ସେ ସମୟରେ ସିଦ୍ଧଗୁରୁ ତାହାଙ୍କୁ ଗୁରୁପୀଠ ସ୍ଥାନରେ ଅବଧୁତାଶ୍ରମ ‘ପର’ ବୈରାଗ୍ୟ ସନ୍ନ୍ୟାସପନ୍ଥା ଗ୍ରହଣ ନିମିତ୍ତ ଆଦେଶ ପ୍ରଦାନ କରିବେ ଏବଂ ପ୍ରାତଃ ବ୍ରାହ୍ମମୁହୂର୍ତ୍ତ ସମୟର ଅପର ବୈରାଗ୍ୟ ସନ୍ନ୍ୟାସର ଭୂଷଣ ପରିତ୍ୟାଗ କରି ଦିଗମ୍ବର ବେଶ ହୋଇ କୁମ୍ଭୀବୃକ୍ଷର ବଳ୍କଳ ଭେଖକୁ ଆଲେଖବ୍ରହ୍ମଙ୍କୁ ଅର୍ପଣପୂର୍ବ୍ବକ କୌପୀନ ଗ୍ରହଣ କରିବ । ଏହା ଅବଧୂତବାନା ଅଟେ । ତତ୍ତ୍ୱରେ ଶିଷ୍ୟ ଅଦ୍ୱୈତ ଭାବରେ ଅଲେଖବ୍ରହ୍ମଙ୍କୁ ଦର୍ଶନପୂର୍ବ୍ବକ ଶରଣ ପ୍ରାପ୍ତ ହେବ । ଏବଂ ସିଦ୍ଧଗୁରୁ ଶିଷ୍ୟର ନାମରେ ‘ବାବା’ ଶବ୍ଦଦ୍ୱାରା ଆହ୍ୱାନ କରି ଅଭେଦ ଭାବନାଦ୍ୱାରା ଶରଣ ହେବେ । ମନରେ ଗୁରୁତ୍ୱ ଭାବ ରଖିବେ ନାହିଁ । ଶିଷ୍ୟ ମଧ୍ୟ ତଦ୍ରୂପପୂର୍ବ୍ବପରି ଗୁରୁଙ୍କୁ ଶରଣ ‘(୬୩) ପ୍ରାପ୍ତ ହେବେ । ଆଉ ମଧ୍ୟ ଭକ୍ଷ୍ୟ ପେୟ ଓ ଆସନ ପ୍ରଭୃତିରେ ତଦ୍ରୂପ ଅଭେଦ ଭାବ ଧାରଣ କରିବେ । ଏହା ବ୍ରହ୍ମାବଧୂତାଶ୍ରମ ସନ୍ନ୍ୟାସୀ ହେବାର ନିୟମ ଅଟେ ।

 

ଉପରୋକ୍ତ ଗୁରୁ ବାକ୍ୟସହ ଶ୍ରୁତିଶାସ୍ତ୍ରର ସାମଞ୍ଜସ୍ୟ କରାଯାଉଅଛି ।

ଅଥ ପର ବୈରାଗ୍ୟ ସନ୍ନ୍ୟାସିର ବିବରଣ:-

‘‘ତତ୍‌ପରଂ ପୁରୁଷଖ୍ୟାତେଃ ଗୁଣବୈତୃଷ୍ଣ୍ୟମ୍‌ ।’’

                  ପାତଞ୍ଜଳଦଂ : ସ: ୧୬ସୁ

 

(୬୩) ମହିମାଧର୍ମ୍ମଚ ଅବଧୂତ ‘ପର’ ସନ୍ନ୍ୟାସୀମାନେ ଏକତ୍ର ଶରଣ ଅର୍ଥାତ୍ ଭୂମିରେ ମସ୍ତକ ଅବନତପୂର୍ବକ ମୁଖେ ବାବା । ଶରଣ ଶରଣ କହି ଏକମୂର୍ତ୍ତି ଅନ୍ୟ ମୂର୍ତ୍ତିର ପଦରଜ ଧାରଣ ଅନ୍ୟମୂର୍ତ୍ତି ଅପର ଅନ୍ୟମୂର୍ତ୍ତିର ପଦରଜ ହସ୍ତେ ଧାରଣପୂର୍ବକ ମୁଖେପାଇ ମସ୍ତକେ ଲଗାଇବେ । ପୁନଶ୍ଚ ଭୂମିରେ ମସ୍ତକ ଲଗାଇ ମୁଖେ ଶରଣ ଶରଣ ପଦ ଉଚ୍ଚାରଣ କରିବେ । ଏହିରୂପ ସମସ୍ତ ସିଦ୍ଧବୃନ୍ଦ ସମସ୍ତଙ୍କୁ ଶରଣ ମାଗିବେ । ତଦ୍ରୂପ ମଧ୍ୟ ଭିକ୍ଷା ସମୟରେ ଏକତ୍ରେ ବସି ଭିକ୍ଷାଦ୍ରବ୍ୟ ହସ୍ତରେ ଧରି ଅଲେଖବ୍ରହ୍ମଙ୍କୁ ସରଣପୂର୍ବକ ଏକମୂର୍ତ୍ତି ଅନ୍ୟମୂର୍ତ୍ତିର ମୁଖରେ ଅନ୍ୟମୂର୍ତ୍ତି ଅପର ଅନ୍ୟମୂର୍ତ୍ତିର ମୁଖରେ ଏହିରୂପ ସମସ୍ତ ମୂର୍ତ୍ତି ସମସ୍ତ ମୂର୍ତ୍ତିଙ୍କର ମୁଖରେ ଭୁଞ୍ଜାଇ ଅବଶେଷ ଭିକ୍ଷାଦ୍ରବ୍ୟ ଭକ୍ଷଣ କରିବେ । ଏହା ପରମ ଅବଧୂତ ଗୁରୁଦେବଙ୍କର ଆଦେଶ ଅଟେ । ଏହିପରି ‘ଅପର’ ବୈରାଗ୍ୟ ସନ୍ନ୍ୟାସୀ ଅପର ସନ୍ନ୍ୟାସୀମାନଙ୍କର ମଧ୍ୟରେ ବ୍ୟବହାର କରିବା କର୍ତ୍ତବ୍ୟ । ଏବଂ ‘ଗୃହସ୍ଥ’ ବ୍ରହ୍ମନିଷ୍ଠ ରକ୍ତଗଣ ଭକ୍ତଗଣଙ୍କ ମଧ୍ୟରେ ଏହିରୂପେ ଅଭେଦ ଜ୍ଞାନ କରା କର୍ତ୍ତବ୍ୟ ଅଟେ । କି ଗୃହୀ କି ତ୍ୟାଗୀ ଉଭୟ ପନ୍ଥାରେ ପରସ୍ପର ପରସ୍ପର ସହିତ ସାକ୍ଷାତ୍‌ ଲାଭ ହେଲେ ଉଭୟହିଁ ଅଲେଖବ୍ରହ୍ମ ନାମ ଉଚ୍ଚାରଣପୂର୍ବକ ଶରମ ମାନ୍ୟ ହେବେ ।

 

ବୃଦ୍ଧି ପ୍ରଭୃତିରୁ ନିର୍ଗୁଣ, ନିଷ୍କ୍ରିୟ, ଆତ୍ମା ପୃଥକ୍‌ । ଏହା ସମ୍ୟକ ପ୍ରତ୍ୟକ୍ଷ ହେଲେ ପ୍ରକୃତି ଓ ତତ୍‌କାର୍ଯ୍ୟ ଜଡ଼୍‌ବର୍ଗ ବିଷୟରେ ଅନୁରାଗ ରହେନାହିଁ । ଏହାକୁ ‘ପର’ ବୈରାଗ୍ୟ ସନ୍ନ୍ୟାସ ବୋଲାଯାଏ ।

 

ଅବଧୂତ ପର ବୈରାଗ୍ୟ ସନ୍ନ୍ୟାସିର-

ବଲ୍ଲଳ ଧାରଣର ବିବରଣଃ -

‘ବଳ୍କଳ ପ୍ରତିଗୃହ୍ୟମାଣୋ ନାନ୍ୟତ୍‌ ପ୍ରତିଗୃହୀୟାତ୍‌’’ ।

                              କଠଶ୍ରୁତିଭାଃ ।

 

 

 

ପର ସନ୍ନ୍ୟାସୀମାନେ ବଳ୍କଳ ପରିଧାନ କରିବେ, ଆଉ କିଛି ଗ୍ରହଣ କରିବେ ନାହିଁ ।

ପୁନଶ୍ଚ :-

‘‘ତ୍ୱଗମ୍ବରୋ ବାପି ଚିଦମ୍ବରସ୍ଥ’’ ।

ବିବେକଚୂଡ଼ାମଣି ।

 

ଆତ୍ମଜ୍ଞ ବ୍ୟକ୍ତି ବଳ୍କଳ ଧାରଣ କରନ୍ତି, କୌଣସି ସମୟରେ ଜ୍ଞାନବସ୍ତ୍ର ଧାରଣ କରନ୍ତି । ଆଉମଧ୍ୟ ଚନ୍ଦ୍ରମଣିଦାସ ଲେଖି ଅଛନ୍ତି ।

 

ଆତ୍ମାଜ୍ଞାନୀ ଧୀର ଜଟା ଦିଗମ୍ବର ବୃକ୍ଷର ବଳ୍କଳ ପିନ୍ଧି ।

ମିତ୍ର ଅଇରି ଏକତ୍ର କରିଥାଇ ଚେତାଘରେ ଚିତ୍ତ ରୁଦ୍ଧ ।

ସୁଧାସାରଗୀତା । ୧୨ । ୧୮

 

ଭକ୍ତ ଭୀମସେନ ମଧ୍ୟ କହିଅଛନ୍ତି :-

 

ଆବର ବୃକ୍ଷବଳ୍କଳ କୁମ୍ଭୀପଟ ଅବଧୂତ ବାନାକଲେ ।

ଦେବୀ ଦେବତା କେହି ନ ମାନ ବୋଲି ଗୁରୁଦେବ

ଆଜ୍ଞା ଦେଲେ ।

ସ୍ତୁତିଚିନ୍ତାମଣି । ୫୨ । ୧୪

 

 

 

ପୁନଶ୍ଚ ଶୁକଦେବ କହିଅଛନ୍ତି ମୁମୁକ୍ଷୁ ବ୍ୟକ୍ତିମାନେ ବଳ୍କଳ ଧାରଣ କରନ୍ତି ।

 

‘‘ଦିଗ୍ୱଳ୍କଜାଦୌ ସତି କିଂ ଦୁକୂଳୈଃ’’ ।

ଭା ୨ । ୧ । ୪

 

ଦିକ ଏବଂ ବକ୍କଳାଦି ଥାଉଁ ବା ପଟ୍ଟ ବସ୍ତ୍ରାଦିର ନିମିତ୍ତ ପ୍ରୟାସ କାହିଁକି ?

 

ସତ୍ୟଯୁଗେ ନାରାୟଣ ମଧ୍ୟ ବଳ୍କଳ ପରିଧାନ କରିଥିଲେ :-

‘‘କୃତେ ଶୁକ୍ଳଶ୍ଚତୁର୍ବ୍ବାହୁ ର୍ଜ୍ଜଟିଳୋ ବଳ୍କଳାମ୍ବରଃ’’ ।

ଭା ୧୧ । ୫ । ୨୧

 

ସତ୍ୟଯୁଗରେ ନାରାୟଣ, ଶୁକ୍ଳବର୍ଣ୍ଣ, ଚତୁର୍ଭୁଜ, ଜଟିଳ, ବଳ୍କଳ ଭୂଷଣ ହୋଇଥିଲେ । ମହର୍ଷି ମାର୍କଣ୍ଡ ମଧ୍ୟ ଅବଧୂତ ବଳ୍କଳ ବାନା ଧାରଣ କରିଥିଲେ :-

 

‘‘ବୃହଦ୍‌ବ୍ରତଧରଃ ଶାନ୍ତୋ ଜଟିଳୋ ବଳ୍କଳାମ୍ବରଃ ।’’

ଭା ୧୨ । ୮ । ୮

 

ମାର୍କଣ୍ଡେୟଋଷି ମହାବ୍ରତ ଧାରଣକରି ଏବଂ ଶାନ୍ତମୂର୍ତ୍ତି ହୋଇ ଜଟାଧାରଣପୂର୍ବ୍ବକ ବଳ୍କଳ ପରିଧାନ କଲେ ।

 

 

 

କୃଷ୍ଣ ଉଦ୍ଧବଙ୍କୁ ବଳ୍କଳ ପରିଧାନ ନିମିତ୍ତ ଆଦେଶ ପ୍ରଦାନ କରିଥିଲେଃ –

 

ବସାନୋ ବଳ୍କଳାନ୍ୟଙ୍ଗ ବନ୍ୟଭୁକ୍‌ ସୁଖନିଷ୍ପୃହଃ ।

ତିତିକ୍ଷୁର୍ଦ୍ୱ ନ୍ଦ୍ୱମାପୁତ୍ତ୍ରାଣାଂ ସୁଶୀଳଃ ସଂଯତେନ୍ଦ୍ରିୟଃ ।

ଶାନ୍ତଃ ସମାହିତଧିୟା ଜ୍ଞାନବିଜ୍ଞାନସଂଯୁତଃ ।

ଭା ୧୧ । ୨୯ । ୪୨ । ୪୩

 

ଭଗବାନ କହିଲେ ହେ ଉଦ୍ଧବ ! ଆମ୍ଭର ଆଜ୍ଞାରେ ବଦରିକାଶ୍ରମେ ଗମନ କର । ସେ ସ୍ଥାନରେ ବଳ୍କଳ ପରିଧାନ କରି ଅଶେଷ ପାପରୁ ମୁକ୍ତିଲାଭ କରିବ । ବନ୍ୟ ଫଳ ମୂଳାଦି ଭୋଜନ କରିବ । ସୁଖରେ ସ୍ପୃହା ରଖିବ ନାହିଁ; ଶୀତ, ଉଷ୍ଣ, ପ୍ରଭୃତି ଦ୍ୱନ୍ଦ୍ଵ ସକଳ ସହ୍ୟ କରିବ, ସୁଶୀଳ ସଂଯତେନ୍ଦ୍ରିୟ, ଶାନ୍ତ ଓ ସମାହିତ ହୋଇ ବୁଦ୍ଧି ଯୋଗରେ ଜ୍ଞାନବିଜ୍ଞାନ ନିମିତ୍ତ ତତ୍ପର ରହିବ ।

 

ଏହିପରି ଯୁଗାନୁସାରେ ଋଷି ମୁନି ସନ୍ନ୍ୟାସୀମାନେ ବଳ୍କଳ ପରିଧାନ କରିଥିଲେ ।

ମହାବାକ୍ୟ ଉପଦେଶ ଦ୍ୱାରା ଦ୍ୱୈତଭାବ ବିଦୂରିତ ହେଲେ ଗୁରୁ ଓ ଶିଷ୍ୟର ଐକ୍ୟଭାବେ ଶରଣ ହେବାର କାରଣ :-

 

ତତ୍ତ୍ୱମସି ମହାପ୍ରାଜ୍ଞ ହଂସଃ ସୋଽହଂ ବିଭାବୟ ।

ନିର୍ମମୋ ନିରହଂକାରଃ ସ୍ୱଭାବେନ ସୁଖଂ ଚର ।

ମହା ନି: ୮ । ୨୬୫

 

ମହାପ୍ରାଜ୍ଞା ! ତତ୍‌ତ୍ଵମସି (ତୁମ୍ଭେହିଁ ସେହି ବ୍ରହ୍ମ) ତୁମ୍ଭେ ଆପଣାକୁ ହଂସ ଓ ସୋଽହଂ ଏହିରୂପ ଚିନ୍ତାକର ଏବଂ ବର୍ତ୍ତମାନ ମମତାରହିତ ଓ ଅହଂକାର ପରିଶୂନ୍ୟ ହୋଇ ସ୍ୱଭାବେ (ବ୍ରହ୍ମଭାବେ) ଅବସ୍ଥାନପୂର୍ବ୍ବକ ସୁଖେ ବିଚରଣ କର ।

 

ମହାବାକ୍ୟ ଉପଦେଶ ଦ୍ୱାରା ଦ୍ୱୈତଭାବ ବିନଷ୍ଟ ହୁଏ :-

ଉପଦେଶାଦୟଂ ବାଦୋଜ୍ଞାତେ ଦ୍ୱୈତଂ ନ ବିଦ୍ୟତେ ।

ମହାକାବ୍ୟ ରତ୍ନାବଳି ୪ । ୧୨

 

ଉପଦେଶଦ୍ୱାରା ବ୍ରହ୍ମଜ୍ଞାନ ହେଲେ ଦ୍ୱୈତଭାବ ବିଦୂରିତ ହୁଏ ।

 

ଆତ୍ମସ୍ୱରୂପଂ ତଂ ମତ୍ୱା ପ୍ରଣମେଚ୍ଛି ରସା ଗୁରୁଃ ।

ନମସ୍ତୁଭ୍ୟଂ ନମୋ ମହ୍ୟଂ ତୁଭ୍ୟଂ ମହ୍ୟଂ ନମୋନମଃ ।

ତ୍ଵମେବ ତତ୍‌ ତତ୍‌ତ୍ୱମେବ ବିଶ୍ୱରୂପ ନମୋଽସ୍ତୁତେ ।

ମହା ନି : ୮ । ୨୬୭ । ୨୬୭

 

ଅନନ୍ତର ଗୁରୁ ଶିଷ୍ୟକୁ ଆତ୍ମସ୍ୱରୂପ ବିବେଚନାପୂର୍ବ୍ବକ ମସ୍ତକ ଅବନତ କରି ( ନମୋସ୍ତୁଭ୍ୟଂ ନମୋମହ୍ୟଂ ଇତ୍ୟାଦି ମହାବାକ୍ୟଦ୍ୱାରା ) ପ୍ରଣାମ କରିବେ ଅର୍ଥାତ୍‌ ତୁମ୍ଭଙ୍କୁ ନମସ୍କାର, ଆମ୍ଭକୁ ମଧ୍ୟ ନମସ୍କାର । ତୁମ୍ଭଙ୍କୁ ଆମ୍ଭଙ୍କୁ ପୁନଃପୁନ ନମସ୍କାର । ବିଶ୍ୱରୂପ ! ତୁମ୍ଭେହି ସେହି ତତ୍‌ପଦବାଚ୍ୟ ପରଂବ୍ରହ୍ମ, ସେହି ପରଂବ୍ରହ୍ମହିଁ ତୁମ୍ଭେ, ଅତଏବ ତୁମ୍ଭଙ୍କୁ ନମସ୍କାର କରୁଅଛୁଁ-

 

ଅନନ୍ତର ଶିଷ୍ୟ ଅହଂ ସଚ୍ଚିଦାନନ୍ଦ ଭାବନାଦ୍ୱାରା ଅଭେଦ ଜ୍ଞାନ କରିବେ, ଯେହେତୁ ବ୍ରହ୍ମହିଁ ନିତ୍ୟଗୁରୁ ଅଟନ୍ତି ।

 

ନାସ୍ତି ନାସ୍ତି ଜଗତ୍‌ସର୍ବ୍ବଂ ଗୁରୁଶିଷ୍ୟାଦିକଂ ନ ହି ।

ସଚ୍ଚିଦାନନ୍ଦମାତ୍ରୋଽହମନୁତ୍‌ ପନ୍ନମିଦଂ ଜଗତ୍‌ ।

ମହାବାକ୍ୟ ରତ୍ନାବଳି ୪ । ୩୨ । ୩୩

 

ଦୃଶ୍ୟ ଜଗତ୍‌ ନାହିଁ ବା ଗୁରୁ ଶିଷ୍ୟାଦି ସମ୍ବନ୍ଧ ମଧ୍ୟ ନାହିଁ, ଆମ୍ଭେ ସଚ୍ଚିଦାନନ୍ଦ ପରମସ୍ୱରୂପ ମାତ୍ର ଏବଂ ଏହି ଜଗତ୍‌ ଅନୁତ୍ପନ୍ନ ଅର୍ଥାତ୍‌ ଆମ୍ଭେ ଥିଲେ ଜଗତ୍‌ ଏବଂ ଆମ୍ଭେ ନଥିଲେ ଜଗତର ସମ୍ଭବ ହୁଏ ନାହିଁ ।

 

ବ୍ରହ୍ମଣୋଽନ୍ୟଦ୍‌ଗୁରୁର୍ନାସ୍ତି ବ୍ରହ୍ମଣୋଽନ୍ୟଦସଦ୍ବପୁଃ ।

ନିତ୍ୟାନନ୍ଦମୟଂ ବ୍ରହ୍ମ କେବଳଂ ସର୍ବ୍ବଦା ସ୍ୱୟମ୍‌ ।

୧୭ । ୬୯ । ୭୦

 

ବ୍ରହ୍ମାତିରିକ୍ତ ଅନ୍ୟ ଗୁରୁ ନାହିଁ, ଏବଂ ବ୍ରହ୍ମାତିରିକ୍ତ କୌଣସି ( ଅସଦ୍ୱପୁ) ନିରାକାର ମଧ୍ୟ ନାହିଁ । ବ୍ରହ୍ମ ସଦା କାଳେ ସ୍ୱୟଂ ନିତ୍ୟାନନ୍ଦସ୍ୱରୂପ ।

 

ପୁନଶ୍ଚ ଅବଧୂତାଶ୍ରମ ସନ୍ନ୍ୟାସୀ ଅତିମାତ୍ର ଶରଣତା ପ୍ରାପ୍ତ ହୋଇ ଅଦ୍ୱୈତ ଭାବନାଦ୍ୱାରା ଜଗତକୁ ବ୍ରହ୍ମମୟ ଦେଖି ଆତ୍ମା ବ୍ରହ୍ମର ଐକ୍ୟ ଭାବନା କରି କାଳାତିପାତ କରିବେ ଓ ଶ୍ରବଣ, ମନନ, ନିଦିଧ୍ୟାସନ ଅବଲମ୍ବନପୂର୍ବ୍ବକ ତତ୍ତ୍ୱମସ୍ୟାଦି ମହାବାକ୍ୟର ଆଶ୍ରୟ ଗ୍ରହଣରେ କଳ୍ପଣା ରହିତ ହୋଇ ସମାଧିଭାବ ଅବଲମ୍ବନ କରିବେ, ଏହିରୂପ ଜୀବନ୍ମୁକ୍ତ ପୁରୁଷଙ୍କର ତ୍ରିବିଧ କର୍ମ ବିନାଶପ୍ରାପ୍ତ ହେଲେ ସେ ପରଂବ୍ରହ୍ମଙ୍କୁ ପ୍ରାପ୍ତ ହୁଅନ୍ତି ।

ସର୍ବ୍ବ ବ୍ରହ୍ମମୟ ଭାବନା :-

ବ୍ରହ୍ମଣଃ ସର୍ବ୍ବଭୁତାନି ଜାୟନ୍ତେ ପରମାତ୍ମନଃ ।

ତସ୍ମାଦେତାନି ବ୍ରହ୍ମୈବ ଭବନ୍ତୀତ୍ୟବଧାରୟେତ୍‌ ।

ଅପରୋକ୍ଷାନୁଭୂତି ୪୯ ।

ପରମାତ୍ମାରୂପୀ ବ୍ରହ୍ମରୁ ସର୍ବ୍ବଭୂତର ଉତ୍ପତ୍ତି ହୋଇଅଛି, ସୁତରାଂ ଏହି ଦୃଶ୍ୟମାନ ସମସ୍ତହିଁ ବ୍ରହ୍ମ । ଏହିପ୍ରକାର ଅବଧାରଣ କରିବ ।

ପୁନଶ୍ଚ :-

ସର୍ବ୍ବ ବ୍ରହ୍ମମୟଂ ଦେବି ଭାବୟେତ୍‌ ବ୍ରହ୍ମସାଧକଃ ।

ମହା ନି: ୩ । ୧୨୦

ଦେବି ! ବ୍ରହ୍ମସାଧକ ବ୍ୟକ୍ତି ସମୁଦାୟ ଜଗତହିଁ ବ୍ରହ୍ମମୟ ଭାବନା କରିବେ ।

ତତ୍ପରେ :-

ଘୃତମିବ ପୟସି ନିଗୂଢ଼ଂ ଭୂତେ ଭୂତେ ଚ ବସତି ବିଜ୍ଞାନମ୍‌

ସତତଂ ମନ୍ଥୟିତବ୍ୟଂ ମନସା ମନ୍ଥାନଭୂତେନ

ଜ୍ଞାନନେତ୍ରଂ ସମାଦାୟ ଚରେଦ୍ୱହ୍ନି ମତଃପରମ୍‌ ।

ନିଷ୍କଳଂ ନିର୍ମଳଂ ଶାନ୍ତଂ ତଦ୍‌ବ୍ରହ୍ମାହ ମିତିସ୍ମୃତମ୍‌ ।

ବ୍ରହ୍ମବିନ୍ଦୁ ଉପଃ ୧୪ । ୨୦ । ୨୧

 

ଦୁଗ୍ଧର ଅଭ୍ୟନ୍ତରରେ ଯେରୂପ ନିଗୂଢ଼ ଭାବରେ ଘୃତ ବିଦ୍ୟମାନ ଥାଏ ତଦ୍ରୂପ ପ୍ରତ୍ୟେକ ଭୂତରେ ଜ୍ଞାନମୟ ଆତ୍ମା ବିଦ୍ୟମାନ ଅଛନ୍ତି । ଯେପରି ମନ୍ଥନଦଣ୍ଡଦ୍ୱାରା ମନ୍ଥନ କଲେ ଘୃତ ଉତ୍ପନ୍ନ ହୁଏ, ସେହିପରି ମନଦ୍ୱାରା ସେହି ଆତ୍ମାବସ୍ତୁକୁ ଲାଭ କରାଯାଏ । ଗୁରୁ ଓ ଶାସ୍ତ୍ରବାକ୍ୟରୁ ଜ୍ଞାନନେତ୍ର ଲାଭ କରି ତତ୍ପରେ ଆତ୍ମା ସାକ୍ଷାତ୍‍କାରରେ ପ୍ରବୃତ୍ତ ହେବ । ଏହି ରୂପ ସାକ୍ଷାକତାରରେ ପ୍ରବୃତ୍ତ ହେଲେ ନିଷ୍କଳ ଅର୍ଥାତ୍‌ ବୁଦ୍ଧ୍ୟାଦି କଳାରହିତ ନିର୍ମଳ ଓ ଶାନ୍ତ ସେହି ବ୍ରହ୍ମହିଁ ଆମ୍ଭେ, ଏହି ପ୍ରକାର ଜ୍ଞାନର ବିକାଶ ହେବ ।

 

ଅୟମାତ୍ମାହି ବ୍ରହ୍ମୈବ ସର୍ବ୍ବାତ୍ମକତୟା ସ୍ଥିତଃ ।

ଇତି ନିର୍ଦ୍ଧାରିତଂ ଶ୍ରୁତ୍ୟା ବୃହଦାରଣ୍ୟସଜ୍ଞୟା ।

ଅପରୋକ୍ଷାନୁଭୂତି । ୫୫ ।

 

ଏହି ଅତ୍ମାହିଁ ବ୍ରହ୍ମସ୍ୱରୂପ ସନ୍ଦେହ ନାହିଁ । ସର୍ବ୍ବାତ୍ମକରୂପେ ସେହି ଅବସ୍ଥିତ । ବୃହଦାରଣ୍ୟକ ଶ୍ରୁତିରେ ଏହିରୂପ ନିର୍ଦ୍ଧାରିତ ହୋଇଅଛି । ଅର୍ଥାତ୍‌ ଆତ୍ମା ସକଳପଦାର୍ଥରେ ସର୍ବ୍ବାତ୍ମକରୂପେ ବିରାଜ କରିଅଛନ୍ତି ।

 

ନିର୍ଗୁଣଂ ନିଷ୍ପଳଂ ସୂକ୍ଷ୍ମଂ ନିର୍ବିକଳ୍ପଂ ନିରଞ୍ଜନମ୍‌ ।

ଏକମେବାଦ୍ୱିତୀୟଂ ବ୍ରହ୍ମ ନାନେହ ନାସ୍ତିକିଞ୍ଚନ ।

ବିବେକଚୁଡ଼ାମଣି । ୪୭୦

 

ସେ ନିର୍ଗୁଣ, ନିଷ୍କଳ, ସୂକ୍ଷ୍ମ, ନିର୍ବିକଳ୍ପ, ନିରଞ୍ଜନ ଓ ଏକମାତ୍ର ଅଦ୍ୱିତୀୟ ବ୍ରହ୍ମ । ତାହାଙ୍କଭିନ୍ନ ବ୍ରହ୍ମାଣ୍ଡରେ ନାନାରୂପ ଆଉକିଛି ନାହିଁ ।

 

ସନ୍ନ୍ୟାସୀ ଏହିରୂପ ଜଗତକୁ ବ୍ରହ୍ମଭାବନାଦ୍ୱାରା ନିଜ ଆତ୍ମାକୁ ବ୍ରହ୍ମଭାବନା କରିବେ :-

 

ନାମରୂପ-ବ୍ୟତୀତୋଽହଂ ଚିଦାକାରୋଽହମଚ୍ୟୁତଃ ।

ସୁଖପ୍ରକାଶରୂପୋଽହମହମେବାହମବ୍ୟୟଃ ।

ବ୍ରହ୍ମନାମାବଳି । ୯ ।

 

ଆମ୍ଭେ ନାମ ଓ ରୂପରୁ ଅତୀତ, ଆମ୍ଭେ ଜ୍ଞାନମୂର୍ତ୍ତି ଓ ଅଚ୍ୟୁତ, ଆମ୍ଭେ ସୁଖପ୍ରକାଶ ସ୍ୱରୂପ ଏବଂ ଆମ୍ଭେହିଁ ଅବ୍ୟୟ ଅହଂ ପଦବାଚ୍ୟ ବ୍ରହ୍ମ ।

 

ନାହଂ ମନୁଷ୍ୟୋ ନ ଚ ଦେବଯକ୍ଷୌ

ନ ବ୍ରାହ୍ମଣ-କ୍ଷତ୍ତ୍ରିୟ-ବୈଶ୍ୟ-ଶୂଦ୍ରାଃ ।

ନ ବ୍ରହ୍ମଚାରୀ ନ ଗୃହୀ ବନସ୍ଥୋ,

ଭିକ୍ଷୂର୍ନଚାହଂ ନିଜବୋଧରୂପଃ ।

ହସ୍ତାମଳକଂ । ୨ ।

 

ଆମ୍ଭେ ମନୁଷ୍ୟ ନୋହୁ, ଦେବତା ବା ଯକ୍ଷ ନୋହୁ, ବ୍ରାହ୍ମଣ, କ୍ଷତ୍ତ୍ରିୟ, ବୈଶ୍ୟ ବା ଶୂଦ୍ର ନୋହୁ । ଆମ୍ଭେ ବ୍ରହ୍ମଚାରୀ ନୋହୁ, ଗୃହୀ ନୋହୁ, ବାନପ୍ରସ୍ଥ-ଧର୍ମାବଲମ୍ବୀ ବା ଭିକ୍ଷୁ ନୋହୁ, ଆମ୍ଭେ ନିଜ ବୋଧ ସ୍ୱରୂପ (ଆତ୍ମା) ।

 

ସନ୍ନ୍ୟାସୀ ଏହିରୂପ ଅଦ୍ୱୈତ ଭାବନା କରି କ୍ରିୟାରେ ଅଦ୍ୱୈତ ଆଚରଣ କରିବେ ନାହିଁ-:-

 

ଭାବାଽଦ୍ୱୈତଂ ସଦା କୁର୍ଯ୍ୟାତ୍‌

କ୍ରିୟାଽଦ୍ୱୈତଂ ନ କର୍ହିଚିତ୍‌ ।

ଅଦ୍ୱୈତଂତ୍ରିଷୁ ଲୋକେଷୁ

ନାଦ୍ୱୈତଂ ଗୁରୁଣା ସହ ।

ସାରତତ୍ତ୍ୱୋପଦେଷ ୩ ।

 

ନିରନ୍ତର ଅଦ୍ୱୈତ ଭାବ ଅବଲମ୍ବନ କରିବେ, କ୍ରିୟା ସମ୍ବନ୍ଧେ ଅଦ୍ୱୈତ ଭାବ କର୍ତ୍ତବ୍ୟ ନୁହେଁ । ତ୍ରିଲୋକର ପ୍ରତିହିଁ ଅଦ୍ୱୈତଭାବ କରିବେ କିନ୍ତୁ ଗୁରୁଙ୍କ ସହିତ ଅଦ୍ୱୈତଭାବ କରିବେ ନାହିଁ ।

 

ଶ୍ରବଣ, ମନ ଓ ନିଦିଧ୍ୟାସନର ବିବରଣ :-

 

ଶ୍ରବଣଂ ନାମ ଷଡ଼୍ବିଧଲିଙ୍ଗୈଗଣେଷବେଦାନ୍ତା

ନାମ ଦ୍ୱିତୀୟ-ବସୂନି ତାପ୍ତର୍ଯ୍ୟାବଧାରଣାଂ ।

ଲିଙ୍ଗାନି ତୁ ଉପକ୍ରମୋ ପସଂହାରାବଭ୍ୟାସା ।

ପୂର୍ବ୍ବତାଫଳାର୍ଥବାଦୋପପତ୍ତ୍ୟାଖ୍ୟାନି ।

 

ତଦୁକ୍ତଂ ‘‘ଉପକ୍ରମୋପସଂହାରାବଭ୍ୟାସୋଽପୁର୍ବତା ଫଳଂ ।

ଅର୍ଥବାଦୋପପତ୍ତି ଚ ଲିଙ୍ଗଂ ତାତ୍ପର୍ଯ୍ୟନିର୍ଣ୍ଣୟେ ।’’

ବେଦାନ୍ତସାର ।

ଶ୍ରବଣ:- ତାତ୍ପର୍ଯ୍ୟ ନିର୍ଣ୍ଣାୟକ ଛ ପ୍ରକାର ଲିଙ୍ଗ ସାଧନଦ୍ୱାରା ଅଦ୍ୱିତୀୟ ବ୍ରହ୍ମ ବସ୍ତୁରେ ସମସ୍ତ ବେଦାନ୍ତର ତାତ୍ପର୍ଯ୍ୟକୁ ଅନ୍ତଃକରଣରେ ଲକ୍ଷ୍ୟକରି ଧାରଣ କରିବାର ନାମ ଶ୍ରବଣ ।

ଲିଙ୍ଗ ଛ ପ୍ରକାର:- ୧ ଉପକ୍ରମ ଓ ଉପସଂହାର, ୨ ଅଭ୍ୟାସ, ୩ ଅପୂର୍ବ୍ବତା, ୪ ଫଳ, ୫ ଅର୍ଥବାଦ ଓ ୬ ଉପପତ୍ତି । ଶାସ୍ତ୍ରରେ ଏହି ଛ ପ୍ରକାର ତାତ୍ପର୍ଯ୍ୟ ନିର୍ଣ୍ଣୟକୁ ଲିଙ୍ଗ କୁହାଯାଏ । ତତ୍ ପ୍ରକରଣ ପ୍ରତିପାଦ୍ୟସ୍ୟାର୍ଥସ୍ୟ ତଦାଦ୍ୟନ୍ତୟୋ ରୂପାଦାନଂ ଉପକ୍ରମୋପସଂହାରୌ । ଯଥା ଚ୍ଛାନ୍ଦୋଗ୍ୟେ ଷଷ୍ଠେ ପ୍ରପାଠକେ ପ୍ରକରଣପ୍ରତିପାଦ୍ୟସ୍ୟାଦ୍ୱିତୀୟ-ବସ୍ତୁନଃ । ‘‘ଏକମେ ବା ଦ୍ୱିତୀୟଂ’’ ଇତ୍ୟାଦୌ ‘‘ଏତଦାତ୍ମମିଦଂ ସର୍ବ୍ବଂ’’ ଇତ୍ୟନ୍ତେ ଚ ପ୍ରତିପାଦନଂ । ପ୍ରକରଣ ପ୍ରତିପାଦ୍ୟସ୍ୟ ବସ୍ତୁନଃ ତନ୍ମଧ୍ୟେ ପୌନଃ ପୁନ୍ୟେନ ପ୍ରତିପାଦନମଭ୍ୟାସଃ । ଯଥା ତତ୍ରୈ ବା ଦ୍ୱିତୀୟ-ବସ୍ତୁନୋ ମଧ୍ୟେ ତତ୍ତ୍ୱମସୀତି ନବକୃତ୍ୱଃ ପ୍ରତିପାଦନଂ । ପ୍ରକରଣ-ପ୍ରତିପାଦ୍ୟସ୍ୟ ବସ୍ତୁନଃ ପ୍ରମାଣାନ୍ତରେଣାବିଷୟୀ କରଣମପୃର୍ବତ୍ୱଂ । ଯଥା ତତ୍ରୈ ବା ଦ୍ୱିତୀୟ ବସ୍ତୁନୋ ମାନାନ୍ତରାବିଷୟୀକରଣଂ । ଫଳଂ ତୁ ପ୍ରକରଣ-ପ୍ରତିପାଦ୍ୟସ୍ୟାତ୍ମଜ୍ଞାନସ୍ୟ ତଦନୁଷ୍ଠାନସ୍ୟ ବା ତତ୍ର ତତ୍ ଶ୍ରୁୟ ମାଣଂ ପ୍ରୟୋଜନଂ ଯଥାତତ୍ରୈବ ‘‘ ଆଚାର୍ଯ୍ୟବାନ୍‌ ପୁରୁଷୋ ବେଦ, ତସ୍ୟ ତାବଦେବ ଚିରଂ ଯାବନ୍ନ ବିମୋକ୍ଷେ ଅଥସମ୍ପତ୍ସ୍ୟେ’’ ଇତ୍ୟ ଦ୍ୱିତୀୟବସ୍ତୁଜ୍ଞାନସ୍ୟ ତପ୍ତାପ୍ତି ପ୍ରୟୋଜନଂ ଶ୍ରୂୟତେ । ପ୍ରକରଣ-ପ୍ରତିପାଦ୍ୟସ୍ୟ ତତ୍ରତତ୍ ପ୍ରଶଂସନମର୍ଥ ବାଦଃ । ଯଥା ତତ୍ରୈବ ଉତତମାଦେଶମପ୍ରାକ୍ଷୋ ଯେନା ଶ୍ରୁତଂ ଶ୍ରୁତଂ ଭବତ୍ୟ ମତଂ ମତ ମବିଜ୍ଞାତଂ ବିଜ୍ଞାତ ମିତ୍ୟ ଦ୍ୱିତୀୟ ବସ୍ତୁ ପ୍ରଶଂସନଂ । ପ୍ରକରଣପ୍ରତିପାଦ୍ୟାର୍ଥସାଧନେ ତତ୍ତତ୍ ଶ୍ରୂୟମାଣା ଯୁକ୍ତିଃ ଉପପତ୍ତିଃ । ଯଥା ତତ୍ରୈବ ‘‘ଯଥା ସୌମ୍ୟ ଏକେନ ମୃତ୍ୟିଣ୍ଡେନ ସର୍ବ୍ବଂ ମୃଣ୍ମୟଂ ବିଜ୍ଞାତଂ ସ୍ୟାତ୍‌ ବାଚାରମ୍ଭଣଂ ବିକାରୋ ନାମଧେୟଂ ମୃତ୍ତିକେତ୍ୟେବସତ୍ୟଂ’’ ଇତ୍ୟାଦାବଦ୍ୱିତୀୟବସ୍ତୁ ସାଧନେ ବିକାରସ୍ୟ ବାଚରମ୍ଭଣ ମାତ୍ରତ୍ଵେ ଯୁକ୍ତିଃ ଶ୍ରୁୟତେ ।

ବେଦାନ୍ତସାର ୯୦ ।

 

ଉପକ୍ରମ ଓ ଉପସଂହାର ଯଥା:- ଯେଉଁ ପ୍ରକରଣରେ ଯେଉଁ ବିଷୟ ପ୍ରତିପାଦିତ ହେବ, ସେହି ପ୍ରକରଣର ଆଦି ଓ ଅନ୍ତରେ ସେହି ବିଷୟର କୀର୍ତ୍ତନକୁ ଯଥାକ୍ରମେ ଉପକ୍ରମ ଓ ଉପସଂହାର କହନ୍ତି ଯଥା - ଛାନ୍ଦୋଗ୍ୟ ଉପନିଷଦର ଷଷ୍ଠ ପ୍ରପାଠକର ଆଦିରେ ‘‘ଏକମେ ବାଦ୍ୱିତୀୟଂ ବ୍ରହ୍ମ’’ (ଅଦ୍ୱିତୀୟ ବ୍ରହ୍ମ ଏକ ) ଏହାଦ୍ୱରା ଏବଂ ଅନ୍ତରରେ ‘‘ଏତଦାତ୍ମ ମିଦଂ ସର୍ବ୍ବଂ’’ (ଏହି ଆତ୍ମା ସର୍ବ୍ବଜଗନ୍ମୟ) ଏହାଦ୍ୱାରା ଏହି ପ୍ରକରଣରେ ପ୍ରତିପାଦ୍ୟ ପରଂବ୍ରହ୍ମଙ୍କର କେବଳ ପ୍ରତିପାଦନ ହୁଏ । ଅତଏବ ଏହାକୁ ଉପକ୍ରମ ଓ ଉପସଂହାର କହନ୍ତି ।

 

ଅଭ୍ୟାସ ଯଥା - ଯେଉଁ ପ୍ରକରଣରେ ପ୍ରତିପାଦ୍ୟ ବସ୍ତୁର ପୁନଃ ପୁନଃ କୀର୍ତ୍ତନ ଅଥବା ପ୍ରତିପାଦନ କରିବାକୁ ହୁଏ, ତାହାକୁ ଅଭ୍ୟାସ କହନ୍ତି । ଯଥା - ଏହି ପ୍ରପାଠକରେ ‘‘ତତ୍ତ୍ୱମସି’’ ଏହି ବାକ୍ୟଦ୍ୱାରା ଅଦ୍ୱିତୀୟ ବ୍ରହ୍ମ ବସ୍ତୁର ୯ ଥର ଲକ୍ଷଣଦ୍ୱାରା ପ୍ରତିପାଦିତ ହୋଇଅଛି ।

 

ଅପୂର୍ବ୍ବତା ଯଥା - ଯେଉଁ ପ୍ରକରଣରେ ଯେଉଁ ବସ୍ତୁର ପ୍ରତିପାଦନ କରିବାର ଯୋଗ୍ୟ ହୁଏ, ସେହି ବସ୍ତୁର ଉପନିଷତ୍‌ ପ୍ରମାଣଦ୍ୱାରା ପ୍ରତିପାଦନ କରିବା ଆଉ ତାହା ଛଡ଼ା ଅତିରିକ୍ତ ପ୍ରମାଣ ତ୍ୟାଗ କରିବାକୁ ଅପୂର୍ବ୍ବତା କହନ୍ତି ।

 

ଫଳ ଯଥା :- ଏହି ଷଷ୍ଠାଧ୍ୟାୟରେ କେବଳ ଉପନିଷଦର ପ୍ରମାଣଦ୍ୱାରା ଯେପ୍ରକାର ଅଦ୍ୱିତୀୟ ବ୍ରହ୍ମର ପ୍ରତିପାଦନ ହୋଇଅଛି, ସେ ବିଷୟରେ ଅନ୍ୟ ପ୍ରମାଣ ଉଲ୍ଲେଖ ନକରି କେବଳ ଯେଉଁ ପ୍ରକରଣରେ ଯେଉଁ ବସ୍ତୁର ପ୍ରତିପାଦନ କରିବା ଯୋଗ୍ୟ ହୁଏ, ସେହି ପ୍ରକରଣରେ ସେହି ବସ୍ତୁର ପ୍ରତିପାଦନ କରିବା ଯୋଗ୍ୟ ଅନୁଷ୍ଠାନର ଶ୍ରବଣ କରିବାକୁ ଫଳ କୁହାଯାଏ ।

ଅର୍ଥବାଦ ଯଥା :- ଯେଉଁ ପ୍ରକରଣରେ ଯେଉଁ ବସ୍ତୁର ପ୍ରତିପାଦନ କରିବାର ଯୋଗ୍ୟ ହୁଏ ସେହି ବସ୍ତୁର ପ୍ରଶଂସାରେ ନାମ ଅର୍ଥବାଦ । ଯଥା, - ଏହି ପ୍ରପାଠକରେ ‘‘ଉତତମା ଦେଶମପ୍ରାକ୍ଷୋ ଯେନାଶ୍ରୁତଂ, ଭବତ୍ୟ ମତଂ ମତବିଜ୍ଞାତଂ ’’ । ହେ ଶିଷ୍ୟ ! ତୁମ୍ଭେ ଆମ୍ଭନିକଟରେ ଯାହା ପ୍ରଶ୍ନ କରିଅଛ, ତାହାଙ୍କୁ ଜାଣିଲେ ଅଶ୍ରୁତ ପଦାର୍ଥ ଶ୍ରୁତହୁଏ, ଅସ୍ମୃତ ପଦାର୍ଥର ସରଣ ହୁଏ ଓ ଅଜ୍ଞାନ ପଦାର୍ଥର ଜ୍ଞାନ ହୁଏ, ଏହିରୂପ ଅଦ୍ୱିତୀୟ ବସ୍ତୁର ପ୍ରଶଂସା ପରିକୀର୍ତ୍ତତ ହୁଏ ବୋଲି ଏହାକୁ ଅର୍ଥବାଦ କହନ୍ତି ।

ଉପପତ୍ତି ଯଥା, - ଯେଉଁ ପ୍ରକରଣରେ ଯେଉଁ ବସ୍ତୁ ପ୍ରତିପାଦନ କରିବାର ଯୋଗ୍ୟ ହୁଏ, ସେହି ପ୍ରକରଣରେ ସେହି ବସ୍ତୁର ପ୍ରତିପାଦନ କରିବାର ଯୁକ୍ତିର ନାମ ଉପପତ୍ତି । ଯେପ୍ରକାର ଏହି ଷଷ୍ଠାଧ୍ୟୟରେ କହିଅଛନ୍ତି କି ହେ ଶିଷ୍ୟ ! ଏକ ମୃତ୍ତିକାଣ୍ଡରୁ ଜ୍ଞାନ ହେଲାପର ସମ୍ପୂର୍ଣ୍ଣ ମୃତ୍ତିକା ପାତ୍ତ୍ରାଦିର ଆକୃତିର ଜ୍ଞାନ ହୁଏ । କାରଣ ପାତ୍ତ୍ରାଦି କେବଳ ମୃତ୍ତିକାର ବିକୃତି ଓ ନାମମାତ୍ର ହୁଏ । ସେ ସବୁ ବାସ୍ତବରେ ମୃତ୍ତିକା ଅଟେ । ସେହି ପ୍ରକାର ଏକ ଆଦ୍ୱିତୀୟ ବ୍ରହ୍ମଙ୍କର ଜ୍ଞାନ ହେଲେ ଆଉ ଯେ ବ୍ରହ୍ମ ବସ୍ତୁରେ ନାନାପ୍ରକାର ବିକାର ଆରୋପ ହୋଇଅଛି ସେ କେବଳ ନାମମାତ୍ର । ବାସ୍ତବରେ ସେ ସମସ୍ତ ବ୍ରହ୍ମମୟ ଅଟନ୍ତି । ଏହିପ୍ରକାର ମନର ବୃତ୍ତିର ନାମ ଉପପତ୍ତି ।

ମନନଂ ତୁ ଶ୍ରୁତସ୍ୟାଦ୍ୱିତୀୟବସ୍ତୁନୋ ବେଦାନ୍ତାର୍ଥାନୁ

ଗୁଣଯୁକ୍ତିଭିରନବରତମନନଂ ଚିନ୍ତନଂ ।

ବିଜାତୀୟ-ଦେହାଦି-ପ୍ରତ୍ୟୟ-ରହିତାଦ୍ୱିତୀୟବସ୍ତୁ

ସଜାତୀୟ-ପ୍ରତ୍ୟହପ୍ରବାହଃ ନିଦିଧ୍ୟାସନଂ ।

ବେଦାନ୍ତସାର ।

 

ମନନ ଯଥା, - ବେଦାନ୍ତର ଅବିରୋଧିନୀ ଯୁକ୍ତିଦ୍ୱାରା ନିରନ୍ତର ଶ୍ରୁତ ଯେ ଅଦ୍ୱିତୀୟ ବ୍ରହ୍ମବସ୍ତୁ, ତାହାଙ୍କର ଚିନ୍ତାର ନାମ ମନନ ।

 

ନିଦିଧ୍ୟାସନ ଯଥା, - ତତ୍ତ୍ୱଜ୍ଞାନର ବିରୋଧି ଦେହାଦି ଜଡ଼ପଦାର୍ଥର ଜ୍ଞାନକୁ ତ୍ୟାଗକରି ଅଦ୍ୱିତୀୟ ବ୍ରହ୍ମବସ୍ତୁର ଅନୁକୂଳ ଜ୍ଞାନ ପ୍ରବାହକୁ ନିଦିଧ୍ୟାସନ କହନ୍ତି ।

 

ଏହି ନିଦିଧ୍ୟାସନର ପଞ୍ଚଦଶ ଅଙ୍ଗ ମହତ୍ମା ଶଙ୍କରାଚାର୍ଯ୍ୟଙ୍କ ଉକ୍ତିରେ ପ୍ରକାଶ :-

 

ତ୍ରୀପଞ୍ଚାଙ୍ଗାନ୍ୟତୋବକ୍ଷ୍ୟେ ପୂର୍ବ୍ବୋକ୍ତସ୍ୟ ହି ଲବ୍ଧୟେ ।

ତୈଶ୍ଚ ସର୍ବ୍ବୈଃ ସଦାକାର୍ଯ୍ୟଂ ନିଦିଧ୍ୟାସନମେବଚ ।

ଅପରୋକ୍ଷାନୁଭୂତି । ୧୦୦

 

ଅତଃପର ପୂର୍ବ୍ବ କଥିତ ଜ୍ଞାନ ଲାଭାର୍ଥ ନିଧିଧ୍ୟାସନର ପଞ୍ଚଦଶବିଧ ଅଙ୍ଗ କଥିତ ହେଉଅଛି, ଏହି ଅଙ୍ଗ ଦ୍ୱାରାହିଁ ସତତ ନିଦିଧ୍ୟାସନ କରା କର୍ତ୍ତବ୍ୟ ।

 

ଯ ମୋ ହି ନିୟମସ୍ତ୍ୟାଗୋ ମୌନଂ ଦେଶଶ୍ଚ କାଳତା ।

ଆସନଂ ମୂଳବନ୍ଧଶ୍ଚ ଦେହସାମ୍ୟଞ୍ଚଦୃକ୍‌ସ୍ଥିତିଃ ।

ପ୍ରାଣସଂଯମନ ଞ୍ଚୈବ ପ୍ରତ୍ୟାହାରଶ୍ଚ ଧାରଣା ।

ଆତ୍ମଧ୍ୟାନଂ ସମାଧିଶ୍ଚ ପ୍ରୋକ୍ତାନ୍ୟଙ୍ଗାନି ବୈତ୍ରମାତ୍‌ ।

୧୦୨ । ୧୦୩

 

ସମ, ନିୟମ, ତ୍ୟାଗ, ମୌନ, ଦେଶ, କାଳ, ଆସନ, ମୂଳବନ୍ଧ, ଦେହସାମ୍ୟ, ଦୃକ୍‌ସ୍ଥିତି, ପ୍ରାଣସଂଯମ, ପ୍ରତ୍ୟାହାର, ଧାରଣା, ଆତ୍ମାଧ୍ୟାନ ଓ ସମାଧି, ନିଦିଧ୍ୟାସନର ଏହି ସକଳ ଅଙ୍ଗକ୍ରମେ ବିବୃତ ହେଉଅଛି ।

 

ସର୍ବ୍ବଂବ୍ରହ୍ମେତି ବିଜ୍ଞାନାନ୍ଦ୍ରି ୟଗ୍ରାମସଂଯମଃ ।

ଯମୋଽୟମିତିସଂପ୍ରୋକ୍ତୋଽଭ୍ୟସନୀୟୋ ମୁହୁର୍ମୁହୁଃ ।

୧୦୪ ।

ସମସ୍ତହିଁ (ଅଖିଳ ବ୍ରହ୍ମାଣ୍ଡହିଁ) ବହ୍ମ, ଏହି ପ୍ରକାର ସ୍ଥିର କରି ଇନ୍ଦ୍ରିୟ ସମୂହକୁ ଯେ ସଂଯତ କରାଯାଏ, ତାହାରନାମ ଯମ । ମୁହୁର୍ମୂହୁ ଏହି ଯମ ଅଭ୍ୟାସକରା କର୍ତ୍ତବ୍ୟ ।

ସଜାତୀୟପ୍ରବାହଶ୍ଚ ବିଜାତୀୟତିରଷ୍କୃତି ।

ନିୟମୋ ହି ପରାନନ୍ଦୋ ନିୟମାତ୍‌ କ୍ରିୟତେ ବୁଧୈଃ ।

୧୦୫ ।

ସଜାତୀୟ ପ୍ରବାହ ( ଆମ୍ଭେହିଁ ପରଂବ୍ରହ୍ମ ଏହି ବୋଧ) ଓ ବିଜାତୀୟ ତିରସ୍କାର ( ବ୍ରହ୍ମଭିନ୍ନ ଆଉ ସମସ୍ତ ମିଥ୍ୟା ଏହି ବୋଧ ) ଏହି ଦୁଇଟିକୁ ନିୟମ କୁହାଯାଏ ।

ବୁଦ୍ଧ ଗଣ ଏହିରୂପ ନିୟମ ଅବଲମ୍ବନ କରି ପରମାନନ୍ଦ ଅନୁଭବ କରିଥାନ୍ତି ।

 

ତ୍ୟାଗଃ ପ୍ରପଞ୍ଚରୂପସ୍ୟ ଚିଦାତ୍ମତ୍ୱାବଲୋକନାତ୍‌ ।

ତ୍ୟାଗୋ ହି ମହତାଂ ପୂଜ୍ୟଃ ସଦ୍ୟୋ ମୋକ୍ଷମୟୋ ଯତଃ ।

୧୦୬ ।

 

ଚିନ୍ମିୟ ଆତ୍ମାର ଦର୍ଶନଲାଭପୂର୍ବ୍ବକ ଜଗତପ୍ରପଞ୍ଚକୁ ମିଥ୍ୟାଜ୍ଞାନରେ ଯେପରି ତ୍ୟାଗ ତାହାକୁହିଁ ତ୍ୟାଗ କହି । ମହତ୍‌ ବ୍ୟକ୍ତିଗଣ ଏହିରୂପ ତ୍ୟାଗରହିଁ ସମ୍ମାନନା କରିଥାନ୍ତି । କାରଣ ଏହିରୂପ ତ୍ୟାଗହିଁ ଅନନ୍ତ ମୋକ୍ଷର ହେତୁ ଭୂତ ହୋଇଥାଏ ।

 

ଯସ୍ମାଦ୍‌ବାଚୋ ନିବର୍ତ୍ତନ୍ତେ ଅପ୍ରାପ୍ୟ ମନସା ସହ ।

ଯନ୍ମୌନଂ ଯୋଗିର୍ଭିଗ୍ୟମଂ ତଦ୍ଭବେତ୍‌ ସର୍ବ୍ବଦାବୁଧଃ ।

ବାଚୋ ଯସ୍ମାନ୍ନିବର୍ତ୍ତନ୍ତେ ତଦ୍‌ବକ୍ତୁଂ କେନ ଶକ୍ୟତେ ।

 

ପ୍ରପଞ୍ଚୋ ଯଦିବକ୍ତବ୍ୟଃ ସୋଽପି ଶବ୍ଦବିବର୍ଜିତଃ

ଇତିବା ତଦ୍ଭବେନ୍ମୌନଂ ସତାଂ ସହଜସଜ୍ଞିତମ୍‌ ।

ଗିରାମୌନନ୍ତୁ ବାଳନାଂ ପ୍ରଯୁକ୍ତଂ ବ୍ରହ୍ମବାଦିଭିଃ ।

୧୦୭ । ୧୦୯

 

ଯାହାଙ୍କୁ ପ୍ରାପ୍ତ ନ ହୋଇ ମନ ଓ ବାକ୍ୟ ନିବୃତ୍ତ ହୁଏ ଅର୍ଥାତ୍‌ ମନ ଯାହାର ତତ୍ତ୍ୱ ଅବଗତ ହେବାକୁ ଓ ବାକ୍ୟ ଯାହାର ସ୍ୱରୂପ ପ୍ରକାଶ କରିବାକୁ ସମର୍ଥ ନୁହେଁ ଏବଂ ଯୋଗୀଗଣ ଯାହାଙ୍କୁ ଜାଣି ନ ପାରି ତୃଷ୍ଣୀଭାବ ଅବଲମ୍ବନ କରନ୍ତି, ତାହାଙ୍କୁହିଁ ମୌନ ବୋଲାଯାଏ । ବିଚକ୍ଷଣ ଗଣ ସର୍ବଦା ଏହିରୂପ ମୌନର ଆଶ୍ରୟ ଗ୍ରହଣ କରିବେ । ଅର୍ଥାତ ଏହିରୂପ ମୌନ ଅବଲମ୍ବନ କରି ବ୍ରହ୍ମତତ୍ତ୍ୱ ଲାଭର ପ୍ରୟାସ ପାଇବାକୁ ହୁଏ ।

 

ଯେ ବାକ୍ୟର ଅଗୋଚର ତାହାର ବିଷୟ ବର୍ଣ୍ଣନା କରିବାକୁ କିଏ ସମର୍ଥ ହେବ ? ଯଦି କୁହ ଯେ ପ୍ରପଞ୍ଚର ବିଷୟ ତ ବର୍ଣ୍ଣନା କରାଯାଏ ? ତାହାର ଉତ୍ତର ଏହିଯେ ତାହ ମଧ୍ୟ ଶବ୍ଦଶୂନ୍ୟ, ଅର୍ଥାତ୍‌ ସତ୍‌ ଓ ଅସତ୍‌ ନାନାବିଧ ପଦାର୍ଥ ଅଛି, ବର୍ଣ୍ଣନାଦ୍ୱାରା ତାହା ଶେଷ ହୁଏନାହିଁ-। ସୁତରାଂ ତୃଷ୍ଣୀଭାବ ଅବଲମ୍ବନ କରିବା କର୍ତ୍ତବ୍ୟ । ଏହରୂପ ଅବସ୍ଥାକୁ ମୌନ ବୋଲାଯାଏ । ଏହିରୂପ ମୌନହିଁ ସଜ୍ଜନବୃନ୍ଦର ସ୍ୱତଃ ସିଦ୍ଧ । ବ୍ରହ୍ମବାଦିଗଣ କି ବାଳକର ବାକ୍‌ରହିତକୁ ମୌନ ବୋଲିଥାନ୍ତି ?

 

ଆଦାବନ୍ତେ ଚ ମଧ୍ୟେ ଚ ଜନୋ ଯସ୍ମିନ୍ନ ବିଦ୍ୟତେ

ଯେନେଦଂ ସତତଂ ବ୍ୟାପ୍ତଂ ସ ଦେଶୋ ବିଜନଃ ସ୍ମୃତଃ ।

୧୧୦ ।

 

ଯହିଁରେ ଆଦି, ଅନ୍ତ ଓ ମଧ୍ୟେ କେହି ବିଦ୍ୟମାନ ନ ଥାନ୍ତି, ଆଉ କେବଳ ମାତ୍ର ସତ୍ତାଦ୍ୱାରା ଯାହା ବ୍ୟାପ୍ତ ତାହାହିଁ ନିର୍ଜ୍ଜନ ସ୍ଥାନ ବୋଲି କଥିତ ।

 

କଳନାତ୍‌ ସର୍ବ୍ବଭୂତାନାଂ ବ୍ରହ୍ମାଦୀନାଂ ନିମେଷତଃ

କାଳଶବ୍ଦନେ ନିର୍ଦ୍ଦିଷ୍ଟାଶ୍ଚାଖଣ୍ଡାନନ୍ଦକାଦ୍ୱୟଃ । ୧୧୧

 

ନିମିଷ ମଧ୍ୟେ ଆବ୍ରହ୍ମ ଭୂତର କଳନ (ସୃଷ୍ଟି, ସ୍ଥିତି, ସଂହାର) ଯାହାଦ୍ୱାରା ହୁଏ ସେହି ଅଖଣ୍ଡାନନ୍ଦ ଅଦ୍ୱୟ ବସ୍ତୁହିଁ କାଳଶବ୍ଦେ ନିର୍ଦ୍ଦିଷ୍ଟ ।

 

 

 

ସୁଖେନୈବ ଭବେତ୍‌ ଯସ୍ମିନ୍ନ ଜସ୍ରଂ ବ୍ରହ୍ମଚିନ୍ତନମ ।

ଆସନଂ ତତ୍‌ବିଜାନୀୟାନ୍ନ ଜସ୍ରଂ ସୁଖନାଶନକମ୍‌ ।

ସିଦ୍ଧଂ ଯତ୍‌ ସର୍ବ୍ବଭୂତାଦୌ ବିଶ୍ଵାଧିଷ୍ଠାନମବ୍ୟୟମ୍‌ ।

ଯସ୍ମିନ୍ନ ସିଦ୍ଧାଃ ସମାବିଷ୍ଟା ସ୍ତଦ୍‌ବୈ ସିଦ୍ଧାସନଂ ବିଦୁଃ ।

୧୧୨ । ୧୧୩

ଯହିଁରେ ଅନବରତ ସୁଖରେ ବ୍ରହ୍ମଚିନ୍ତା କରାଯାଏ, ତାହାହିଁ ପ୍ରକୃତ ଆସନ ବୋଲି ଜାଣିବ । ତଦ୍‌ବତୀତ ଆଉ ସମସ୍ତହିଁ ସୁଖନାଶକ ।

ଯେ ସର୍ବ୍ବଭୂତର ଆଦି ବୋଲି ସିଦ୍ଧ, ଯେ ବିଶ୍ୱର ଅଧିଷ୍ଠାନ ଭୂତ ଓ ଅବ୍ୟୟସିଦ୍ଧ ପୁରୁଷଗଣ ଯହିଁରେ ଅବସ୍ଥିତ କରନ୍ତି, ସେହି ସିଦ୍ଧାସନସ୍ୱରୂପ ବୋଲି କଥିତ ।

ଯନ୍ମୂଳଂ ସର୍ବ୍ବଭୂତାନାଂ ଯନ୍ମୂଳଂ ଚିତ୍ତବନ୍ଧନଂ ।

ମୂଳବନ୍ଧଃ ସଦା ସେବ୍ୟୋ ଯୋଗ୍ୟୋଽସୌ

ରାଜଯୋଗି ନାମ । ୧୧୪

ଯେ ସର୍ବ୍ବଭୂତର ଆଦି କାରଣ, ଯେ ଚିତ୍ତବନ୍ଧନର ( ମନଃସଂଯମନର ) ମୂଳ ତାହାକୁହିଁ ମୂଳ ବନ୍ଧ କହେ । ରାଜଯୋଗୀଗଣ ସର୍ବ୍ବଦା ଏହି ମୂଳବନ୍ଧର ସେବା କରିଥାନ୍ତି ।

ଅଙ୍ଗାନାଂ ସମତାଂ ବିଦ୍ୟାତ୍‌ ସମେ ବ୍ରହ୍ମଣି ଲୀୟତେ ।

ନୋଚେନ୍ନୈବ ସମାନତ୍ୱ ମୃଜ୍ୱତ୍ୱଂ ଶୁଷ୍କକାଷ୍ଠବତ୍‌ ।

୧୧୫ ।

 

ସର୍ବ୍ବଭୂତେ ସମଦୃଷ୍ଟିଦ୍ୱାରା ଯେ ବ୍ରହ୍ମରେ ଲୟପ୍ରାପ୍ତି ତାହାରହିଁ ନାମ ସମତା । ନତୁବା ଶୁଷ୍କବୃକ୍ଷବତ୍‌ ସରଳଭାବେ ଅବସ୍ଥିତିକୁ ସମତା ବୋଲା ଯାଏ ନାହିଁ ।

 

ଦୃଷ୍ଟିଂ ଜ୍ଞାନମୟୀଂ କୃତ୍ଵା ପଶ୍ୟେଦ୍‌ ବ୍ରହ୍ମମୟଂ ଜଗତ୍‌ ।

ସା ଦୃଷ୍ଟିଃ ପରମୋଦାରା ନ ନାସାଗ୍ରବିଲୋକିନୀ ।

ଦୃଷ୍ଟିଦର୍ଶନଦୃଶ୍ୟାନାଂ ବିରାମୋ ଯତ୍ର ବା ଭବେତ୍‌ ।

ଦୃଷ୍ଟିସ୍ତତ୍ରୈବ କର୍ତ୍ତବ୍ୟା ନ ନାସାଗ୍ରବିଲୋକିନୀ ।

୧୧୬ । ୧୧୭

 

ଦୃଷ୍ଟିକୁ ଜ୍ଞାନମୟକରି ଜଗଦ୍ୱହ୍ମାଣ୍ଡକୁ ବ୍ରହ୍ମମୟ ଦର୍ଶନ କରିବେ । ଏହିରୂପ ପରମ ଉଦାର ଦୃଷ୍ଟିକୁ ବ୍ରହ୍ମ ଦୃଷ୍ଟି ବା ଯୋଗ ବୋଲାଯାଏ । ନତୁବା ନାସାଗ୍ରଭାଗେ ସଂନ୍ୟସ୍ତ ଦୃଷ୍ଟିକୁ ପ୍ରକୃତ ଦୃଷ୍ଟି କହେ ନାହିଁ ।

 

ଯହିଁରେ ଦୃଷ୍ଟି, ଦର୍ଶନ ଓ ଦୃଶ୍ୟ ଏହି ତ୍ରିତୟର ବିରାମ ଘଟେ ତହିଁରେ ଦୃଷ୍ଟି ସ୍ଥାପନ କରିବ । ତାହାହିଁ ପ୍ରକୃତ ଦୃଷ୍ଟି । ତତୁବା ନାସାଗ୍ର ସଂନ୍ୟସ୍ତ ଦୃଷ୍ଟି ଦୃଷ୍ଟି ମଧ୍ୟେ ଗଣନୀୟ ନୁହେଁ ।

 

ଚିତ୍ତାଦିସର୍ବ୍ବଭାବେଷୁ ବ୍ରହ୍ମତ୍ୱେନୈବ ଭାବନାତ୍‌ ।

ନିରୋଧିଃ ସର୍ବ୍ବବୃତ୍ତୀନାଂ ପ୍ରଣାୟାମଃ ସ ଉଚ୍ୟତେ । ୧୧୮

 

ଚିତ୍ତାଦି ସର୍ବ୍ବବିଧ ଭାବ ପଦାର୍ଥେ ବ୍ରହ୍ମଚିନ୍ତା ସହକାରେ ଯେ ନିଖିଳ ଇନ୍ଦ୍ରିୟ ବୃତ୍ତିର ନିରୋଧ, ତାହାହିଁ ପ୍ରାଣାୟାମ ବୋଲି କଥିତ ।

ନିଷେଧନଂ ପ୍ରପଞ୍ଚସ୍ୟ ରେଚନାଖ୍ୟଃ ସମୀରଣଃ ।

ବ୍ରହ୍ମୈବାସ୍ତୀତି ଯାବୃତ୍ତିଃ ପୂରକୋ ବାୟୁଚାରିତଃ ।

ତତ୍‌ସ୍ତଦ୍‌ବୃତ୍ତିନୈଶ୍ଚଲ୍ୟଂ କୁମ୍ଭକଃ ପ୍ରାଣଃ ସଂଯମଃ ।

ଅୟଞ୍ଚାପି ପ୍ରବୁନ୍ଧାନାମଜ୍ଞାନ-ପ୍ରାଣପୀଡ଼ନମ୍‌ ।

୧୧୯ । ୧୨୦

 

ପ୍ରପଞ୍ଚର ଯେ ନିଷେଧ ଅର୍ଥାତ୍‌ ଜଗତିପ୍ରପଞ୍ଚକୁ ଯେ ମିଥ୍ୟା ବୋଲି ଜ୍ଞାନ, ତାହାରହିଁ ନାମ ରେଚକ ବାୟୁ । ଏକମାତ୍ର ବ୍ରହ୍ମହିଁ ସର୍ବ୍ବତ୍ର ବିଦ୍ୟମାନ, ଏହିରୂପ ଜ୍ଞାନକୁହିଁ ପୂରକ ବାୟୁ କହି-। ଏକମାତ୍ର ବ୍ରହ୍ମହିଁ ସର୍ବ୍ବମୟ; ଏହିରୂପ ଜ୍ଞାନରେ ନିଶ୍ଚଳ ଭାବରେ ଅବସ୍ଥିତିକୁହିଁ କୁମ୍ଭକ କହି-। ଏହାହିଁ ଜ୍ଞାନି ବ୍ୟକ୍ତିମାନଙ୍କର ନିକଟ ପ୍ରାଣାୟମ ବୋଲି କଥିତ । ପ୍ରାଣବାୟୁର ନିରୋଧ ଅଜ୍ଞାନୀମାନଙ୍କ ନିକଟରେ ପ୍ରଣାୟାମ (୬୪) ବୋଲି ପ୍ରତୀତ ହୋଇଥାଏ ।

 

ବିଷୟେଷ୍ୱାତ୍ମତାଂ ଦୃଷ୍ଟ୍ୱାମନସଶ୍ଚିତିମଜ୍ଜନମ୍‌ ।

ପ୍ରତ୍ୟାହାରଃ ସବିଜ୍ଞେୟୋଽଭ୍ୟସନୀୟୋ ମୁମୁକ୍ଷୁଭିଃ ।

୧୨୧ ।

 

ବିଷୟରେ ଆତ୍ମାନାତ୍ମତ୍ଵ ଅନୁସନ୍ଧାନପୂର୍ବକ ଅନାତ୍ମା ନିଶ୍ଚୟ କରି ପରମାତ୍ମାରେ ଯେ ମନ (୬୫)ର ନିବେଶ, ତାହାରହିଁ ନାମ ପ୍ରତ୍ୟାହାର । ଏହିରୂପ ପ୍ରତ୍ୟାହାର ଅଭ୍ୟାସ କରାହିଁ ମୁମୁକ୍ଷୁଗଣଙ୍କର କର୍ତ୍ତବ୍ୟ ।।

 

(୬୪) ନାସାରିରୋଧ ନ ଚ ଦୃଷ୍ଟିରାସନଂ, ବୋଧୋଽପ୍ୟ ବୋଧୋଽପ୍ୟବୋଧୋଽପି ନ ଯନ୍ତ୍ର ଭାସତେ

 

ନାଡ଼ି ପ୍ରଚାରୋଽପି ନ ଯନ୍ତ୍ର କିଞ୍ଚିତ୍‌ ତମିଶମାତ୍ଜାନମପୈତିଶାଶ୍ୱତମ୍‌ ।

ଅବଧୂତଗୀତା । ୨ । ୩୫ ।

 

ନାସିକା ନିରୋଧ କିମ୍ବା ଦୃଷ୍ଟିସାଧନ କି କୌଣସି ପ୍ରକାର ଆସନ କି ଉଦବୋଧନ କିମ୍ବା ଉଦବୋଧନରହିତ ଅନ୍ୟ କୌଣସି ସାଧନ, କୌଣସି ସାଧନହିଁ ଯହିଁରେ ପ୍ରକାଶ ପାଏ ନାହିଁ, ଯହିଁରେ ନାଡ଼ିଶୁଦ୍ଧିର ଅବିକାର ନାହିଁ ସାଧକଗଣ ତାହାଙ୍କୁ ଶାଶ୍ୱତ ଆତ୍ମାରୂପେ ପ୍ରାପ୍ତ ହୁଅନ୍ତି ।

 

(୬୫) ସେହି ମନର ସାଧାରଣତଃ ପାଞ୍ଚଟି ଅବସ୍ଥା ଅଛି ଯଥା, -

୧ କ୍ଷିପ୍ତ, ୨ ମୂଢ଼, ୩ ବିକ୍ଷିପ୍ତ, ୪ ଏକାଗ୍ର ଓ ୫ ନିରୁଦ୍ଧ । ମନୁଷ୍ୟର ମନରେ ଯେତେପ୍ରକାର ଅବସ୍ଥା ହେଉ ପଛକେ ତାହା ଏହି ପାଞ୍ଚପ୍ରକାର ମଧ୍ୟରୁ କୌଣସି ନା କୌଣସି ଅବସ୍ଥାର ଅନ୍ତର୍ଗତ ।

 

୧ ।

କ୍ଷିପ୍ରାବସ୍ଥା;- ବାହ୍ୟ ବସ୍ତୁ ପାଇବାପାଇଁ ମନର ଯେଉଁ ଅସ୍ଥିରତା ଜାତ ହୁଏ ।

୨ ।

ମୂଢ଼ାବସ୍ଥା;- ମନ ଯେତେବେଳେ କାମ କ୍ରୋଧାଦିରି ବଶୀଭୂତ ଓ ନିଦ୍ରାତନ୍ଦ୍ରାଦିର ଅଧୀନ ହୋଇ କର୍ତ୍ତବ୍ୟାକର୍ତ୍ତବ୍ୟ ନ ମାନି ଅଜ୍ଞାନମୟ ଅବସ୍ଥାରେ ନିମଗ୍ନ ହୁଏ ।

୩ ।

ବିକ୍ଷିପ୍ତାବସ୍ଥା;- ମନ ଚଞ୍ଚଳଥିବା ଅବସ୍ଥାରେ ଯେଉଁ କ୍ଷଣିକ ସ୍ଥିରତା ଜନ୍ମେ ।

୪ ।

ଏକାଗ୍ରତା;- ଯେତେବେଳେ ମନ ବାହ୍ୟିକ ବା ଆନ୍ତରିକ କୌଣସି ଏକ ପଦାର୍ଥକୁ ଅବଲମ୍ବନ କରି ସ୍ଥିରଭାବରେ ରହେ । ଅଥବା ରଜଃ ଓ ତମୋଗୁଣରୁ ପରାସ୍ତ ହୋଇ କେବଳ ସାତ୍ତ୍ୱିକ ବୃତ୍ତି ପ୍ରବଳ ରହେ ।

୫ ।

ନିରୁଦ୍ଧାବସ୍ଥା;- ଯେତେବେଳେ ମନ ବିନା ଅବଲମ୍ବନରେ ସ୍ଥିର ହୁଏ, ଅର୍ଥାତ୍‌ ଈଶ୍ୱର ଓ ଜୀବମଧ୍ୟରେ ଆଶ୍ରୟ ଓ ଆଶ୍ରିତ ଭାବ ନଷ୍ଟ ହୋଇ ଏକତା ଜନ୍ମେ ।

 

ଯତ୍ର ଯତ୍ର ମନୋ ଯାତି ବ୍ରାହ୍ମଣ ସ୍ରତ୍ ଦର୍ଶନାତ୍‌ ।

ମନସୋ ଧାରଣଞ୍ଚୈବ ଧାରଣା ସାପରା ମତା । ୧୨୨ ।

 

ଯେ ଯେ ବିଷୟେ ମନପ୍ରଧାବିତ ହୁଏ, ତତ୍ତତ୍‌ ବିଷୟରେ ବ୍ରହ୍ମସ୍ୱରୂପ ଦର୍ଶନ-ସହକାରେ ମନର ଯେ ସ୍ଥିରୀକରଣ, ତାହାହିଁ ପରମାଧାରଣା ବୋଲି ଅଭିହିତ ।

 

ବ୍ରହ୍ମୈବାସ୍ତୀତି ତଦ୍‌ବୃତ୍ତ୍ୟା ନିରାଲମ୍ବତୟା ସ୍ଥିତିଃ ।

ଧ୍ୟାନଶବ୍ଦେନ ବିଖ୍ୟାତା ପରମାନନ୍ଦଦାୟିନୀ । ୧୨୩ ।

 

ସଦନୁଷ୍ଠାନ ସହକାରେ ଅନ୍ୟ ଅବଲମ୍ବନ ପରିତ୍ୟାଗପୂର୍ବ୍ବକ ‘ସକଳହିଁ ବ୍ରହ୍ମମୟ’ ଏହି ଜ୍ଞାନରେ ଯେ ବ୍ରହ୍ମସ୍ଵରୂପରେ ଅବସ୍ଥାନ, ତାହାହିଁ ପରମାନନ୍ଦପ୍ରଦ ଧ୍ୟାନ ବୋଲି କଥିତ ।

 

ନିର୍ବିକାରତାୟା ବୃତ୍ତ୍ୟା ବ୍ରହ୍ମାକାରତୟା ପୁନଃ ।

ବୃତ୍ତିବିସ୍ମରଣଂ ସମ୍ୟକ୍ ସମାଧିଜ୍ଞାନଜ୍ଞକଃ । ୧୨୪ ।

ନିର୍ବିକାର ଚିତ୍ତରେ ଆପଣାକୁ ବ୍ରହ୍ମସ୍ୱରୂପ ବିବେଚନା ପୁରଃସର ଯାବତୀୟ ପ୍ରପଞ୍ଚଭାବ-ବିସର୍ଜ୍ଜନକୁ ହିଁ ସମାଧି କହେ ।

ଅହମେବ ପରଂବ୍ରହ୍ମ ବ୍ରହ୍ମାହମିତିସଂସ୍ଥିତିଃ ।

ସମାଧିଃ ସ ତୁ ବିଜ୍ଞେୟଃ ସର୍ବ୍ବବୃତ୍ତିନିରୋଧକଃ ।

ମହାକାବ୍ୟ ରତ୍ନାବଳୀ ୧୦।୨୫।୨୬

 

ଆମ୍ଭେହିଁ ପରଂବ୍ରହ୍ମ ଏବଂ ବ୍ରହ୍ମହିଁ ଆମ୍ଭେ ଏହିରୂପ ସର୍ବବୃତ୍ତି ନିରୋଧକ ବ୍ରହ୍ମ ସଂସ୍ଥିତିକୁ ସମାଧି କୁହନ୍ତି ।

 

ଉକ୍ତ ସମାଧି ଦ୍ୱିବିଧ:- ସାଲମ୍ବ ଓ ନିରାଲମ୍ବ ।

ସାଲମ୍ବ ସମାଧି :-

 

ଉର୍ଦ୍ଧ୍ୱ ପୂର୍ଣ୍ଣମଧଃ ପୂର୍ଣ୍ଣ ମଧ୍ୟପୂର୍ଣ୍ଣଂ ଯଦାତ୍ମକଂ ।

ସର୍ବ୍ବପୂର୍ଣ୍ଣଂ ସ ଆତ୍ମେତି ସମାଧିସ୍ଥସ୍ୟଲକ୍ଷଣମ୍‌ ।

ବ୍ରହ୍ମାଣ୍ଡ ପୁ:ଉ: ୧ । ୩୬

 

ଯେ ଉର୍ଦ୍ଧ୍ୱେ ଓ ଅଧେ ଏବଂ ମଧ୍ୟେ (ଅର୍ଥାତ୍‌ ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ ନକ୍ଷତ୍ର; ପୃଥ୍ୱୀ ଆଦି ଭୂତଭୌତିକ, ଏହିପଦାର୍ଥ ସମୂହର ଅନ୍ତରେ ଏବଂ ବାହ୍ୟେ ପରିପୂର୍ଣ୍ଣଭାବେ) ଅବସ୍ଥାନ କରିଅଛନ୍ତି, ସେହି ଆତ୍ମା, ଯେ ଆତ୍ମାକୁ ତାଦୃଶରୂପେ ଧ୍ୟାନ କରନ୍ତି ସେହି ସମାଧିସ୍ଥ ହୋଇଅଛନ୍ତି । ଯୋଗୀଗଣ ଏତାଦୃଶ ଆତ୍ମା ଭାବନାକୁହିଁ ସାଲମ୍ବ ସମାଧିସ୍ଥିତ ପୁରୁଷର ଲକ୍ଷଣ ବୋଲି ନିର୍ଦ୍ଦେଶ କରିଅଛନ୍ତି ।

 

ନିରାଲମ୍ବ ସମାଧି:-

 

ଉର୍ଦ୍ଧ୍ୱଶୂନ୍ୟମଧଃ ଶୂନ୍ୟଂ ମଧ୍ୟଶୂନ୍ୟଂ ଯଦାତ୍ମକଂ ।

ସର୍ବ୍ବଶୂନ୍ୟଂ ସ ଆତ୍ମେତି ସମାଧିସ୍ଥସ୍ୟଲକ୍ଷଣମ୍‌ ।

ବ୍ରହ୍ମାଣ୍ଡପୁ : ଉ : ୧ । ୩୩ ।

 

ଯେ ଉର୍ଦ୍ଧ୍ୱ (ଅର୍ଥାତ୍‌ ଚନ୍ଦ୍ର, ସୂର୍ଯ୍ୟ, ଗ୍ରହନକ୍ଷପୁତ୍ତ୍ରାଦି) ଅଧୋଦେଶ (ଅର୍ଥାତ୍‌ ନିମ୍ନସ୍ଥିତ ପୃଥିବ୍ୟାଦି ଭୂତଭୌତିକ) ଓ ମଧ୍ୟ (ଅର୍ଥାତ୍‌ ଦେହାଦି ଦେଶକାଳ ଅବସ୍ଥା ପରିଚ୍ଛେଦ) ଶୂନ୍ୟ ହୋଇ ଯଦାତ୍ମକ (ଅର୍ଥାତ୍‌ ଯତ୍‌ସ୍ୱରୂପ ଆତ୍ମା ତତ୍‌ସ୍ୱରୂପ ସର୍ବ୍ବଶୂନ୍ୟାତ୍ମକ) ପରାମାତ୍ମାଙ୍କୁ ଭାବନା କରନ୍ତି, ସେହି ସମାଧିସ୍ଥିତ ପୁରୁଷ ଏବଂ ଯୋଗୀଗଣ ଏହିରୂପ ଆତ୍ମଭାବନାକୁ ହିଁ ନିରାଲମ୍ବ ସମାଧି ଲକ୍ଷଣ ବୋଲି ନିର୍ଦ୍ଦେଶ କରନ୍ତି ।

 

ପ୍ରଭାଶୂନ୍ୟଂ ମନଃ ଶୂନ୍ୟଂ ବୁଦ୍ଧି ଶୂନ୍ୟଂ ଚିଦାତ୍ମକଃ ।

ଅନ୍ତର୍ବ୍ୟ ବୃତ୍ତିରୂପୋଽସୌ ସମାଧିର୍ମୁନିଭାବିତଃ ।

ମହାକାବ୍ୟ ରତ୍ନାବଳୀ । ୧୦।୪୭।୪୮

 

ଯେ ସମୟେ ପ୍ରଭା (ସାଧାରଣଜ୍ଞାନ) ମନ, ବୁଦ୍ଧିରହିତ ହୋଇ ଯୋଗୀ କେବଳ ଚିତ୍‌ସ୍ୱରୂପ ହୁଏ ସେହି ଚିନ୍ମାପୁତ୍ତ୍ରାବସ୍ଥାକୁ, ଯାହା ବ୍ରହ୍ମ ଭିନ୍ନ ଅନ୍ୟ ସମସ୍ତର ନିଷେଧାତ୍ମକ ଏବଂ ଯାହା ମୁନିମାନଙ୍କର ଏକାନ୍ତ ବାଞ୍ଚନୀୟ, ସେହି ନିର୍ବିଶେଷ ବ୍ରହ୍ମାକାରକୁ ନିର୍ବିକଳ୍ପକ ସମାଧି କୁହାଯାଏ ।

 

ବ୍ରହ୍ମାନନ୍ଦରସାବେଶୀ ଚେକୀଭୂୟତଦାତ୍ମନା ।

ବୃତ୍ତେର୍ଯା ନିଶ୍ଚଳାବସ୍ଥା ସ ସମାଧିରକଳ୍ପକଃ ।

ସର୍ବ୍ବ ଦେବାନ୍ତ ସିଦ୍ଧାନ୍ତ ସାରସଂଗ୍ରହଃ ।୯୯।

 

ନିଶ୍ଚକବୃତ୍ତି ଅବଲମ୍ବନ ଦ୍ୱାରା ବ୍ରହ୍ମାନନ୍ଦରସେ ନିମଗ୍ନ ହୋଇ ନିଜ ଆତ୍ମାକୁ ବ୍ରହ୍ମେ ଏକୀକରଣ ଅର୍ଥାତ୍‌ ଲୀନ କରିବାର ନାମ ନିର୍ବିକଳ୍ପକ ସମାଧି ।

 

କଃ ସମାଧିସ୍ଥଃ ? ସର୍ବ୍ବମନ୍ୟତ୍‌ ପରିତ୍ୟଜ୍ୟ ନିର୍ମ୍ମମୋନିରହଂ-

 

କାରୋ ଭୂତ୍ଵା ବ୍ରହ୍ମନିଷ୍ଠ-ଶରଣମଧୂଗମ୍ୟ

ତତ୍ତ୍ୱମସ୍ୟାଦି ମହାବ୍ୟାକ୍ୟାର୍ଥଂ

ନିଶ୍ଚିତ୍ୟ ନିର୍ବିକଳ୍ପ ସମାଧିନା

ସ୍ୱସ୍ତେସମଶ୍ଚରତି ସ ମୁକ୍ତଃ-

ସ ପୂଜ୍ୟଃ ସଃ ପରମହଂସଃ ସୋଽବଧୂତଃ

ସ ବ୍ରାହ୍ମଣ ସ ସତ୍‌ ସ ହି ସର୍ବ୍ବବିତ୍‌

ନିରାଲମ୍ବୋପନିଷତ୍‌ ।୨୯

 

ଯେ ସମସ୍ତ ବିଷୟ ପରିତ୍ୟାଗପୂର୍ବ୍ବକ ମମତା ଓ ଅହଂକାର ରହିତ ହୋଇ ବ୍ରହ୍ମନିଷ୍ଠ ଓ ଶରଣାଗତ ହୁଅନ୍ତି ଏବଂ ତତ୍ତ୍ୱମସ୍ୟାଦି ମହାବାକ୍ୟର ଅର୍ଥ ନିଶ୍ଚୟ କରି ନିର୍ବିକଳ୍ପ ସମାଧୂର ଅନୁଷ୍ଠାନରେ ନିୟତ ଏକାକୀ ଅବସ୍ଥାନ କରନ୍ତି, ସେହି ମୁକ୍ତ, ସେହିପୂଜ୍ୟ, ସେହି ପରମହଂସ, ସେହି ଅବଧୂତ ସେହି ବ୍ରହ୍ମଜ୍ଞ, ସେହି ସତ୍ୟସ୍ୱରୂପ, ସେହି ସର୍ବ୍ବଜ୍ଞ, ଏବଂ ସେହି ସର୍ବ୍ବଦା ସମାଧିସ୍ଥ-। ଉପରୋକ୍ତ ସମାଧିନିଷ୍ଠ ବ୍ୟକ୍ତିଙ୍କୁ ତ୍ରିବିଧ କର୍ମ୍ମ (୬୬) ଲାଗେ ନାହିଁ । :- ‘ତଦଧିଗମ ଉତ୍ତରପୂର୍ବ୍ବାଘୟୋରଶ୍ଳେଷ ବିନା ଶୌତଦ୍ୟୁପଦେଶାତ୍‌’’ । ‘‘ଇତରସ୍ୟା ପ୍ୟେବମସଂଶ୍ଳେଷଃପାତେତୁ ।’’ ବ୍ରହ୍ମସୂତ୍ର ।୪।୧।୧୩-୧୪ କର୍ମ ତ୍ରବିଧ- ପ୍ରାରବ୍ଧ, ସଞ୍ଚିତ ଓ କ୍ରିୟମାଣ । ସାଧାରଣତଃ ଭୋଗରଦ୍ୱାରା ପ୍ରାରବ୍ଧ, କର୍ମର କ୍ଷୟ ହୁଏ, କିନ୍ତୁ ଜ୍ଞାନ ଉତ୍ପନ ହେଲେ ସଞ୍ଚିତର ବିନାଶ ଓ କ୍ରିୟମାଣର ଅଶ୍ଳେଷ ହୁଏ । ଅର୍ଥାତ୍‌ ପୂର୍ବ୍ବ ପୂର୍ବ୍ବ ଜନ୍ମ କୃତ କର୍ମ୍ମରାଶି (ଯାହାର ଭୋଗର ନିମିତ୍ତ ଜୀବକୁ ପୁନଃପୁନ ଜନ୍ମପରିଗ୍ରହ କରିବାକୁ ହୁଏ) ତାହା ବିନଷ୍ଟ ହୋଇଯାଏ, ଏବଂ ଇହଜନ୍ମରେ ଯେ କର୍ମର ଅନୁଷ୍ଠାନ କରାହୁଏ ତାହା ଓ ବନ୍ଧନର ହେତୁ ହୁଏ ନାହିଁ ।

 

(୬୬) କର୍ମାଣି ବିତ୍ତ ବିଧାନି ? ଆଗାମି-ସଞ୍ଚିତ ପ୍ରାରବ୍ଧ ଭେଦେନ୍ନ ତ୍ରିବିଧାନ ସନ୍ତି । ଆଗାମିକର୍ମ କିଂ ? ଜ୍ଞାନୋତ୍ପତ୍ୟନନ୍ତରଂ ଜ୍ଞାନୀଦେହକୃତଂ ପୁଣ୍ୟପାପରୂପକର୍ମ ଯଦସ୍ତିତଦାଗାମି କର୍ମେତ୍ୟ ଭିଧୀୟତେ । ସଞ୍ଚିତଂ କର୍ମ କିଂ ? ଅନନ୍ତକୋଟିଜନ୍ମାକାଂ ବୀଜଭୂତଂ ମଦ୍ଯତ୍-କର୍ମଜାତଂ ପୂର୍ବ୍ବୋପାର୍ଜ୍ଜିତଂ ତିଷ୍ଠତି ତତ୍‌ ସଞ୍ଚିତଂ ଜ୍ଞେୟଂ । ପ୍ରାରବ୍ଧକର୍ମ କିଂ ? ଇଦଂ ଶରୀରମୁପ୍ତାଦେହଲୋକ ଏବ ସୁଖ ଦୁଃଖାଦିପ୍ରଦଂଯତ କର୍ମ ତତ୍‌ପ୍ରାରବ୍ଧଂ । ଭୋଗେନ ନ ଷ୍ଟଭବତି ।

ତତ୍ତ୍ୱବୋଧ ।

 

ପୁନଶ୍ଚ ଶଙ୍କରାଚାର୍ଯ୍ୟ କହିଅଛନ୍ତି :-

 

‘‘ପ୍ରାରବ୍ଧକର୍ମାଣାଂ ଭୋଗାଦେବ କ୍ଷୟ ଇତି’’

ସଞ୍ଚିତଂ କର୍ମ ବ୍ରହ୍ମୈବାହମତି ।

ନିଶ୍ଚୟାତ୍ମକଜ୍ଞାନେନ ନଶ୍ୟତି

ଆଗାମିକର୍ମ ଅପି ଜ୍ଞାନେନ ନଶ୍ୟତି ।

କିଞ୍ଚ ଆଗାମିକର୍ମଣାଂ ନଳିନୀଦଳଗତିଜଳବତ୍‌

ଜ୍ଞାନିନାଂ ସମ୍ବନ୍ଧୋ ନାସ୍ତି ।             ତତ୍ତ୍ୱବୋଧ ।